ଭୁବନେଶ୍ୱର : ମହୁ ଚାଷ ଅତ୍ୟନ୍ତ ଲାଭଜନକ ହୋଇଥିବାବେଳେ ମହୁମାଛିଙ୍କ ଅଭାବ ଏବେ ଆଗ୍ରହୀ ଚାଷୀମାନଙ୍କୁ ହତାଶ କରୁଛି । ମହୁ ଚାଷ ପାଇଁ ଗାଁ ଗହଳର ଚାଷୀ ଆଗ୍ରହୀ ଥିବାବେଳେ ଏଥିପାଇଁ ଆବଶ୍ୟକ ମୁତାବକ ମହୁମାଛି ମିଳୁନାହାନ୍ତି । ବାଧ୍ୟହୋଇ ଚାଷୀମାନେ ଅନ୍ୟ ରାଜ୍ୟରୁ ଚଢା ଦରରେ ମହୁମାଛି କିଣୁଥିବା ଲକ୍ଷ୍ୟ କରାଯାଉଛି ।
ମହୁଚାଷ ପାଇଁ ସରକାର ଲୋକଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ହେଲେ ଏଥି ପାଇଁ ପ୍ରାଥମିକ ଆବଶ୍ୟକତା ଥିବା ମହୁମାଛି କିନ୍ତୁ ଆବଶ୍ୟକ ତୁଳନାରେ ଉପଲବ୍ଧ ହେଉନାହାନ୍ତି । ରାଜ୍ୟରେ ଏବେ ପ୍ରାୟ ହଜାରେ ମହୁଚାଷୀ ଥିବାବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ତାମିଲନାଡୁ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଆଦି ରାଜ୍ୟରୁ ମହୁମାଛି କିଣୁଛନ୍ତି ।
ଚାଷୀଙ୍କ ସୂଚନା ଅନୁଯାୟୀ ମହୁଚାଷ ପାଇଁ ରାଜ୍ୟରେ ପ୍ରାୟତଃ ଦୁଇ ପ୍ରଜାତିର ମାଛି ବ୍ୟବହାର ହୋଇଥାନ୍ତି । ସେଗୁଡିକ ହେଲା ସପ୍ତଫେଣୀ ଓ ଇଟାଲିଆନ ମେଲିଫେରା । ସପ୍ତଫେଣୀ ଜାତୀୟ ମାଛି ସମସ୍ତ ପ୍ରକାର ଜଳବାୟୁରେ ରହିପାରୁଥିବାବେଳେ ଇଟାଲିଆନ ମାଛି କିନ୍ତୁ ଥଣ୍ଡା ଅଞ୍ଚଳରେ ରହିଥାନ୍ତି । ଫଳରେ ଏହି କିସମର ମାଛି କୋରାପୁଟ, ରାୟଗଡା, କଳାହାଣ୍ଡି, ସୁନ୍ଦରଗଡ ଭଳି ଜିଲ୍ଲାରେ ଚାଷ ହୋଇଥାନ୍ତି । ଏବେ ଏହି ମାଛିଙ୍କୁ ଚାଷୀମାନେ ଅନ୍ୟ ରାଜ୍ୟରୁ ଆମଦାନୀ କରୁଛନ୍ତି ।
ଓଡିଶାର ଜଳବାୟୁରେ ଭଲ ଭାବେ ବଂଶ ବିସ୍ତାର କରିପାରୁଥିବା ସପ୍ତଫେଣୀ ମହୁମାଛି ମଧ୍ୟ ସହଜରେ ଉପଲବ୍ଧ ହେଉନାହିଁ । ଆଗ୍ରହୀ ମହୁଚାଷୀମାନେ ଏବେ ବିଭିନ୍ନ ସ୍ଥାନକୁ ଦଉଡା ଦଉଡି କରି ଚଢା ଦରରେ ମାଛି ଖରିଦ କରୁଛନ୍ତି । ଏଥିଯୋଗୁଁ ଆଗ୍ରହ ଥିଲେ ସୁଦ୍ଧା ଅନେକ ଚାଷୀ ମହୁଚାଷପାଇଁ ଆଗଭର ହେଉନାହାନ୍ତି ।
ଦେଶର କେତେକ ରାଜ୍ୟ ବିଶେଷକରି ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଜାମ୍ମୁକାଶ୍ମୀର, ତାମିଲନାଡୁ ଆଦିରେ ସରକାରୀ ପ୍ରୋତ୍ସାହନରେ ମହୁମାଛି ନର୍ସରୀ ପ୍ରତିଷ୍ଠା କରାଯାଇ ଚାଷୀଙ୍କୁ ଉନ୍ନତ କିସମର ମହୁମାଛି ଯୋଗାଇ ଦିଆଯାଉଛି । ହେଲେ ଓଡିଶାରେ ବର୍ତ୍ତମାନ ସୁଦ୍ଧା ଏହା ହୋଇପାରି ନାହିଁ । ସେହିଭଳି ମହୁମାଛିଙ୍କ ବଂଶ ବିସ୍ତାରର ଅନ୍ୟତମ ପ୍ରମୁଖ କୁହାଯାଉଥିବା ରାଣୀ ମହୁମାଛି ପାଇଁ ମଧ୍ୟ କେତେକ ରାଜ୍ୟରେ ‘କୁଇନ୍ ନର୍ସରୀ’ ପ୍ରତିଷ୍ଠା କରାଯାଇଛି ।
ଓଡିଶାରେ ମହୁଚାଷୀମାନେ ଯେତିକି ‘ୱାକ୍ସ’ ଉତ୍ପାଦନ କରୁଛନ୍ତି ପ୍ରକ୍ରିୟାକରଣ ଅଭାବରୁ ତାହାର ମଧ୍ୟ ସଦୁପଯୋଗ ହୋଇପାରୁ ନାହିଁ । ଅନ୍ୟ ରାଜ୍ୟରେ ଏହି ୱାକ୍ସରୁ ବିଭିନ୍ନ ପ୍ରକାରର ଔଷଧ, ପ୍ରସାଧନ ସାମଗ୍ରୀ, ଉନ୍ନତ କିସମର ସାବୁନ ଆଦି ପ୍ରସ୍ତୁତ ହେଉଥିବାବେଳେ ଓଡିଶାରେ କିନ୍ତୁ ଏହି ମୂଲ୍ୟବାନ ସାମଗ୍ରୀ ନଷ୍ଟହୋଇ ଯାଉଛି ।
ମହୁ ମାଛି ସଙ୍କଟ ଯୋଗୁଁ ମହୁ ଉତ୍ପାଦନ କରୁଥିବା ରାଜ୍ୟର ଅଗ୍ରଣୀ ସଂସ୍ଥା ରାଜ୍ୟ ଖଦିବୋର୍ଡର ବାର୍ଷିକ ଉତ୍ପାଦନ ୫ହଜାର କିଲୋ ଟପିପାରୁ ନାହିଁ । ୨୦୨୧-୨୨ ବର୍ଷରେ ବୋର୍ଡ ମାତ୍ର ୪୫୪୨ କିଲୋ ମହୁ ଉତ୍ପାଦନ କରିଥିଲା । ତେବେ ରାଜ୍ୟରେ ଏବେ ସ୍ଫୁର୍ତ୍ତି ଯୋଜନାରେ ମହୁ ପ୍ରକ୍ରିୟାକରଣ କେନ୍ଦ୍ର ସ୍ଥାପନ ହୋଇଥିବାରୁ ଚାଷୀଙ୍କ ପାଇଁ ଅଧିକ ଲାଭ ପାଇବାର ସୁଯୋଗ ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ ଚାଷୀ କିଭଳି ସହଜରେ ମହୁ ବାକ୍ସ ଓ ମାଛି ପାଇବେ ଏବେ ଉତ୍ପାଦିତ ମହୁ ଓ ୱାକ୍ସକୁ ସହଜରେ ବିକ୍ରି କରିପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ମତପ୍ରକାଶ ପାଉଛି । (ତଥ୍ୟ)