ଭୁବନେଶ୍ୱର : ଓଡିଶା ସରକାରଙ୍କର ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ଆଜି ଆମ ପୋଖରୀ ଯୋଜନାରେ ରାଜ୍ୟର ବିଭିନ୍ନ ସହରାଂଚଳରେ ଥିବା ମିଶନ ଶକ୍ତି ଗୋଷ୍ଠୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗୋଷ୍ଠୀ ସହଭାଗିତାରେ ପରିବେଶ ଦୃଷ୍ଟିକୋଣରୁ ଦୀର୍ଘସ୍ଥାୟୀ ଜଳାଶୟ ନିର୍ମାଣ ନିମନ୍ତେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ମାନସ ସନ୍ତାନ ‘ମୁକ୍ତା’ ଅନ୍ତର୍ଗତ ଆମ ପୋଖରୀ ଯୋଜନାରେ ସହରାଞ୍ଚଳ ଜଳଶୟଗୁଡିକର ନବୀକରଣ ଓ ପୁନଃଉଦ୍ଧାର ନିମନ୍ତେ ଆଜି ମିଶନ ଶକ୍ତିର ମାଆମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି । ଜଳାଶୟଗୁଡିକର ଉନ୍ନତିକରଣ ଏବଂ ପୁନଃଉଦ୍ଧାର ନିମନ୍ତେ ୫ଟି ଅଧିନରେ କାର୍ଯ୍ୟ ଜାରି କରାଯିବ ।
ଆୟୋଜିତ କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଜ୍ଞାନ ଓ କାରିଗରୀ କୌଶଳ, ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ଏବଂ ଡେପୁଟି ମେୟର ମଂଜୁଲତା କହଁର,ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ଗୃହ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି.ମାଥି ଭାଥନନ୍ ରାଜ୍ୟରେ ସହରାଞ୍ଚଳ ରୁପାନ୍ତୀକରଣ ଉପରେ ଆଲୋକପାତ କରିଥିଲେ । ୫ଟି ଅଧିନରେ ସହରାଂଚଳରେ ଅବ୍ୟବହୃତ ହୋଇପଡିଥିବା ଜଳାଶୟଗୁଡିକର ପୁନଃ ଉଦ୍ଧାର ଓ ରୂପାନ୍ତରୀକରଣ କରାଯାଇ, ତାହାକୁ ବ୍ୟବହାର ଉପଯୋଗୀ କରାଯାଉଛି । ଏହା ଦ୍ୱାରା ମାଆମାନେ କେବଳ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସ୍ୱାବଲମ୍ବି ହେଉଛନ୍ତି ତାହା ନୁହେଁ, ନିଜର ଦକ୍ଷତା ପ୍ରତିପାଦନ କରିପାରୁଛନ୍ତି ବୋଲି ସେ କହିଥିଲେ ।
କେବଳ ଜଳାଶୟ ନୁହେଁ ମିଶନ ଶକ୍ତିର ମା’ ମାନେ ପାର୍କ ନିର୍ମାଣ ଓ ପରିଚାଳନା, ରାସ୍ତା ସୌନ୍ଦର୍ଯ୍ୟକରଣ, ପେଭର ବ୍ଲକ ଇତ୍ୟାଦି କାମ କରି ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି । ବିଏମ୍ସି କମିଶନର ରାଜେଶ ପ୍ରଭାକର ପାଟିଲ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ସ୍ୱତନ୍ତ ଶାସନ ସଚିବ ସାଗରିକା ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।