ଭୁବନେଶ୍ୱର : ନୀତି ଆୟୋଗର ଉପାଧ୍ୟକ୍ଷ ସୁମନ କୁମାର ବେରୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ସାକ୍ଷାତ ଆଲୋଚନା ଅବସରରେ ଆସନ୍ତା ଅଗଷ୍ଟ ୭ ତାରିଖରେ ନୂଆଦିଲ୍ଲୀ ଠାରେ ହେବାକୁ ଥିବା ଆୟୋଗର ସପ୍ତମ ପରିଚାଳନା ପରିଷଦ ବୈଠକରେ ଯୋଗ ଦେବାଲାଗି ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି । ଉପାଧ୍ୟକ୍ଷଙ୍କ ସହିତ ଓ ସଦସ୍ୟ ଡ. ବିନୋଦ କେ. ପାଉଲଙ୍କ ଓ ଆୟାଗର ଅନ୍ୟ ଅଧିକାରୀମାନେ ଓଡ଼ିଶା ଗସ୍ତରେ ଆସିଛନ୍ତି ।
ଆୟୋଗର ଉପାଧ୍ୟକ୍ଷ ଓ ସଦସ୍ୟମାନେ ଆଜି ସକାଳେ ଭୁବନେଶ୍ୱରସ୍ଥ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିଥିଲେ । ତା’ପରେ ସେମାନେ ମହିଳାମାନଙ୍କ ଦ୍ୱାରା ପରିଚାଳିତ ଏକ ଉଦ୍ୟୋଗ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ୫-ଟି ରୂପାନ୍ତରିତ ହୋଇଥିବା ଉଚ୍ଚବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଏବଂ ପିପିଲିଠାରେ ଥିବା ସୁସ୍ଥତା କେନ୍ଦ୍ର ଇତ୍ୟାଦି ସହ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ବିକାଶମୂଳକ କାର୍ଯ୍ୟକ୍ରମଗୁଡ଼ିକୁ ନିରୀକ୍ଷଣ କରିଥିଲେ ।
ନିତି ଆୟୋଗର ଉପାଧ୍ୟକ୍ଷ ଓଡ଼ିଶାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଲୋକସେବା ଭବନରେ ଏକ ବୈଠକ କରାଯାଇଥିଲା । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ।
ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ରାଜ୍ୟ ସରକାରଙ୍କ ତରଫରୁ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଏକ ପାୱାର ପଏଣ୍ଟ ଉପସ୍ଥାପନ କରାଯାଇଥିଲା ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ସଫଳତା ଉପରେ ଆଲୋକପାତ କରିଥିଲେ ।
ନୀତି ଆୟୋଗର ଉପାଧ୍ୟକ୍ଷ ଏବଂ ସଦସ୍ୟ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା କାର୍ଯ୍ୟଗୁଡ଼ିକର ସଫଳତାକୁ ନେଇ ପ୍ରଶଂସା କରିଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ବିକାଶମୂଳକ କାର୍ଯ୍ୟ ନିମନ୍ତେ ନିଆଯାଉଥିବା ଉଦ୍ୟମଗୁଡ଼ିକୁ ସେମାନେ ନିରୀକ୍ଷଣ କରିବା ସହ ସଫଳତା ନିମନ୍ତେ ଆଶ୍ୱାସନା ଦେଇଥିଲେ ।