Home Agriculture ମିଶନକୁ ୧୦ବର୍ଷ ପୂରିଲା

ମିଶନକୁ ୧୦ବର୍ଷ ପୂରିଲା

ଭୁବନେଶ୍ୱର : ରାଜ୍ୟରେ ଆଳୁ ମିଶନକୁ ୧୦ବର୍ଷ ପୂରିଛି । ହେଲେ ରାଜ୍ୟରେ ଆଳୁ ଉତ୍ପାଦନ କିନ୍ତୁ ୫ଲକ୍ଷ ମେଟ୍ରିକ ଟନ୍‍କୁ ଟପିପାରି ନାହିଁ ।

ରାଜ୍ୟର ଆଳୁ ଚାହିଦା ବର୍ଷକୁ ବର୍ଷ ବୃଦ୍ଧି ପାଉଥିବାବେଳେ ଚାହିଦା ପୂରଣ ପାଇଁ ଓଡିଶା ଆଳୁ ପାଇଁ ଅନ୍ୟ ରାଜ୍ୟ ବିଶେଷକରି ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ । ତିରୋଟ ସମୟରେ ଉତ୍ତରପ୍ରଦେଶରୁ ମଧ୍ୟ ଆଳୁ ଆଣିବାକୁ ପଡିଥାଏ । ଏ ବାବଦରେ ଓଡିଶାରୁ କୋଟି କୋଟି ଟଙ୍କା ଅନ୍ୟ ରାଜ୍ୟକୁ ଚାଲିଯାଉଛି । ଆଳୁ ଯୋଗାଣ ନେଇ ପଶ୍ଚିମବଙ୍ଗ ବାରମ୍ବାର ଓଡିଶାକୁ ନାଲିଆଖି ଦେଖାଇବା ସହିତ ଆଳୁ ନପଠାଇବାର ମଧ୍ୟ ନଜିର ରହିଛି ।

ତେବେ ଆଳୁ ଉତ୍ପାଦନ କ୍ଷେତ୍ରରେ ଓଡିଶାକୁ ଆତ୍ମନିର୍ଭର କରିବାପାଇଁ ୨୦୧୫ ମସିହାରେ କାର୍ଯ୍ୟକାରୀ ହୋଇଥିଲା ଆଳୁ ମିଶନ । ଏହି ମିଶନ ଜରିଆରେ ଚାଷୀମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଗଲା । ବିଶେଷକରି ଯେଉଁ ଚାଷୀମାନେ ଆଳୁଚାଷ କରିବେ ସେମାନଙ୍କୁ ହେକ୍ଟରପ୍ରତି ୪୦ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମିଳିଲା । ଲକ୍ଷ୍ୟଥିଲା ୨୦୨୪ ସୁଦ୍ଧା ରାଜ୍ୟରେ ୧୫ହଜାର ହେକ୍ଟେରରୁ ଅଧିକ ଜମିରେ ଆଳୁଚାଷ କରି ଓଡିଶାର ଆବଶ୍ୟକତା ପୂରଣ କରିବା ।

ହେଲେ ମିଶନ କାର୍ଯ୍ୟକାରୀ ହେବାଠାରୁ ବର୍ତ୍ତମାନ ସୁଦ୍ଧା ଆଳୁ ଉତ୍ପାଦନ ୨.୧ ଲକ୍ଷ ମେଟ୍ରିକ ଟନ୍‍କୁ ବୃଦ୍ଧି ପାଇଛି । ଏହା ସତ୍ୱେ ବି ରାଜ୍ୟରେ ଆଳୁ ଉତ୍ପାଦନ ୫ଲକ୍ଷ ମେଟ୍ରିକ ଟନ୍‍କୁ ଟପିପାରି ନାହିଁ । ୨୦୨୪-୨୫ ବର୍ଷରେ ରାଜ୍ୟର ୩୦ଟି ଜିଲ୍ଲାରେ ମୋଟ୍‍ ୪,୮୮,୫୫୦ ମେଟ୍ରିକ ଟନ୍‍ ଆଳୁ ଉତ୍ପାଦନ ହୋଇଥିବା ଜଣାଯାଇଛି ।

ରାଜ୍ୟରେ ଏବେ ବର୍ଷକୁ ୧୪ଲକ୍ଷ ମେଟ୍ରିକ ଟନ୍‍ ଆଳୁ ଆବଶ୍ୟକ ଥିବାବେଳେ ଉତ୍ପାଦିତ ଆଳୁ ସମୁଦ୍ରକୁ ଶଙ୍ଖେ ଭଳି ହୋଇଛି । ତଥାପି ଅମଳ ସମୟରେ ଏହି ଆଳୁକୁ ସାଇତିବା ପାଇଁ ଶୀତଳଭଣ୍ଡାର ନଥିବାରୁ ଚାଷୀମାନେ ତାହାକୁ ଅଳ୍ପ ଦରରେ ବ୍ୟବସାୟୀଙ୍କ ହାତରେ ଟେକି ଦେଉଛନ୍ତି । ବ୍ୟବସାୟୀମାନେ ଏହି ଆଳୁକୁ ନେଇ ପଡୋଶୀ ରାଜ୍ୟର ଶୀତଳଭଣ୍ଡାରରେ ରଖି ପରବର୍ତ୍ତୀ ସମୟରେ ଓଡିଶାକୁ ଅଧିକ ଦରରେ ବିକ୍ରି କରୁଛନ୍ତି ।

ସରକାରୀ ହିସାବରେ ଏବେ ରାଜ୍ୟରେ ୩୫ଟି ଶୀଳତଭଣ୍ଡାର ରହିଛି ଯାହାର କ୍ଷମତା ୧,୭୨,୧୮୦ ମେଟ୍ରିକ ଟନ୍‍ । ଫଳରେ ରାଜ୍ୟରେ ଉତ୍ପାଦିତ ହେଉଥିବା ପାଖାପାଖି ୫ଲକ୍ଷ ଟନ୍‍ ଆଳୁ ରଖିବାପାଇଁ ବି ଆମ ନିକଟରେ ଶୀତଳଭଣ୍ଡାର ନାହିଁ । ଯଦିଓ ଶୀତଳଭଣ୍ଡାର ପ୍ରତିଷ୍ଠା ପାଇଁ ବିଗତ ସରକାର ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେଉଥିଲେ କିନ୍ତୁ ଉଦ୍ୟୋଗୀମାନେ ଏଥିପ୍ରତି ଆଗ୍ରହ ପ୍ରକାଶ କଲେନାହିଁ । ଚଢା ଦରର ବିଦ୍ୟୁତ୍‍ ଦେୟ ଏ କ୍ଷେତ୍ରରେ ବଡ ବାଧକ ସାଜିଲା ।

ବର୍ତ୍ତମାନ ରାଜ୍ୟ ସରକାର ଶୀତଳଭଣ୍ଡାର ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେବା ସହିତ ପ୍ରତି ବ୍ଲକରେ ଅତନ୍ତଃପକ୍ଷେ ଗୋଟିଏ ଶୀତଳଭଣ୍ଡାର ପ୍ରତିଷ୍ଠାର ଲକ୍ଷ୍ୟ ରଖିଛନ୍ତି । ଏହା ହୋଇଗଲେ ରାଜ୍ୟରେ ଆଳୁୁ ଉତ୍ପାଦନ ବୃଦ୍ଧି ପାଇବା ନେଇ ଆଶା କରାଯାଉଛି । (ତଥ୍ୟ)