ଭୁବନେଶ୍ୱର : ରାଜ୍ୟର ୩ହଜାରରୁ ଅଧିକ ବିଦ୍ୟାଳୟ ଏବେ ବି ମେଲା ମୁକୁଳା ପଡିଛି । ଏଠାରେ ଏପର୍ଯ୍ୟନ୍ତ ପାଚେରୀ ତିଆରି ହୋଇପାରି ନାହିଁ । ସେହିଭଳି ୮ହଜାରରୁ ଅଧିକ ବିଦ୍ୟାଳୟରେ ଇଣ୍ଟରନେଟ୍ ପହଞ୍ଚି ପାରିନାହିଁ ।
ବିଦ୍ୟାଳୟ ଭିତ୍ତିଭୂମି ସଂକ୍ରାନ୍ତରେ ବିଜେଡି ସାଂସଦ ସୁଲତା ଦେଓ ପଚାରିଥିବା ପ୍ରଶ୍ନର ଉତ୍ତରରେ ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ । ଶିକ୍ଷାମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟରେ ମୋଟ୍ ୪୬,୮୦୧ଟି ସରକାରୀ ବିଦ୍ୟାଳୟ ରହିଥିବାବେଳେ ଏଥିରେ ୧,୯୪,୮୪୦ଟି ଶ୍ରେଣୀଗୃହ ରହିଛି । ତେବେ ଏହିସବୁ ବିଦ୍ୟାଳୟ ମଧ୍ୟରୁ ୧୧୨ଟି ବିଦ୍ୟାଳୟରେ ଶୌଚାଳୟ ନଥିବାବେଳେ ୧୨ଟି ବିଦ୍ୟାଳୟରେ ପାନୀୟଜଳ ସୁବିଧା ନାହିଁ । ସେହିଭଳି ୧୩୪ଟି ବିଦ୍ୟାଳୟରେ ବିଦ୍ୟୁତ୍ ସଂଯୋଗ ନଥିବାବେଳେ ୩୩୪୯ଟି ବିଦ୍ୟାଳୟରେ ପାଚେରୀ ନାହିଁ । ୮୦୫୩ଟି ବିଦ୍ୟାଳୟରେ ଇଣ୍ଟରନେଟ୍ ସୁବିଧା ନଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।
ଏହି ସୂଚନାରୁ ଜଣାଯାଇଛି ଯେ ଶୌଚାଳୟ ନଥିବା ବିଦ୍ୟାଳୟ ତାଲିକାରେ କଟକ ଜିଲ୍ଲାର ୪ଟି ବିଦ୍ୟାଳୟ ଥିବାବେଳେ ଦେବଗଡ ଜିଲ୍ଲାର ୧୫ଟି, ବରଗଡ ଜିଲ୍ଲାର ୩ଟି, ଗଞ୍ଜାମ ଜିଲ୍ଲାର ୯ଟି, କଳାହାଣ୍ଡି ଜିଲ୍ଲାର ୧୪ଟି, କେନ୍ଦ୍ରାପଡା ଜିଲ୍ଲାର ୭ଟି, କେନ୍ଦୁଝର ଜିଲ୍ଲାର ୫ଟି, କୋରାପୁଟ ଜିଲ୍ଲାର ୪ଟି, ମୟୁରଭଞ୍ଜ ଜିଲ୍ଲାର ୬ଟି, ପୁରୀ ଜିଲ୍ଲାର ୧୫ଟି, ରାୟଗଡାର ଗୋଟିଏ, ସମ୍ବଲପୁର ଜିଲ୍ଲାରେ ୨ଟି ଓ ସୋନପୁର ଜିଲ୍ଲାର ୩ଟି ବିଦ୍ୟାଳୟ ରହିଛି । ମାଲକାନଗିରି ଭଳି ଜିଲ୍ଲାରେ ଶତ ପ୍ରତିଶତ ବିଦ୍ୟାଳୟରେ ଶୌଚାଳୟ ବ୍ୟବସ୍ଥା ଥିବାବେଳେ କଟକ, ପୁରୀ ଓ କେନ୍ଦ୍ରାପଡା ଭଳି ଜିଲ୍ଲା ଏହି ଲକ୍ଷ୍ୟ ହାସଲ କରିନପାରିବା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।
ବିଦ୍ୟାଳୟ ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ବ୍ୟାପକ ଅର୍ଥ ବରାଦ କରୁଥିବାବେଳେ ତିନି ହଜାରରୁ ଅଧିକ ବିଦ୍ୟାଳୟରେ ପାଚେରୀ ନିର୍ମାଣ ନହେବା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅତୀତରେ ଆବଶ୍ୟକସ୍ଥଳେ ବିଧାୟକ ହାତପାଣ୍ଠି ଅର୍ଥରେ ବିଦ୍ୟାଳୟ ପାଚେରୀ ନିର୍ମାଣ ପାଇଁ ଦାବି ହୋଇଥିଲେ ମଧ୍ୟ ତାହା ବି ସଫଳ ହୋଇପାରି ନାହିଁ ।
ସେହିଭଳି ରାଜ୍ୟରେ ଭାରତନେଟ୍ ର ଦୁଇଟି ପର୍ଯ୍ୟାୟରେ ପ୍ରାୟ ପ୍ରତ୍ୟେକ ପଞ୍ଚାୟତରେ ଇଣ୍ଟରନେଟ୍ ପହଞ୍ଚିଥିବାବେଳେ ବିଦ୍ୟାଳୟଗୁଡିକରେ କିନ୍ତୁ ପହଞ୍ଚି ପାରିନାହିଁ । ଏଥିପାଇଁ ଅନେକ ସ୍ଥାନରେ ଦୁର୍ବଳ ଭିତ୍ତିଭୂମିକୁ ଦାୟୀ କରାଯାଉଛି । ଏଥିଯୋଗୁଁ ବିଦ୍ୟାଳୟ ସ୍ତରରେ ଆରମ୍ଭ ହୋଇଥିବା କମ୍ପ୍ୟୁଟର ଶିକ୍ଷା ମଧ୍ୟ ବାଧାପ୍ରାପ୍ତ ହୋଇଥିବା କୁହାଯାଉଛି । (ତଥ୍ୟ)

