Home General ମିଳୁଥିବା କିରୋସିନି ଉଠାଣ ହେଉନି

ମିଳୁଥିବା କିରୋସିନି ଉଠାଣ ହେଉନି

ଭୁବନେଶ୍ୱର : କେନ୍ଦ୍ର ସରକାର ଓଡିଶାକୁ ଯେତିକି ପରିମାଣର କିରୋସିନି ଯୋଗାଇ ଦେଉଛନ୍ତି ସେଥି ମଧ୍ୟରୁ କେତେକ ଜିଲ୍ଲାରେ ଅଧା କିରୋସିନି ବି ଉଠାଣ ହୋଇପାରୁ ନାହିଁ । ତେବେ ରାଜ୍ୟ ସରକାର ମିଳୁଥିବା କିରୋସିନିରୁ ହାରାହାରି ୬୬ ପ୍ରତିଶତରୁ ଅଧିକ ଉଠାଣ ହେଉନଥିବା ଜଣାଯାଇଛି ।

କେନ୍ଦ୍ର ସରକାର ରାଜ୍ୟକୁ ତ୍ରୌମାସିକ ହିସାବରେ କିରୋସିନି ଯୋଗାଇ ଦେଇଥାନ୍ତି । ଚଳିତବର୍ଷ ଜାନୁଆରୀ ରୁ ମାର୍ଚ୍ଚ ମଧ୍ୟରେ ରାଜ୍ୟକୁ ୪୯୪୪ କିଲୋ ଲିଟର କିରୋସିନି ଯୋଗାଇ ଦିଆଯାଇଛି । ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‍ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ କାର୍ଡ ପିଛା ୩ ମାସିକୁ ୫୦୦ ମିଲିଲିଟର ହିସାବରେ କିରୋସିନି ଯୋଗାଇ ଦିଆଯାଉଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ ଚଳିତ ବର୍ଷ ପ୍ରଥମ ତିନି ମାସରେ କେନ୍ଦ୍ର ସରକାର ୪୯୪୪ କିଲୋ ଲିଟର କିରୋସିନି ଯୋଗାଇ ଦେଉଥିବାବେଳେ ରାଜ୍ୟରେ ଏଥିରୁ ମାତ୍ର ୧୧୧୬ କିଲୋ ଲିଟର କିରୋସିନି ଉଠାଣ ହୋଇଛି । ଢେଙ୍କାନାଳ, ଖୋରଧା, ବଲାଙ୍ଗିର, ବରଗଡ, ଦେବଗଡ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ସମ୍ବଲପୁର, ସୋନପୁର, ନୂଆପଡା ଓ ରାୟଗଡା ଜିଲ୍ଲାରେ ଆଦୌ କିରୋସିନି ଉଠାଣ ହୋଇନାହିଁ । ସର୍ବାଧିକ ୨୦୮ କିଲୋଲିଟର କିରୋସିନି ବାଲେଶ୍ୱର ଜିଲ୍ଲାରେ ଉଠିଥିବାବେଳେ କେନ୍ଦୁଝରରେ ୧୫୬ କିଲୋଲିଟର ଉଠାଣ ହୋଇଛି । ମୟୁରଭଞ୍ଜରେ ଏହି ପରିମାଣ ୧୩୨ କିଲୋଲିଟର ରହିଛି ।

ଏହି ସୂଚନା ଅନୁଯାୟୀ ୨୦୨୪ ଜୁଲାଇରୁ ସେପ୍ଟେମ୍ବର ମାସ ମଧ୍ୟରେ କେନ୍ଦ୍ର ସରକାର ଓଡିଶାକୁ ୪୯୪୪ କିଲୋଲିଟର କିରୋସିନି ମଞ୍ଜୁର କରିଥିବାବେଳେ ଓଡିଶାରେ ଉଠାଣ ହୋଇଥିଲା ମାତ୍ର ୧୬୪୪ କିଲୋଲଟିର । ଏହି ତିନିମାସରେ ୩୩୦୦ କିଲୋଲିଟର କିରୋସିନି ଉଠାଣ ହୋଇନଥିଲା ଯାହାର ପରିମାଣ ହାରାହାରି ୬୬.୭ ପ୍ରତିଶତ ଥିଲା । ସେହିଭଳି ଗତବର୍ଷ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଓଡିଶାକୁ ୫୦୪୦ କିଲୋଲିଟର କିରୋସିନି ମଞ୍ଜୁର ହୋଇଥିବାବେଳେ ଏଥିରୁ ୧୯୫୬ କିଲୋଲିଟର କିରୋସିନି ଉଠାଣ ହୋଇଥିଲା ।

ଗାଁ ଗହଳରେ ଲୋକେ ଆଉ ପୂର୍ବଭଳି କିରୋସିନି ଆବଶ୍ୟକ କରୁନଥିବାରୁ କଣ୍ଟ୍ରୋଲ ଡିଲରମାନେ ମଧ୍ୟ କିରୋସିନି ଉଠାଣ ପାଇଁ ରାଜି ହେଉନାହାନ୍ତି । କିରୋସିନି ସାଧାରଣତଃ ଆଲୋକ ପାଇଁ ବ୍ୟବହାର ହେଉଥିବାବେଳେ ବର୍ତ୍ତମାନ ସେହିସ୍ଥାନ ବ୍ୟାଟେରୀ ଓ ସୋଲାର ଲାଇଟ୍‍ ନେଇ ଯାଇଛି । ତେଣୁ ଲୋକେ ଡିବିରି, ଲଣ୍ଠନ ଜାଳିବାପାଇଁ ଆଉ କିରୋସିନି ଆବଶ୍ୟକ କରୁନାହାନ୍ତି । ଗାଡିମୋଟର କାମ ପାଇଁ ଯାହା କିରୋସିନି ଆବଶ୍ୟକ ହେଉଛି ତାହାର ପରିମାଣ ଢେର ନଗଣ୍ୟ ରହିଛି । ଏଥିପାଇଁ ରାଜ୍ୟକୁ ମଞ୍ଜୁର ହେଉଥିବା ସମସ୍ତ କିରୋସିନି ଉଠାଣ ହୋଇପାରୁନଥିବା କୁହାଯାଉଛି । (ତଥ୍ୟ)