Home Agriculture ମିଲେଟ୍‌ ମିଶନକୁ ତାମିଲନାଡ଼ୁ ପ୍ରତିନିଧିଙ୍କ ପ୍ରଶଂସା

ମିଲେଟ୍‌ ମିଶନକୁ ତାମିଲନାଡ଼ୁ ପ୍ରତିନିଧିଙ୍କ ପ୍ରଶଂସା

ଭୁବନେଶ୍ୱର : ତାମିଲନାଡ଼ୁ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବ ଡ. ପି. ଅମୁଧାଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଆଜି କୃଷି ଭବନ ଆସି ମାଣ୍ଡିଆ ଚାଷ ନିମନ୍ତେ ସହଭାଗିତାର ସମ୍ଭାବନା ସହିତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ମାଧ୍ୟମରେ ବିଭିନ୍ନ ଯୋଜନାର ସଫଳ ରୂପାୟନ ସଂପର୍କରେ ଅନୁଧ୍ୟାନ କରିଥିଲେ ।
ଏହି ପ୍ରତିନିଧି ମଣ୍ଡଳୀ କୃଷି ଭବନଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ଓଡ଼ିଶା ଜୀବିକା ମିଶନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶ୍ରୀ ମାନସୀ ନିମ୍ଭାଲଙ୍କ ସମେତ ମିଶନ ଶକ୍ତି ବିଭାଗ ଓ ଓଡ଼ିଶା ମିଲେଟ୍‌ ମିଶନର ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ।

ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ ଓଡ଼ିଶା ମିଲେଟ୍‌ ମିଶନ ଦ୍ୱାରା ମିଲେଟ୍‌ର ପ୍ରସାର ଓ ପ୍ରଚାର ଦିଗରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିବା ସହିତ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟକୁ ଲୋକମାନଙ୍କର ଖାଦ୍ୟ ତାଲିକାରେ ସାମିଲ କରିବା ଓ ଗ୍ରାମାଞ୍ଚଳରେ ଏହାର ବହୁଳ ବ୍ୟବହାର ସଂପର୍କରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ କହିଥିଲେ ।

ମୃତ୍ତିକା ଓ ଜଳବାୟୁ ଅନୁକୂଳ ସ୍ଥାନୀୟ କିସମର ମାଣ୍ଡିଆ ଚାଷ ଓ ପାରମ୍ପରିକ ମାଣ୍ଡିଆ ଖାଦ୍ୟର ସଫଳ ପ୍ରସାରପ୍ରଚାର ଦିଗରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କର ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ସଂପର୍କରେ କହିଥିଲେ । ଓଡ଼ିଶା ମିଲେଟ୍‌ ମିଶନର ସଫଳତା ଦିଗରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, କୃଷକ ଉତ୍ପାଦକ ଗୋଷ୍ଠୀ, ସେ୍ୱଚ୍ଛାସେବୀ ଅନୁଷ୍ଠାନ ଏବଂ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ମହତ୍ତ୍ୱପୂର୍ଣ୍ଣ ଭାଗୀଦାରିତା କଥା ଡ. ପାଢ଼ୀ ଉଲ୍ଲେଖ କରିଥିଲେ ।

ବିଭାଗ ଭାଗୀଦାରିତା ଭିତ୍ତିରେ ସ୍ଥାନୀୟ କିସମର ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରୁଥିବା ପରିପ୍ରେକ୍ଷୀରେ ପ୍ରାକୃତିକ ପରିବେଶରେ ଅନେକ ସ୍ଥାନୀୟ କିସମର ମାଣ୍ଡିଆ ଉତ୍ପାଦନରେ ଉତ୍କର୍ଷ ପ୍ରତିପାଦନ କରିଛି । କେତେକ କ୍ଷେତ୍ରରେ ପାରମ୍ପରିକ ମାଣ୍ଡିଆଠାରୁ ଭଲ ଉତ୍ପାଦନ ହୋଇଛି ।

ଏଥି ସହିତ ସାଧାରଣ ବଣ୍ଟନ ବ୍ୟବସ୍ଥା ସମେତ କେନ୍ଦୁଝର ଓ ସୁନ୍ଦରଗଡ଼ ଆଦି ଜିଲ୍ଲା ଖଣିଜ ପାଣ୍ଠି ଅଞ୍ଚଳରେ ଆଇସିଡିଏସ୍‌ ଏକ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନରେ ମାଣ୍ଡିଆକୁ ଅନ୍ତର୍ଭୁକ୍ତ କରାଯାଇଛି । ଅଣରାଗି କ୍ଷୁଦ୍ରଶସ୍ୟ ଲିଟିଲ ମିଲେଟ୍‌ (ସୁଆଁ) ଏବଂ ଫକ୍ସଟେଲ୍‌ ମିଲେଟ୍‌ (କାଙ୍ଗୁ) ନିମନ୍ତେ ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର ହୋଇନଥିବା ଦୃଷ୍ଟିରୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ସହାୟତାରେ ଏହିସବୁ ମିଲେଟ୍‌ ନିମନ୍ତେ ଏକ ବେଞ୍ଚମାର୍କ ମୂଲ୍ୟ ନିର୍ଦ୍ଧାରଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଡ. ପାଢ଼ୀ କହିଥିଲେ ।

କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ସୂଚନା ପ୍ରଦାନ କରି କହିଥିଲେ ଯେ ଓଡ଼ିଶା ମିଲେଟ୍‌ ମିଶନ ଦ୍ୱାରା ପ୍ରଥମେ ରାଜ୍ୟର ୭ଟି ଜିଲ୍ଲାର ୩୦ଟି ବ୍ଲକ୍‌ରେ ମାଣ୍ଡିଆ ଚାଷର ଆରମ୍ଭ କରାଯାଇଥିଲା । ଏହା ବର୍ତ୍ତମାନ ରାଜ୍ୟର ୩୦ଟି ଜିଲ୍ଲାର ୧୭୭ଟି ବ୍ଲକ୍‌କୁ ସଂପ୍ରସାରିତ କରାଯାଇଛି । ବିଗତ ୫ ବର୍ଷ ମଧ୍ୟରେ ମାଣ୍ଡିଆର ହାରାହାରି ଉତ୍ପାଦନ ପ୍ରାୟ ଦ୍ୱିଗୁଣ ହୋଇପାରିଛି ଏବଂ ଉତ୍ପାଦିତ ମିଲେଟ୍‌ର ମୂଲ୍ୟ ତିନିଗୁଣ ହୋଇଛି ।

ମିଲେଟ୍‌ ସର୍ଭିସ ସେଣ୍ଟର ମାଧ୍ୟମରେ ମିଲେଟ୍‌ର ବିହନଠାରୁ ଆରମ୍ଭ କରି ମିଲେଟର ପ୍ୟାକେଜିଂ ଆଦି ଉପରେ ଓଡ଼ିଶା ମିଲେଟ୍‌ ମିଶନ ଗୁରୁତ୍ୱାରୋପ କରୁଛି । ବ୍ଲକ୍‌ ସ୍ତରରେ ଏହା କୃଷକ ଉତ୍ପାଦକ ଗୋଷ୍ଠୀ ଏବଂ ମିହଳା ସ୍ୱୟଂ ସହାୟିକା ଗୋଷ୍ଠୀ ଫେଡେରେସନ୍‌ ଦ୍ୱାରା ପରିଚାଳିତ କରାଯିବ । ରାଜ୍ୟ ସରକାର ଆଗାମୀ ୫ ବର୍ଷ ନିମନ୍ତେ ଓଡ଼ିଶା ମିଲେଟ୍‌ ମିଶନ ନିମନ୍ତେ ପ୍ରାୟ ୨୮୦୮ ଟଙ୍କା ବ୍ୟୟବରାଦ କରିଛନ୍ତି ବୋଲି ଶ୍ରୀ ଚୌଧାରୀ କହିଥିଲେ ।

ଆଲୋଚନାବେଳେ ଓଡ଼ିଶା ଜୀବିକା ମିଶନର କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶ୍ରୀ ମାନସୀ ନିମ୍ଭାଲ କହିଲେ ଯେ ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାଣ୍ଡିଆ ପ୍ରକ୍ରିୟାକରଣ ଓ ଏହାକୁ ମୂଲ୍ୟଯୁକ୍ତ କରି ସର୍ବସାଧାରଣରେ ଏହାର ଆଦୃତି ଦିଗରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।

ତୃଣମୂଳ ସ୍ତରରେ ଟିଫିନ ସେଣ୍ଟର ଏବଂ ମାଣ୍ଡିଆ ବିଶୁଦ୍ଧିକରଣ ପରି ଉଦ୍ୟୋଗ ପ୍ରତିଷ୍ଠା ଦ୍ୱାରା ମାଣ୍ଡିଆକୁ ଘରେ ଘରେ ଆହରଣ ନିମନ୍ତେ ପଦକ୍ଷେପ ନିଆଯାଇଛି । ୨୦୧୮ ମସିହାରେ ଓଡ଼ିଶା ମିଲେଟ୍‌ ମିଶନ ଦ୍ୱାରା ଚାଷୀମାନଙ୍କଠାରୁ ମାଣ୍ଡିଆ ସଂଗ୍ରହ ଓ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବଣ୍ଟନ କାର୍ଯ୍ୟ କରାଯାଇଛି । ଅଧିକ ଚାହିଦା ଯୋଗୁଁ ଟିଡ଼ିସିସିଓଏଲ୍‌ ସଂପ୍ରତି ଅଣରାଗି ମିଲେଟ୍‌ ଯଥା ଲିଟିଲ୍‌ ମିଲେଟ୍‌ ଓ ଫ୍ଲକ୍ସଟେଲ୍‌ ମିଲେଟ୍‌ ଆଦି ସଂଗ୍ରହ କରିବା ପାଇଁ ଯୋଜନା କରୁଛି ବୋଲି ସୁଶ୍ରୀ ନିମ୍ଭାଲ କହିଥିଲେ ।

ତାମିଲନାଡ଼ୁ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବ ଡ. ପି. ଆମୁଧା ଓଡ଼ିଶା ମିଲେଟ୍‌ ମିଶନ ମଡେଲର ଉଚ୍ଚ ପ୍ରଶଂସା କରିବା ସହିତ ତାମିଲନାଡ଼ୁ ନିମନ୍ତେ ଏହା ଶିକ୍ଷଣୀୟ ବୋଲି ମତ ଦେଇଥିଲେ । ତାମିଲନାଡ଼ୁ ସରକାରଙ୍କ ଏକ ବୈଷୟିକ ଦଳ ଓଡ଼ିଶା ଆସି ମଡେଲ୍‌ ସଂପର୍କରେ ବିସ୍ତୃତ ଭାବେ ଅନୁଧ୍ୟାନ କରବେ ବୋଲି ସେ ପ୍ରସ୍ତାବ ଦେଇଥିଲେ । ଏଥି ସହିତ ଅଣରାଗି ମିଲେଟ(ଲିଟିଲ୍‌ ମିଲେଟ୍‌ ଓ ବର୍ଣ୍ଣିୟାଡ୍‌ ମିଲେଟ୍‌ )ର ପ୍ରସାର ନିମନ୍ତେ ଓଡ଼ିଶାକୁ ଉନ୍ନତ ମାନର ବିହନ ଯୋଗାଣ ନିମନ୍ତେ ସହାୟତା କରିବ ବୋଲି କହିଥିଲେ ।

ଉନ୍ନତ ବିହନ ଯୋଗାଣ କ୍ଷେତ୍ରରେ ତାମିଲନାଡ଼ୁ ସହିତ ସହଯୋଗ ପ୍ରସ୍ତାବରେ ଡ. ପାଢ଼ୀ ସମ୍ମତି ପ୍ରକାଶ କରିବା ସହିତ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଏକ ବୈଷୟିକ ଦଳ ତାମିଲନାଡ଼ୁ ଗସ୍ତ କରିବ ବୋଲି କହିଥିଲେ । ଏହି ଅବସରରେ ଡ. ପାଢ଼ୀ ପ୍ରତିନିଧିମାନଙ୍କୁ ମିଲେଟ୍‌ ପ୍ରସ୍ତୁତ ଉପହାର ସାମଗ୍ରୀ, କଫି ଟେବୁଲ୍‌ ବୁକ୍‌ ଏବଂ ମିଲେଟ୍‌ କ୍ୟାଲେଣ୍ଡର ପ୍ରଦାନ କରିଥିଲେ ।

ଆଲୋଚନା ପରେ ପ୍ରତିନିଧି ମଣ୍ଡଳୀ କୃଷି ଭବନ ପରିସରରେ ମିଲେଟ୍‌ ଶକ୍ତି ଆଉଟ୍‌ଲେଟ୍‌ ବୁଲି ଦେଖିବା ସହିତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କ ସହ ମିଲେଟ୍‌ରୁ ପ୍ରସ୍ତୁତ ଖାଦ୍ୟ ସଂପର୍କରେ ପଚାରି ବୁଝିଥିଲେ । ମିଲେଟ୍‌ର ପ୍ରଚାରପ୍ରସାର ଦିଗରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ଉଦ୍ୟମକୁ ପ୍ରତିନିଧି ମଣ୍ଡଳୀ ଉଚ୍ଚ ପ୍ରଶଂସା କରିଥିଲେ ।