ଭୁବନେଶ୍ୱର : ମହୁଚାଷ ପାଇଁ ଓଡିଶାରେ ଆବଶ୍ୟକ ଅନୁଯାୟୀ ମହୁମାଛି ମିଳୁନାଥିବାରୁ ରାଜ୍ୟର ଚାଷୀମାନେ ମହୁମାଛି ପାଇଁ ପଡେଶୀ ଛତିଶଗଡ ଓ ଝାଡଖଣ୍ଡ ଉପରେ ନିର୍ଭରଶୀଳ । ରାଜ୍ୟରେ ମହୁମାଛି ନର୍ସରୀ କିମ୍ବା ରାଣୀ ମହୁମାଛି ପ୍ରଜନନ କେନ୍ଦ୍ର ନଥିବାରୁ ଏବେ ଏଭଳି ଅବସ୍ଥା ସୃଷ୍ଟି ହୋଇଛି ।
ଲାଭଜନକ ମହୁଚାଷ ପାଇଁ ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କୁ ଉତ୍ସାହିତ କରିବା ସହିତ ସବ୍ସିଡ୍ ଯୋଗାଇ ଦେଉଛନ୍ତି । କମ୍ ସ୍ଥାନ ଓ ଅଳ୍ପ ପରିଶ୍ରମରେ ଅନ୍ୟ ଚାଷ ସହିତ ମିଳିତ ଭାବେ ଲାଭଜନକ ମହୁଚାଷ ହୋଇପାରୁଥିବାରୁ ଲୋକେ ବି ଏଥିପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି । ଖଦି ବୋର୍ଡ, ଜଙ୍ଗଲ ବିଭାଗ, ଉଦ୍ୟାନକୃଷି ନିର୍ଦ୍ଦେଶାଳୟ ଓ ବେସରକାରୀ ସଂସ୍ଥା ପକ୍ଷରୁ ମହୁଚାଷ ପାଇଁ ବୈଷୟିକ ସହାୟତା ଓ ଆନୁଷଙ୍ଗିକ ସାଜ ସରଞ୍ଜାମ ଯୋଗାଯାଉଛି ।
ହେଲେ ରାଜ୍ୟରେ ଏବେ ମହୁମାଛି ମିଳୁନାହାନ୍ତି । ବିଶେଷକରି ଓଡିଶାର ଜଳବାୟୁରେ ଭଲ ମହୁ ସଂଗ୍ରହ କରୁଥିବା ସପ୍ତଫେଣୀ ମହୁମାଛିର ଅଭାବ ଦେଖା ଦେଇଛି । ଫଳରେ ଯେଉଁମାନେ ମହୁବାକ୍ସ ସଂଗ୍ରହ କରିଛନ୍ତି ସେମାନେ ମାଛି ନପାଇ ହତାଶ ହେଉଥିବା କହିଛନ୍ତି ରାଜ୍ୟରେ ମହୁଚାଷ ପାଇଁ ବୈଷୟିକ ସହାୟତା ଯୋଗାଇବା ସହିତ ମହୁ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜେଆରପିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ମନୋରଞ୍ଜନ ମିଶ୍ର ।
ଓଡିଶାର ମହୁଚାଷୀମାନେ ଏବେ ମାଛି ପାଇଁ ପଡୋଶୀ ଛତିଶଗଡ ଓ ଝାଡଖଣ୍ଡ ଉପରେ ନିର୍ଭର କରୁଛନ୍ତି । କାରଣ ସେଠାରେ ମହୁମାଛି ନର୍ସରୀ ସହିତ ରାଣୀ ମହୁମାଛି ପ୍ରଜନନ କେନ୍ଦ୍ରମାନ ରହିଛି । ସେଠାକାର ରାଜ୍ୟ ସରକାର ମହୁମାଛି ପାଳନ ସହିତ ନର୍ସରୀ ଓ ରାଣୀ ମହୁମାଛି ପ୍ରଜନନକୁ ମଧ୍ୟ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି ।
ଓଡିଶାରେ ମହୁମାଛି ଚାହିଦାକୁ ଦେଖି ସେଠାକାର ବ୍ୟବସାୟୀମାନେ ଏବେ ମହୁମାଛି ଦଳ ର ଦାମ୍ ପ୍ରାୟ ଦୁଇଗୁଣା କରିଦେଇଛନ୍ତି । ପୂର୍ବରୁ ଗୋଟିଏ ମାଛି ଦଳ ୮୦୦ ରୁ ୧୦୦୦ ଟଙ୍କାରେ ମିଳୁଥିବାବେଳେ ବର୍ତ୍ତମାନ ୧୨୦୦ ରୁ ୧୬୦୦ ଟଙ୍କା ଦେବାକୁ ପଡୁଛି । ଅର୍ଥ ଦେଲେ ମଧ୍ୟ ମାଛି ମିଳିବା କଷ୍ଟକର ହୋଇପଡୁଛି । ଏପରିକି କେତେକ କ୍ଷେତ୍ରରେ ମହୁମାଛି ବ୍ୟବସାୟୀମାନେ ଅଗ୍ରୀମ ଅର୍ଥ ପଇଠ କରିବାକୁ କହୁଛନ୍ତି ।
ତେଣୁ ଓଡିଶା ସରକାର ମହୁ ଉତ୍ପାଦନ ସହିତ ମାଛି ପାଳନ ନର୍ସରୀ ଓ ରାଣୀ ମହୁମାଛି ପ୍ରଜନନ ଉପରେ ଗୁରୁତ୍ୱ ଦେବାକୁ ମତପ୍ରକାଶ ପାଉଛି । ଏହା ନହେଲେ ଯେତେ ପ୍ରୋତ୍ସାହନ ଦେଲେ ବି ରାଜ୍ୟରେ ମହୁ ଉତ୍ପାଦନ ବଢାଇବା ସମ୍ଭବପର ହେବନାହିଁ । ତେଣୁ ଜଙ୍ଗଲ, ଉଦ୍ୟାନ କୃଷି ଓ ଖଦି ବୋର୍ଡ ମଧ୍ୟରେ ସମନ୍ୱୟ ରକ୍ଷାକରି କିଭଳି ମହୁଚାଷୀଙ୍କୁ ଚାହିଦା ମୁତାବକ ମାଛି ଯୋଗାଯାଇ ପାରିବ ସେ ଦିଗରେ ପଦକ୍ଷେପ ନେବାକୁ ବିଶେଷଜ୍ଞମାନେ ମତ ଦେଉଛନ୍ତି ।