Home Administration ମିଶନ ଶକ୍ତି ବିଭାଗକୁ କ୍ୟାବିନେଟ୍‍ ମୋହର

ମିଶନ ଶକ୍ତି ବିଭାଗକୁ କ୍ୟାବିନେଟ୍‍ ମୋହର

ଭୁବନେଶ୍ୱର : ମିଶନ ଶକ୍ତି ବିଭାଗ ଗଠନ ଉପରେ ଆଜି ରାଜ୍ୟ କ୍ୟାବିନେଟ ମୋହର ବସିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବନେଟ ବୈଠକରେ ନୂଆ ବିଭାଗ ଗଠନକୁ ସବୁଜ ସଙ୍କେତ ମିଳିବା ସହିତ ବିଭିନ୍ନ ବିଭାଗ ଏବଂ ସଂସ୍ଥା ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠିମାନଙ୍କ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡିକୁ ସୁଦୃଢୀକରଣ କରିବା ସହିତ ସୁଦୂର ପ୍ରସାରୀ କରିବା ନିମନ୍ତେ ଏହା ସହାୟକ ହେବ ବୋଲି କୁହାଯାଇଛି ।

ନୂତନ ବିଭାଗ ସଂକ୍ରନ୍ତରେ ସୂଚନା ଦେଇ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ ଏହି ବିଭାଗ ସାରା ରାଜ୍ୟରେ ସମସ୍ତ ସରରେ ସମନ୍ୱୟ ରକ୍ଷା କରିବାରେ ସହାୟକ ହେବ ଏବଂ ସ୍ୱୟଂ ସହାୟକ ଗୋଷ୍ଠି କାର୍ଯ୍ୟକ୍ରମରେ ଅଗ୍ରଗତିର ସଠିକ ପରିଚାଳନାରେ ଗୋଷ୍ଠି ଏବଂ ସରକାରଙ୍କ ସ୍ତରରେ ସମନ୍ୱୟ ରକ୍ଷା କରିବା ନିମନ୍ତେ ପ୍ରମୁଖ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିବ ।

ଏହି ବିଭାଗ ଦ୍ୱନ୍ଦ ଦୂରୀକରଣ, ଉତ୍ତମ ସେବା ପ୍ରଦାନ, ସଠିକ ତତ୍ୱାବଧାନ, ମାନବ ସମ୍ବଳର ସୁପରିଚାଳନା, ସ୍ୱୟଂ ସହାୟକ ଗୋଷ୍ଠି ଏବଂ ମହାସଂଘ ନେଟୱାର୍କର ସୁପରିଚାଳନାରେ ଉତ୍ତମ ପ୍ରଶାସନିକ ବ୍ୟବସ୍ଥା ବୃଦ୍ଧିରେ ସହାୟକ ହେବ । ବାହାରର ହିତାଧିକାରୀଙ୍କ ନିମେନ୍ତ ଏହି ବିଭାଗ ଗୋଟିଏ ଯୋଗାଯୋଗ ପଏଣ୍ଟ ଭାବେ କାର୍ଯ୍ୟ କରିବ ।

ମିଶନ ଶକ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠିମାନଙ୍କ ଅଗ୍ରଗତି ନିମନ୍ତେ ରାଜ୍ୟରେ ୨୦୦୧ ମସିହାରୁ ପ୍ରମୁଖ ଅନୁଷ୍ଠାନ ଭାବେ କାର୍ଯ୍ୟ କରୁଛି । ମହିଳାମାନଙ୍କ ନିମେନ୍ତ ଉଦ୍ଦିଷ୍ଟ ସମସ୍ତ କାର୍ଯ୍ୟକ୍ରମର ପ୍ରଶାସନିକ ପରିଚାଳନା ଏବଂ କାର୍ଯ୍ୟକ୍ରମ ଗୋଟିଏ ପ୍ଲାଟଫର୍ମରେ କାର୍ଯ୍ୟ କରିବ ।

ମିଶନ ଶକ୍ତି ବିଭାଗ, ମିଶନ ଶକ୍ତି ନିର୍ଦ୍ଦେଶାଳୟରେ କାର୍ଯ୍ୟରତ ଅଧିକାରୀ ଏବଂ ଓଡିଶା ଜୀବିକା ମିଶନ ମିଳିତ ଭାବରେ ଗୋଟିଏ ପ୍ଲାଟଫର୍ମରେ କାର୍ଯ୍ୟ କରିବେ । ଯେଉଁଠି ସମସ୍ତ କାର୍ଯ୍ୟ ଏବଂ ନିର୍ଦ୍ଦିଷ୍ଟ ଦାୟିତ୍ୱ ସୁସଂଗଠିତ ହୋଇ ସଠିକ ଭାବରେ କାର୍ଯ୍ୟକାରୀ ହେବ । ଏହି ବିଭାଗ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଏବଂ ସେମାନଙ୍କର ମହାସଂଘ ପାଇଁ କାର୍ଯ୍ୟ କରିବ ।