Home General ମୁକୁଳିବାପାଇଁ ଦନ ଗଣୁଛି ଦାରା

ମୁକୁଳିବାପାଇଁ ଦନ ଗଣୁଛି ଦାରା

ଭୁବନେଶ୍ୱର : ଗ୍ରାହାମ ଷ୍ଟେନ୍‍ ଓ ତାଙ୍କ ଦୁଇ ଶିଶୁପୁତ୍ରଙ୍କୁ ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ୧୩ଜଣଙ୍କ ମଧ୍ୟରୁ ୧୨ଜଣ ଇତି ମଧ୍ୟରେ କାରାମୁକ୍ତ ହୋଇ ସାରିଥିବାବେଳେ କେବଳ ମୁଖ୍ୟ ଅପରାଧି ରବିନ୍ଦ୍ର ପାଲ୍‍ ଓରଫ ଦାରା ସିଂ କେବେ ଜେଲରୁ ମୁକ୍ତି ପାଇବ ସେଥିଘେନି ଦିନ ଗଣୁଛି ।

ଏଠାରେ ଉଲ୍ଲେଖନୀୟ ଯେ ୧୯୯୯ ଜାନୁୟାରୀ ୨୧ ରାତିରେ ଦାରା ତାହାର ସହଯୋଗୀମାନେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍‍ ଏବଂ ତାଙ୍କ ଦୁଇ ପୁଅ ୧୦ ବର୍ଷର ଫିଲିପ୍‍ ଓ ଛଅ ବର୍ଷିୟ ତିମୋଥିଙ୍କୁ ଗାଡି ଭିତରେ ଜୀଅନ୍ତା ପୋଡି ହତ୍ୟା କରିଥିଲେ । ଏହି ହତ୍ୟାକାଣ୍ଡ ଘଟିଥିଲା ଆନନ୍ଦପୁର ନିକଟବର୍ତ୍ତୀ ମନୋହରପୁରରେ ।

ଏହି ନରହତ୍ୟା ଘଟଣାରେ ମୋଟ୍‍ ୧୩ଜଣଙ୍କୁ ଗିରଫ କରାଯାଇଥିଲା । ମୁଖ୍ୟ ଅଭିଯୁକ୍ତ ଦାରା ଫେରାର ହୋଇଯାଇଥିବାବେଳେ ୨୦୦୦ ଜାନୁୟାରୀ ମାସରେ ଧରାପଡିଥିଲା । ତେବେ ତାହାର ପ୍ରମୁଖ ସହଯୋଗୀ ମନୋହରପୁରର ମହେନ୍ଦ୍ର ହେମ୍ବ୍ରମ କିନ୍ତୁ ୧୯୯୯ରେ ହିଁ ଗିରଫ ହୋଇଥିଲା ।

ଏହି ମାମଲାର ବିଚାର କରି ୧୨ଜଣଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଥିବାବେଳେ ଦାରାକୁ ଫାଶୀ ଦଣ୍ଡାଦେଶ ହୋଇଥିଲା ୨୦୦୩ ସେପ୍ଟେମ୍ବର ମାସରେ । ଭୁବନେଶ୍ୱରର ସିବିଆଇ କୋର୍ଟ ସେତେବେଳେ ଏହି ଦଣ୍ଡାଦେଶ ଶୁଣାଇଥିଲେ । ପରବର୍ତ୍ତୀ ସମୟରେ ୨୦୦୫ ମସିହାରେ ଓଡିଶା ହାଇକୋର୍ଟ ଦାରାର ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ବଦଳାଇଥିଲେ । ସେହିଭଳି ଆଜୀବନ କାରାଦଣ୍ଡ ଭୋଗୁଥିବା ଅନ୍ୟ ୧୨ଜଣଙ୍କ ମଧ୍ୟରୁ ୧୧ଜଣ ମଧ୍ୟ ହାଇକୋର୍ଟରୁ ଆଶ୍ୱସ୍ତି ପାଇଥିଲେ ।

ମୋଟାମୋଟି ଭାବେ ଏହି ହତ୍ୟାକାଣ୍ଡର ୧୩ ଅଭିଯୁକ୍ତଙ୍କ ମଧ୍ୟରୁ କେବଳ ଦାରା ଓ ମହେନ୍ଦ୍ର ହେମ୍ବ୍ରମ ସେବେଠାରୁ ଜେଲ୍‍ରେ ଥିଲେ । ଇତି ମଧ୍ୟରେ ମହେନ୍ଦ୍ର ହେମ୍ବ୍ରମକୁ ଜେଲରେ ଉତ୍ତମ ବ୍ୟବହାର ପ୍ରଦର୍ଶନ ଓ ଜୀବନଶୈଳୀରେ ପରିବର୍ତ୍ତନ ଆଧାରରେ ରାଜ୍ୟ ସେଣ୍ଟେନସ୍‍ ରିଭ୍ୟୁ ବୋର୍ଡର ସୁପାରିଶ୍‍ ଏବଂ ସରକାରଙ୍କ ନିଷ୍ପତ୍ତି ମୁତାବକ ଚଳିତ ମାସରେ ମୁକ୍ତି ଦିଆଯାଇଛି ।

ଅନ୍ୟ ପକ୍ଷରେ ଦାରା ସିଂର ମୃତ୍ୟୁ ଦଣ୍ଡାଦେଶ ଆଜୀବନ କାରାଦଣ୍ଡାଦେଶରେ ରୂପାନ୍ତରିତ ହେବାପରେ ସେ କେନ୍ଦୁଝର ଜେଲରେ ରହିଛନ୍ତି । ପୂର୍ବରୁ ଏହି ଘଟଣାରେ ସମ୍ପୃକ୍ତ ଅପରାଧିମାନଙ୍କୁ ବିଭିନ୍ନ ସମୟରେ ଭୁବନେଶ୍ୱରର ଝାରପଡା, ଜାମୁଝରି, କଟକ, ବ୍ରହ୍ମପୁର, ବାରିପଦା, ଆନନ୍ଦପୁର ଓ କେନ୍ଦୁଝର ଜେଲରେ ରଖାଯାଇଥିଲା ।

ଇତି ମଧ୍ୟରେ ଦାରା ସିଂଙ୍କ ପକ୍ଷରୁ କାରାମୁକ୍ତି ପାଇଁ ରାଜ୍ୟ ସରକାରଙ୍କୁ ବାରମ୍ବାର ଆବେଦନ କରାଯାଇଛି । ଯୁବକ ଅବସ୍ଥାରେ ଏହି ଅପରାଧ ଘଟାଇଥିବା ଦାରା ପ୍ରାୟ ୨୫ବର୍ଷ ଧରି କାରାକକ୍ଷରେ କଟାଇବା ସହିତ ଏବେ ବାର୍ଦ୍ଧକ୍ୟରେ ପହଞ୍ଚିଛି । କୃତ କର୍ମପାଇଁ ସେ ଅନୁତପ୍ତ ବୋଲି ମଧ୍ୟ ସରକାରଙ୍କୁ ଜଣାଇଛି । ଏହା ସତ୍ୱେ ଦାରା ସିଂକୁ ମୁକ୍ତି ମିଳିନଥିବାରୁ ସେ ୨୦୨୪ ଜୁଲାଇ ମାସରେ ସୁପ୍ରିମ୍‍କୋର୍ଟରେ ମାମଲା ରୁଜୁ କରିଛି । ଏହି ମାମଲାରେ ମଧ୍ୟ ସେ ଅନୁତପ୍ତ ବୋଲି ସ୍ମୀକାର କରିଛି । ଏହି ଘଟଣା ସିବିଆଇ ଦ୍ୱାରା ଅତୀତରେ ତଦନ୍ତ କରାଯାଇଥିବା ଏବଂ ସ୍ୱତନ୍ତ୍ର ସିବିଆଇ ଅଦାଲତ ତାହାର ବିଚାର କରିଥିବା ଦୃଷ୍ଟିରୁ ସୁପ୍ରିମ୍‍କୋର୍ଟ ଉଭୟ ରାଜ୍ୟ ସରକାର, କେନ୍ଦ୍ର ସରକାର ଓ ସିବିଆଇକୁ ଉତ୍ତର ରଖିବାପାଇଁ କହିଛନ୍ତି । ମହେନ୍ଦ୍ର ହେମ୍ବ୍ରମଙ୍କ ମୁକ୍ତିପରେ ଦାରା ସିଂ ଙ୍କ ମୁକ୍ତି ସମ୍ଭାବନା ବୋଲି ଉଜ୍ୱଳ ହେଉଥିବାବେଳେ ଆସନ୍ତା ମାସରେ ସୁପ୍ରିମକୋର୍ଟ କି ନିଷ୍ପତ୍ତି ନେବେ ଓ ଏହି ଘଟଣାରେ ସରକାର ଓ ସିବିଆଇ କଣ ଉତ୍ତର ରଖିବେ ତାହା ଉପରେ ସମସ୍ତଙ୍କ ନଜର । (ତଥ୍ୟ)