Home General ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆମେରିକୀୟ କନସୁଲ ଜେନେରାଲ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆମେରିକୀୟ କନସୁଲ ଜେନେରାଲ

ଭୁବନେଶ୍ଵର : ହାଇଦ୍ରାବାଦସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର କନ୍ ସୁଲ ଜେନେରାଲ ଜେନିଫର ଲାର୍ସନ୍ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆମେରିକା ଓ ଓଡ଼ିଶା ମଧ୍ୟରେ ଭାଗିଦାରୀକୁ ସୁଦୃଢ଼ କରିବା ନେଇ ଆଲୋଚନା କରିଛନ୍ତି।

କନସୁଲ ଜେନେରାଲଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ଶିଳ୍ପ, ଶିକ୍ଷା, ଅକ୍ଷୟ ଶକ୍ତି, ପର୍ଯ୍ୟଟନ ଓ ସଂସ୍କୃତି ଭଳି ବିଭିନ୍ନ କ୍ଷେତ୍ରରେ ଆମେରିକା ଓ ଓଡ଼ିଶା ମଧ୍ୟରେ ଭାଗିଦାରୀକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଶିକ୍ଷିତ ମାନବଶକ୍ତି, ଜମି, ଜଳ ଓ ଶକ୍ତିର ଉପଲବ୍ଧତା ଭଳି ଓଡ଼ିଶାର ଫାଇଦା ଦର୍ଶାଇ ସେ ଆସନ୍ତା ଉତ୍କର୍ଷ ଉତ୍କଳ କନକ୍ଲେଭ (ପୂର୍ବରୁ ମେକ୍ ଇନ୍ ଓଡ଼ିଶା)ରେ ଆମେରିକୀୟ ଶିଳ୍ପର ବ୍ୟାପକ ଅଂଶଗ୍ରହଣ ପାଇଁ ଆମେରିକୀୟ କନ୍ସୁଲଙ୍କ ସହଯୋଗ ଲୋଡ଼ିଥିଲେ।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ମେସିନ ଲର୍ଣ୍ଣିଂ ଭଳି ସୀମାନ୍ତ କ୍ଷେତ୍ରରେ ଆମେରିକୀୟ ବିଶ୍ୱବିଦ୍ୟାଳୟମାନଙ୍କ ସହ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଆଗ୍ରହ ପ୍ରକାଶ କରିଥିଲେ । ଆମେରିକା ଓ ଓଡ଼ିଶା ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାଗିଦାରୀ ରେ ଉଚ୍ଚଶିକ୍ଷା କ୍ଷେତ୍ରରେ ସହଯୋଗ ପାଇଁ ସେ ଆହ୍ୱାନ ଦେଇଥିଲେ । ଓଡ଼ିଶାରେ ସେମି କଣ୍ଡକ୍ଟର ଶିଳ୍ପ ପ୍ରତିଷ୍ଠା ପାଇଁ ଆମେରିକାର ପୁଞ୍ଜିନିବେଶ ପାଇଁ ସେ ଇଚ୍ଛା ପ୍ରକାଶ କରିଥିଲେ।

ଏହାବ୍ୟତୀତ ଓଡ଼ିଶାର ବିପୁଳ ସମ୍ଭାବନାକୁ ଅନୁସନ୍ଧାନ କରିବା ସହ ଏହାର ସଂସ୍କୃତି, ସମୃଦ୍ଧ ଐତିହ୍ୟ ଓ ଆକର୍ଷଣୀୟ ପ୍ରାକୃତିକ ସୌନ୍ଦର୍ଯ୍ୟର ଅନୁସନ୍ଧାନ କରିବାକୁ ଆମେରିକୀୟ କମ୍ପାନିମାନଙ୍କୁ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କରିଥିଲେ। ସାଂସ୍କୃତିକ ଆଦାନପ୍ରଦାନ, ଶିକ୍ଷାଗତ ସହଯୋଗ ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କକୁ ପ୍ରୋତ୍ସାହିତ କରିବାକୁ ସେ ଇଚ୍ଛା ପ୍ରକାଶ କରିଥିଲେ।

ଆଲୋଚନାରେ ଅଂଶଗ୍ରହଣ କରି ଆମେରିକାର କନସୁଲ ଜେନେରାଲ ଜେନିଫର ଲାର୍ସନ ମୁଖ୍ୟମନ୍ତ୍ରୀଙ୍କୁ ଦାୟିତ୍ୱ ଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଥିଲେ ଯେ ଓଡ଼ିଶାରେ ଶିଳ୍ପ ପରିବେଶ ଅତ୍ୟନ୍ତ ଉତ୍ସାହଜନକ ଏବଂ ଆମେରିକା ବାଣିଜ୍ୟିକ ଯୋଗାଯୋଗ ପାଇଁ ଓଡ଼ିଶା ସହ ଭାଗିଦାରୀ କରିବାକୁ ଆଗ୍ରହୀ । ସେ ଓଡ଼ିଶାର ଜୀବନ୍ତ ସଂସ୍କୃତିକୁ ପ୍ରଶଂସା କରିବା ସହ ରାଜ୍ୟର ପ୍ରାଥମିକତା ଅନୁଯାୟୀ ସମସ୍ତ ସମ୍ଭାବ୍ୟ କ୍ଷେତ୍ରରେ ଓଡ଼ିଶାକୁ ସହଯୋଗ କରିବାକୁ ଆଗ୍ରହୀ ବୋଲି ପ୍ରକାଶ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ଏବଂ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଉପସ୍ଥିତ ଥିଲେ।