Home Finance ମୁଣ୍ଡପିଛା ଋଣ ୨୬ହଜାର ଟପିବ

ମୁଣ୍ଡପିଛା ଋଣ ୨୬ହଜାର ଟପିବ

ଭୁବନେଶ୍ୱର :୨୦୨୪ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ରାଜ୍ୟର ମୋଟ ଋଣ ପରିମାଣ ୯୬,୩୧୦.୪୫ କୋଟି ଟଙ୍କା ରହିଛି, ଯାହା କି ରାଜ୍ୟର ମୋଟ ଘରୋଇ ଉତ୍ପାଦ (ଜିଏସଡିପି)ର ୧୧.୫୬ ପ୍ରତିଶତ । ୨୦୨୫ ମାର୍ଚ୍ଚ ଶେଷ ସୁଦ୍ଧା ଋଣ ପରିମାଣ ୧,୨୫,୫୫୦ କୋଟି ଟଙ୍କାରେ ପହଞ୍ଚିବ ବୋଲି ରାଜ୍ୟ ସରକାର ଆକଳନ କରିଥିବାରୁ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଓଡ଼ିଶା ଉପରେ ମୁଣ୍ଡପିଛା ଋଣ ବୋଝ ୨୦,୭୩୬ ଟଙ୍କା ଥିବା ବେଳେ ଏହା ୨୬,୦୪୯ ଟଙ୍କାରେ ପହଞ୍ଚିବାର ସମ୍ଭାବନା ରହିଛି ।

ପଞ୍ଚଦଶ ଅର୍ଥ ଆୟୋଗ ଏବଂ ଓଡ଼ିଶା ଏଫ୍‌ଆରବିଏମ୍ ଆଇନ, ୨୦୦୫ରେ ଋଣକୁ ଜିଏସଡିପି ଅନୁପାତରେ ୨୫ ପ୍ରତିଶତ ମଧ୍ୟରେ ସୀମିତ ରଖିବାକୁ କୁହାଯାଇଛି । ଓଡ଼ିଶାର ବର୍ତ୍ତମାନର ଋଣ ସ୍ତର ର୍ନିଦ୍ଧାରିତ ଋଣ ସୀମା ମଧ୍ୟରେ ରହିଛି ।

୨୦୦୫-୦୬ ଶେଷ ସୁଦ୍ଧା ରାଜ୍ୟର ବକେୟା ଋଣ ପରିମାଣ ୩୬,୪୫୬.୪୫ କୋଟି ଟଙ୍କା ଥିବାବେଳେ ୨୦୧୫-୧୬ ସୁଦ୍ଧା ଏହା ୫୨,୦୧୭.୩୩ କୋଟି ଟଙ୍କା ଏବଂ ୨୦୧୮ ମାର୍ଚ୍ଚ ସୁଦ୍ଧା ୭୩,୮୬୪.୬୬ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ୨୦୨୧ ମାର୍ଚ୍ଚ ଶେଷ ସୁଦ୍ଧା ଋଣ ଭଣ୍ଡାର ୧ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇ ୧,୦୪,୪୫୨.୨୬ କୋଟି ଟଙ୍କାରେ ପହଞ୍ଚଛି । ତେବେ ପୂର୍ବତନ ପ୍ରମୁଖ ଅର୍ଥ ସଚିବ ବିଶାଳ ଦେବଙ୍କ ମାର୍ଗଦର୍ଶନରେ ଋଣ କୁ ନିୟନ୍ତ୍ରଣକୁ ଅଣାଯାଇ ୨୦୨୨-୨୩ ରେ ୮୮,୧୬୪.୮୨ କୋଟି ଟଙ୍କାକୁ ହ୍ରାସ କରାଯାଇଛି ।

ମୋଟ ବକେୟା ଋଣ ପରିମାଣ ୯୬,୩୧୦.୪୦ କୋଟି ଟଙ୍କା ମଧ୍ୟରୁ ଭାରତ ସରକାର (ଇଏପି ଋଣ) ରୁ ୬,୮୧୩.୦୯ କୋଟି ଟଙ୍କା, ଜିଏସଟି କ୍ଷତିପୂରଣ ଋଣରୁ ୧୦,୨୫୨.୨୨ କୋଟି ଟଙ୍କା, କ୍ୟାପେକ୍ସ ପାଇଁ ସ୍ୱତନ୍ତ୍ର ସହାୟତା ବାବଦରେ ୪୫୬୪.୬୪ କୋଟି ଟଙ୍କା, ବ୍ଲକ ଋଣ ବାବଦରେ ୧୭୮.୧୧ କୋଟି ଟଙ୍କା କେନ୍ଦ୍ରରୁ ମିଳିଛି ।

ସେହିପରି ରାଜ୍ୟ ସରକାର ଖୋଲା ବଜାର ଋଣରୁ ୧୬୪୦୧.୩୨ କୋଟି ଟଙ୍କା, ସାଧାରଣ ଭବିଷ୍ୟନିଧି ପାଣ୍ଠିରୁ ୨୩,୫୧୭.୦୩ କୋଟି ଟଙ୍କା, ନାବାର୍ଡରୁ ୧୯,୨୯୮.୭୯ କୋଟି ଟଙ୍କା, ଜାତୀୟ କ୍ଷୁଦ୍ର ସଞ୍ଚୟ ପାଣ୍ଠି (ଏନ୍‌ଏସ୍‌ଏସ୍‌ଏଫ)ରୁ ୪,୭୬୦.୩୧ କୋଟି ଟଙ୍କା ଏବଂ ଓମ୍ବାଡସି ଓ କାମ୍ପାରୁ ୧୦,୫୨୪.୯୨ କୋଟି ଟଙ୍କା ଋଣ କରିଛନ୍ତି ।

ରାଜ୍ୟ ସରକାରଙ୍କ ସାର୍ବଜନୀନ ଋଣର ଏକ ବଡ଼ ଅଂଶ ଜାତୀୟ ମୁଦ୍ରା ଅର୍ଥାତ ଭାରତୀୟ ଟଙ୍କାରେ ରହିଛି । ମୋଟ ଋଣର ପ୍ରାୟ ୯୩% ଭାରତୀୟ ଟଙ୍କାରେ ହୋଇଥାଏ ଏବଂ ବାକି ୭% ବିଦେଶୀ ମୁଦ୍ରାରେ ବାହ୍ୟ ଏଜେନ୍ସିରୁ ହୋଇଥାଏ । ତେଣୁ ଆମେରିକୀୟ ଡଲାର ଓ ଅନ୍ୟ ବିଦେଶୀ ମୁଦ୍ରା ତୁଳନାରେ ବିନିମୟ ହାରର ଅସ୍ଥିରତା ଏବଂ ଟଙ୍କା ଅବନତି ସତ୍ୱେ ବିପଦ କମ୍‍ ରହିଥାଏ ।

ଖୋଲା ବଜାର ଋଣ ଉପରେ ସୁଧ ହାର ୭ରୁ ୮ ପ୍ରତିଶତ ପର୍ଯ୍ୟନ୍ତ ରହିଛି । ବର୍ତ୍ତମାନ ଋଣର ସବୁଠାରୁ ବଡ ଘରୋଇ ଉତ୍ସ ହେଉଛି ଖୋଲା ବଜାର ଋଣ । ୨୦୨୩-୨୪ ପାଇଁ ସଂଶୋଧିତ ଆକଳନ ଅନୁଯାୟୀ, ରାଜ୍ୟର ମୋଟ ଋଣରେ ଖୋଲା ବଜାର ଋଣର ଅଂଶ ପ୍ରାୟ ୧୭.୦୩ ପ୍ରତିଶତ ରହିଛି । ଖୋଲା ବଜାର ଋଣର ଅଂଶ ୨୦୨୨-୨୩ ଆର୍ଥିକ ବର୍ଷରେ ୨୩.୮୮% ଥିବାବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ଏହା ୧୭.୦୩% କୁ ହ୍ରାସ ପାଇଛି ଏବଂ ଆଗାମୀ ଆର୍ଥିକ ବର୍ଷରେ ଏହା ଆହୁରି ହ୍ରାସ ପାଇବ ବୋଲି ଆଶା କରାଯାଉଛି ।

୨୦୨୨-୨୩ ଆର୍ଥିକ ବର୍ଷ ଏବଂ ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଖୋଲା ବଜାରର ସହାୟତା ନେଇନଥିଲେ କାରଣ ପବ୍ଲିକ୍ ଆକାଉଣ୍ଟରେ ଉପଲବ୍ଧ ନଗଦ ଜମା ଏବଂ ଓଏମବିଏଡିସି ଏବଂ କାମ୍ପା ଭଳି ଅନ୍ୟ ଶସ୍ତା ଉତ୍ସରୁ ଆବଶ୍ୟକ ଅର୍ଥ ପ୍ରଦାନ କରାଯାଇଥିଲା । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଉଭୟ ଓଏମବିଏଡିସି ଏବଂ କାମ୍ପାଠାରୁ ଋଣ ପରିମାଣ ୯,୬୦୫ କୋଟି ଟଙ୍କା ଥିଲା । ଉଭୟ ଓଏମବିଏଡିସି ଏବଂ କାମ୍ପାର ମିଳିତ ଭାବେ ମୋଟ ବକେୟା ଋଣ ୯,୬୦୫ କୋଟି ଟଙ୍କା ହେବ କାରଣ ପୂର୍ବର ସମସ୍ତ ଋଣ ପରିଶୋଧ ହୋଇସାରିଛି । (ତଥ୍ୟ)