Home Agriculture ମିଳିବନି ବିହନ ପ୍ରୋତ୍ସାହନ ରାଶି

ମିଳିବନି ବିହନ ପ୍ରୋତ୍ସାହନ ରାଶି

ଭୁବନେଶ୍ୱର : ଅଧିକ ଅମଳକ୍ଷମ ନୂଆ କିସମର ଧାନ ବିହନ ଉତ୍ପାଦନ କରୁଥିବା ଚାଷୀଙ୍କୁ କେନ୍ଦ୍ରରୁ ମିଳୁଥିବା ପ୍ରୋତ୍ସାହନ ରାଶି ବନ୍ଦ ହେବାର ସମ୍ଭାବନା ଉପୁଜିଛି । ଏହି ଚାଷୀମାନଙ୍କୁ ପ୍ରୋତ୍ସାହନ ଯୋଗାଇଦେବାର ପ୍ରସ୍ତାବ ରାଜ୍ୟ ସରକାରଙ୍କର ସକ୍ରିୟ ବିଚାରାଧିନ ରହିଛି ।

ରାଜ୍ୟରେ ପାରମ୍ପରିକ ଧାନ ବିହନ ବଦଳରେ ନୂତନ କିସମର ଅଧିକ ଅମଳକ୍ଷମ ଧାନ ବିହନ ଚାଷ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେବା ସହିତ ଏହି ବିହନ ଉତ୍ପାଦନ କରୁଥିବା ବିହନ ଚାଷୀଙ୍କୁ କୁଇଣ୍ଟାଲ ପ୍ରତି ୨ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଯୋଗାଇ ଦେଉଥିଲେ । ଏହି ଅର୍ଥରୁ ଓଡିଶା ରାଜ୍ୟ ବିହନ ନିଗମ ୫୦୦ ଟଙ୍କା ପାଉଥିବାବେଳେ ଚାଷୀ ୧୫୦୦ ଟଙ୍କା ପାଉଥିଲା । ୨୦୧୪-୧୫ ବର୍ଷରୁ କେନ୍ଦ୍ର ସରକାର ‘ବ୍ରିଙ୍ଗ୍‍ ଗ୍ରିନ୍‍ ରିଭୋଲ୍ୟୁସନ ଇନ୍‍ ଇଷ୍ଟର୍ଣ୍ଣ ଇଣ୍ଡିଆ (ବିଜିଆରଇଆଇ)’ ଯୋଜନାରେ ପ୍ରୋତ୍ସାହନ ରାଶି ଯୋଗାଇ ଦେଉଥିଲେ ।

ଚଳିତ ବର୍ଷ ଠାରୁ କେନ୍ଦ୍ର ସରକାରଙ୍କ ଏହି ଯୋଜନାଟି ବନ୍ଦ ହୋଇ ଯାଇଛି । ତେଣୁ ଧାନ ବିହନ ଉତ୍ପାଦନ କରୁଥିବା ଚାଷୀଙ୍କୁ ଆଉ ନୂତନ ଅମଳକ୍ଷମ ବିହନ ପାଇଁ କେନ୍ଦ୍ରରୁ ପ୍ରୋତ୍ସାହନ ରାଶି ମିଳିବାର ସମ୍ଭାବନା କ୍ଷୀଣ । ତେବେ ନୂଆ କିସମ ବିହନ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବାରୁ ଚାଷୀଙ୍କୁ ପ୍ରୋତ୍ସାହନ ରାଶି ନିଜସ୍ୱ ପାଣ୍ଠିରୁ ଯୋଗାଇ ଦେବାର ପ୍ରସ୍ତାବ ବିଚାରାଧିନ ଥିବା ସୂଚନା ମିଳିଛି ।

ଉଲ୍ଲେଖନୀୟ ଯେ ଓଡିଶାର ଧାନ ଚାଷୀମାନେ ଦଶନ୍ଧି ଦଶନ୍ଧି ଧରି ଗୋଟିଏ ଗୋଟିଏ କିସମର ଧାନ ଚାଷ କରୁଛନ୍ତି । ଏଥି ମଧ୍ୟରେ ଲଲାଟ, ପୂଜା, ସ୍ୱର୍ଣ୍ଣ, ୧୦୦୯ ଓ ୧୦୧୮ ଭଳି କିସମ ରହିଛି । ଗୋଟିଏ ସ୍ଥାନରେ ଏକାଧିକ ବର୍ଷ ଧରି ଚାଷ ହେବାଫଳରେ ଏହି ବିହନର ରୋଗପ୍ରତିରୋଧ ଶକ୍ତି ହ୍ରାସ ପାଇବା ସହିତ ଅମଳ ମଧ୍ୟ କମିଯାଉଛି । ତେଣୁ ପୁରୁଣା ବିହନ ବଦଳରେ ଚାଷୀଙ୍କ ନିକଟରେ ନୂତନ କିସମର ଅମଳକ୍ଷମ ବିହନ ଯୋଗାଣ ପାଇଁ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଥିଲେ ।

ବିହନ ଚାଷୀମାନେ କିଭଳି ଏହି ନୂତନ କିସମର ବିହନ ଉତ୍ପାଦନ କରିବେ ସେଥିପାଇଁ ସେମାନଙ୍କୁ ପ୍ରୋତ୍ସାହନ ରାଶି ଯୋଗାଯାଉଥିଲା । କୁଇଣ୍ଟାଲ ପିଛା ୫୦୦ ଟଙ୍କାରୁ ଆରମ୍ଭ ହୋଇଥିବା ଏହି ରାଶି ୨ହଜାର ଟଙ୍କାରେ ପହଞ୍ଚିଥିଲା । ତେବେ କେନ୍ଦ୍ର ସରକାର ତାଙ୍କର ବିଜିଆରଇଆଇ ଯୋଜନାକୁ ବନ୍ଦ କରିଦେବା ଫଳରେ ଏହା ଜରିଆରେ ମିଳୁଥିବା ପ୍ରୋତ୍ସାହନ ରାଶି ମଧ୍ୟ ବନ୍ଦ ହୋଇପାରେ ।

ଏହା ଫଳରେ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ରାଜ୍ୟ ଓଡିଶାରେ ବାତ୍ୟା, ବନ୍ୟା ଓ ମରୁଡି ସହନଶୀଳ ଧାନ ବିହନ ଉତ୍ପାଦନ ଓ ବ୍ୟବହାର ବାଧାପ୍ରାପ୍ତ ହେବାର ଆଶଙ୍କା ଉପୁଜିଛି । ସେହିଭଳି ଲୁଣାଜଳ ସହି ପାରୁଥିବା ଧାନ ବିହନ ଉତ୍ପାଦନ ମଧ୍ୟ ବାଧାପ୍ରାପ୍ତ ହେବ ବୋଲି ଚାଷୀମାନେ ମତ ଦେଉଛନ୍ତି । ଇତି ମଧ୍ୟରେ ଗତବର୍ଷ କେନ୍ଦ୍ରରୁ ମିଳିଥିବା ଏ ବାବଦୀୟ ପ୍ରୋତ୍ସାହନ ରାଶି ବର୍ତ୍ତମାନ ସୁଦ୍ଧା ବିହନ ଚାଷୀମାନେ ପାଇପାରି ନାହାନ୍ତି । ତେବେ କେତେକ ବୈଷୟିକ କାରଣ ଯୋଗୁଁ ଏଥିରେ ବିଳମ୍ବ ଉପୁଜିଥିବାବେଳେ ଖୁବ୍‍ଶୀଘ୍ର ଚାଷୀମାନେ ଏହା ପାଇବେ ବୋଲି ସୂଚନା ମିଳିଛି । (ତଥ୍ୟ)