Home General ମୁଖାର୍ଜୀ, ସଭରକର ଓ ସାଂସଦ ସେନ୍‍

ମୁଖାର୍ଜୀ, ସଭରକର ଓ ସାଂସଦ ସେନ୍‍

ଭୁବନେଶ୍ୱର : ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍‍ ଆଇଏନ୍‍ଏର ସୁପ୍ରିମ୍‍ କମାଣ୍ଡର ଭାବେ ବ୍ରିଟ୍ରିଶ ବିରୁଦ୍ଧରେ ସଶସ୍ତ୍ର ସଂଗ୍ରାମ ଜାରି ରଖିଥିବାବେଳେ ବିନାୟକ ଦାମୋଦର ସଭରକର ଓ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଭଳି ନେତାମାନେ ବ୍ରିଟିଶ ସରକାରକୁ ପୂର୍ଣ୍ଣ ପ୍ରାଣରେ ସମର୍ଥନ ଦେଉଥିଲେ ବୋଲି ତୃଣମୂଳ କଂଗ୍ରେସ ସାଂସଦ ଦୋଲା ସେନ୍‍ ଖୋଲା ଅଭିଯୋଗ କରିଛନ୍ତି ।

ନେତାଜୀଙ୍କ ୧୨୬ତମ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସି ଭୁବନେଶ୍ୱରଠାରେ ଶ୍ରୀମତି ସେନ୍‍ ଏଭଳି ଆରୋପ ଲଗାଇଛନ୍ତି । ସେ କହିଛନ୍ତି ଯେ ଯଦି ସୁଭାଷ ବୋଷ୍‍ ବଞ୍ôଚଥାନ୍ତେ ତେବେ ଭାରତ ବିଭାଜନ ହୋଇ ନଥାନ୍ତା । ଦେଶ ବିଭାଜନ ପାଇଁ ସେ ଉଭୟ ମୁସ୍‍ଲିମ୍‍ ଲିଗ୍‍ ଓ ହିନ୍ଦୁ ମହାସଭାକୁ ଦାୟୀ କରିଛନ୍ତି ।

ଶ୍ରୀମତି ସେନ୍‍ କହିଛନ୍ତି ଯେ କଳାପାଣି କୁହାଯାଉଥିବା ଆଣ୍ଡାମାନ୍‍ ଦ୍ୱୀପପୁଞ୍ଜରେ ୧୯୪୩ ମସିହାରେ ନେତାଜୀ ଭାରତୀୟ ପତାକା ଉଡାଇଥିଲେ । ସ୍ୱାଧୀନତା ଲାଗି ସମ୍ମୁଖ ସଂଗ୍ରାମ କରିବା ପାଇଁ ଏହି ଦେଶଭକ୍ତ୧୯୪୧ ମସିହାରେ ବ୍ରିଟିଶ ପୋଲିସ ଆଖିରେ ଧୂଳିଦେଇ ଦେଶଛାଡି ବାହାରକୁ ଚାଲିଯାଇଥିଲେ । ତାଙ୍କର ଏହି ଯାତ୍ରା ଥିଲା ଅତ୍ୟନ୍ତ ବିପଦପୂର୍ଣ୍ଣ । ସେତେବେଳେ ସଭରକର କିମ୍ବା ଶ୍ୟାମାପ୍ରସାଦ ମୁଖାର୍ଜୀ ସୁଭାଷ ବୋଷଙ୍କୁ କୌଣସି ପ୍ରକାର ସମର୍ଥନ ଦେଇନଥିଲେ ।

ପ୍ରଥମ ପର୍ଯ୍ୟାୟରେ ସଭରକର ବ୍ରିଟ୍ରିଶ ସରକାର ବିରୁଦ୍ଧରେ ପରଦା ଆଢୁଆଳରେ ରହି ଅନ୍ୟମାନଙ୍କ ମାଧ୍ୟମରେ ହିଂସାକାଣ୍ଡ ଉପୁଯାଉଥିଲେ ଯେଉଁଥିରେ କେତେକ ଇଂରେଜଙ୍କୁ ହତ୍ୟା କରାଯାଇଥିଲା । ଏଥିପାଇଁ ତାଙ୍କୁ ଗିରଫ କରି କଳାପାଣିରେ ଦଣ୍ଡ ଦିଆଯାଇଥିବାବେଳେ ସେ ନିଜ କାର୍ଯ୍ୟ ପାଇଁ ଅନୁତାପ ପ୍ରକାଶ କରିବା ସହ ବ୍ରିଟ୍ରିଶ ସରକାରଙ୍କ ବିରୋଧରେ କ୍ଷମା ପ୍ରାର୍ଥନା କରି ମୁକୁଳିଥିଲେ । ୧୯୪୨ର ଭାରତ ଛାଡ ଆନ୍ଦୋଳନ ଏବଂ ସେତେବେଳେ ଆଇଏନ୍‍ଏର ବ୍ରିଟିଶ ବିରୋଧୀ ସଶସ୍ତ୍ର ସଂଗ୍ରାମ ଚାଲିଥିବାବେଳେ ସଭରକର ବ୍ରିଟିଶ ସରକାରକୁ ସାଧାରଣ ଲୋକେ ସମର୍ଥନ ଦେବାଲାଗି ଗଣମାଧ୍ୟମରେ ଖୋଲା ବିବୃତି ଜାରି କରିଥିଲେ ।

ସେହିପରି ଶ୍ୟାମାପ୍ରସାଦ ମୁଖାର୍ଜୀ ମଧ୍ୟ ବ୍ରିଟିଶ ସେନାରେ ଅଧିକରୁ ଅଧିକ ସଂଖ୍ୟାରେ ଭାରତୀୟମାନେ ସାମିଲ ହେବାକୁ ନିବେଦନ କରିଥିଲେ । ନେତାଜୀ ଅନ୍ତର୍ଦ୍ଧାନ ହେବା ଓ ଦେଶ ସ୍ୱାଧୀନତା ପାଇବା ପରେ ଏମାନଙ୍କ ଚିନ୍ତାଧାରାର ସଙ୍ଗଠନମାନେ ନେତାଜୀଙ୍କୁ ପ୍ରଶଂସାରେ ପୋତି ପକାଇବା ସହ ଗାନ୍ଧୀଜୀଙ୍କୁ ହତ୍ୟାପରେ ୭୫ବର୍ଷ ଧରି ତାଙ୍କର ନିନ୍ଦା କରୁଛନ୍ତି । ସ୍ୱାଧୀନତା ସଂଗ୍ରାମରେ ଏମାନେ ବ୍ରିଟିଶ ସରକାରକୁ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ସମର୍ଥନ ଦେଇଆସିଥିବା ସ୍ଥଳେ ଏମାନଙ୍କ ଉତ୍ତରାଧିକାରୀମାନେ ଦେଶାତ୍ମବୋଧର ଯେଉଁ ନାରା ଦେଉଛନ୍ତି ତାହା ଅସଲି କି ନକଲି ଦେଶବାସୀ ପରଖିବା ଆବଶ୍ୟକ ।