Home Finance ମିଳିନପାରେ ଖୋଲା ବଜାର ଋଣ

ମିଳିନପାରେ ଖୋଲା ବଜାର ଋଣ

ଭୁବନେଶ୍ୱର : ଗୋଟିଏ ପରେ ଗୋଟିଏ ରାଜ୍ୟ ଖୋଲା ବଜାରରୁ ଅଧିକ ଋଣ ପାଇବାପାଇଁ ଗୋଟିଏ ଦେଶ ଗୋଟିଏ ରାଶନ କାର୍ଡ ଯୋଜନାରେ ସାମିଲ ହେଉଥିବାବେଳେ ଓଡିଶା ଏହି ସୁବିଧା ପାଇବାରୁ ବଞ୍ଚିତ ହେବ । କାରଣ ଏହି ସଂସ୍କାର ବ୍ୟବସ୍ଥାକୁ ଆପଣେଇବାପାଇଁ ଅଦ୍ୟାବଧି ପଦକ୍ଷେପ ନିଆଯାଇ ନାହିଁ ।

ବର୍ତ୍ତମାନ ସୁଦ୍ଧା ୧୧ଟି ରାଜ୍ୟ ଏକ ଦେଶ ଏକ ରାସନକାର୍ଡ ଯୋଜନାକୁ କାର୍ଯ୍ୟକାରୀ କରି ପ୍ରାୟ ୩୦ହଜାର କୋଟି ଟଙ୍କାର ଅତିରିକ୍ତ ଋଣ ସଂଗ୍ରହ ପାଇଁ ସକ୍ଷମ ହୋଇପାରିଛନ୍ତି । କରୋନା ମହାମାରୀ ସମୟରେ ଆର୍ଥିକ ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ଯୋଗୁଁ ରାଜ୍ୟମାନେ ଅଧିକରୁ ଅଧିକ ସହଜ କିସ୍ତିରେ ଖୋଲା ବଜାରରୁ ଋଣ ଉଠାଇବାପାଇଁ କେନ୍ଦ୍ର ସରକାର ଯେଉଁ ଚାରିଟି ସଂସ୍କାର ବ୍ୟବସ୍ଥାର ସର୍ତ୍ତ ରଖିଛନ୍ତି ତାହାକୁ କାର୍ଯ୍ୟକାରୀ କରାଇଥିଲେ ଓଡିଶା ସରକାର ଅତିରିକ୍ତ ଭାବେ ପ୍ରାୟ ଋଣ ଖୋଲା ବଜାରରୁ ଉଠାଇ ପାରିଥାନ୍ତେ ।

ଏହି ସମୟରେ କେନ୍ଦ୍ରରୁ ଅନୁଦାନ ଏବଂ ରାଜ୍ୟ ପାଇବାକୁ ଥିବା ଅଂଶଧନ ଦ୍ରୁତ ବେଗରେ ହ୍ରାସ ପାଉଥିବାବେଳେ ବଜେଟ୍‍ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାପାଇଁ ଯେତିକି ଅର୍ଥ ଆବଶ୍ୟକ ତାହା ମିଳୁନାହିଁ । ତେଣୁ ଏକ ଦେଶ ଏକ ରାସନ କାର୍ଡ ଯୋଜନାକୁ କାର୍ଯ୍ୟକାରୀ କରାଇଥିଲେ ଓଡିଶା ଅନ୍ତତଃ ପକ୍ଷେ ଅଢେଇ ହଜାର କୋଟିରୁ ଅଧିକ ଟଙ୍କା ଖୋଲା ବଜାରରୁ ଆଣିପାରିଥାନ୍ତେ । କାରଣ ପଡୋଶୀ ଆନ୍ଧ୍ର୍ରପ୍ରଦେଶ ଓ ତେଲେଙ୍ଗାନା ଉଭୟ ରାଜ୍ୟ ଏହି ଯୋଜନାକୁ କାର୍ଯ୍ୟକାରୀ କରାଇ ୫୦୦୦ କୋଟିରୁ ଅଧିକ ଋଣ ଖୋଲାବଜାରରୁ ଉଠାଇ ସାରିଛନ୍ତି ।

ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଯାଇ ତାମିଲନାଡୁ ଓ କର୍ଣ୍ଣାଟକ ସବୁଠାରୁ ବେଶି ୪୫୦୦ କୋଟି ଲେଖାଁଏ ଟଙ୍କା ଖୋଲା ବଜାରରୁ ଉଠାଇଛନ୍ତି । ଏହା କାର୍ଯ୍ୟକାରୀ କରାଇଥିଲେ ଓଡିଶାର ଶ୍ରମିକମାନେ ଦେଶର ଯେଉଁଠାରେ କାମକଲେ ବି ସେଠାରେ ସେମାନଙ୍କର ପରିବାର ମାସିକ ରାସନ ପାଇପାରିଥାନ୍ତେ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ପ୍ରାୟ ୨୫ଲକ୍ଷ ଓଡିଆ ରାଜ୍ୟ ବାହାରେ ଖଟୁଛନ୍ତି । କେନ୍ଦ୍ର ସରକାର ଏହି ପ୍ରବାସୀ ଶ୍ରମିକମାନଙ୍କୁ କରୋନା ମହାମାରୀ କାଳରେ ଏହି ସୁବିଧା ଦେବାପାଇଁ ଯେଉଁ ଯୋଜନା କରିଥିଲେ ଗୋଟିଏ ପରେ ଗୋଟିଏ ରାଜ୍ୟ ତାହାକୁ ଆପଣାଉଛନ୍ତି ।

କେନ୍ଦ୍ର ସରକାର ଯେଉଁ ୪ଟି ସଂସ୍କାର ସର୍ତ୍ତ ରଖିଥିଲେ ଓଡିଶା କେବଳ ବ୍ୟବସାୟରେ ସହଜ ବ୍ୟବସ୍ଥା କାର୍ଯ୍ୟକାରୀ କରି ସାମାନ୍ୟ ଲାଭାନ୍ୱିତ ହୋଇଛନ୍ତି । ଅଥଚ ଅନ୍ୟ ତିନିଟି ସଂସ୍କାର ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ପଦକ୍ଷେପ ନେବାକୁ ଆଗ୍ରହ ପ୍ରକାଶ ଲକ୍ଷ୍ୟ କରାଯାଉ ନାହିଁ ।