Home Energy ମିନିରତ୍ନ କମ୍ପାନୀ ପ୍ରତିନିଧିଙ୍କ ସହ ବୈଠକ

ମିନିରତ୍ନ କମ୍ପାନୀ ପ୍ରତିନିଧିଙ୍କ ସହ ବୈଠକ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ମିନିରତ୍ନ କମ୍ପାନୀ ୱାପ୍‌କୋସ୍‌ର ପ୍ରତିନିଧି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ବୈଠକ କରିଛନ୍ତି । ଏହି ବୈଠକରେ ଶକ୍ତି, ଜଳସେଚନ ଓ ଭିତ୍ତିଭୂମି ବିକାଶ ନେଇ ଆଲୋଚନା କରିଥିଲେ ।

ୱାପ୍‌କୋସ୍‌ ଆଗରୁ ଓଡ଼ିଶାରେ ବିଭିନ୍ନ ପ୍ରକଳ୍ପ କରି ସାରିଛି । ସେଥିରେ ରେଙ୍ଗାଲି ଜଳସେଚନ ପ୍ରକଳ୍ପ, ଗଙ୍ଗାଧର ମେହେର ଉଠାଜଳସେଚନ, ଚିପିଲିମା ପାୱାର ଚାନେଲ୍‌ ଇତ୍ୟାଦି ଅନ୍ୟତମ ।

ଚିପିଲିମା ପାୱାର ଚାନେଲ୍‌ର କିଛି ଅଂଶ ମରାମତି ଆବଶ୍ୟକ କରୁଥିବାରୁ ଏହାର ଯାଞ୍ଚ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା । ଏଥି ସହ ଆଗାମୀ ପ୍ରକଳ୍ପଗୁଡ଼ିକ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ମଧ୍ୟ କରାଯାଇଥିଲା । ପ୍ରକଳ୍ପଗୁଡ଼ିକର ଖର୍ଚ୍ଚ, ଅବଧି ଓ ବିଶେଷତ୍ୱ ବିଷୟରେ ମନ୍ତ୍ରୀ ଶ୍ରୀ ସିଂହଦେଓ ପଚାରି ବୁଝିଥିଲେ । ବୈଠକରେ ହୋଇଥିବା ଆଲୋଚନା ଅଭିନବ ସମାଧାନ ଏବଂ ଅଗ୍ରଗାମୀ ଚିନ୍ତାଧାରା ଓଡ଼ିଶାର ଭିତ୍ତିଭୂମି ଏବଂ ବିକାଶ ପାଇଁ ବହୁତ ସମ୍ଭାବନା ସୃଷ୍ଟି କରିଛି ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ ।

ବୈଠକରେ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା ଏବଂ ଜଳସମ୍ପଦ ଓ ଶକ୍ତି ବିଭାଗର ବହୁ ପଦାଧିକାରୀ ଉପସ୍ଥିତ ଥିଲେ ।