ଭୁବନେଶ୍ୱର : ରାଜ୍ୟରେ ବିଜୁଳି ବଣ୍ଟନ ଦାୟିତ୍ୱରେ ଥିବା ଟାଟା ପାୱାର ନିଜ ସୁବିଧା ମୁତାବକ ବିଦ୍ୟୁତ୍ ମିଟର ବଦଳାଉଥିବାରୁ ହିତାଧିକାରୀମାନେ ଏବେ ନିୟମିତ ଭାବେ ମିଟରବାବଦୀୟ ଅର୍ଥ ଗଣିବାରେ ଲାଗିଛନ୍ତି । ମାସକୁ ମାସ ମିଟର ଭଡା ଆଦାୟ କରୁଥିବା ବିତରଣ କମ୍ପାନୀ ଏକକାଳୀନ ଭାବେ ମିଟର ବାବଦ ଦେୟ ନେବାକୁ ରାଜି ହେଉନାହାନ୍ତି ।
ବିଜୁଳି ବଣ୍ଟନ ଦାୟିତ୍ୱରେ ସରକାରୀ ସଂସ୍ଥା ସେସୁ ଥିବାବେଳେ ହିତାଧିକାରୀଙ୍କ ଘରେ ପରୀକ୍ଷିତ ମିଟର ଲଗାଇବା ସହ ଏ ବାବଦରେ ଅର୍ଥ ଆଦାୟ କରିଥିଲା । ସେହିସବୁ ମିଟର ମାନୁଆଲ ଥିବାବେଳେ ହିତାଧିକାରୀମାନେ ମାସକୁ ୨୦ଟଙ୍କା ହିସାବରେ ୫ବର୍ଷ ଅର୍ଥ ପଇଠ କରିଥିଲେ । ଏହାପରେ ମାନୁଆଲ ମିଟର ବଦଳରେ ଡିଜିଟାଲ ମିଟର ଲାଗିଲା । ବିଜୁଳି ବଣ୍ଟନ ଦାୟିତ୍ୱ ଟାଟା ପାୱାର ହାତକୁ ଯିବାପରେ କମ୍ପାନୀ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କଲା । ଯେଉଁମାନେ ୫ବର୍ଷ ଧରି ମିଟର ବାବଦରେ ଅର୍ଥ ଗଣିଥିଲେ ସେମାନେ ପୁଣିଥରେ ଡିଜିଟାଲ ମିଟର ବାବଦରେ ମାସକୁ ମାସ ଅର୍ଥ ଦେଲେ ।
ଏବେ ଟାଟା ପାୱାର କର୍ତ୍ତୃପକ୍ଷ ଡିଜିଟାଲ ମିଟର ବଦଳରେ ଲୋକଙ୍କ ଘରେ ସ୍ମାର୍ଟ ମିଟର ବସାଇବା ଆରମ୍ଭ କରିଛନ୍ତି । ଏହି ମିଟରରେ ସ୍ୱତନ୍ତ୍ର ଚିପ୍ ଲାଗିଛି । ଯାହା ଫଳରେ ମିଟର ରିଡିଂ ପାଇଁ ଲୋକେ ଆଉ ଗ୍ରାହକଙ୍କ ଘରକୁ ଆସିବେନାହିଁ । ପ୍ରତି ମାସରେ କେତେ ବିଲ୍ ହେଲା ତାହା ଗ୍ରାହକଙ୍କ ମୋବାଇଲ୍କୁ ମେସେଜ ଆକାରରେ ଯିବ । ଏହି ମିଟର ପାଇଁ ଏବେ ହିତାଧିକାରୀମାନେ ଏବେ ମାସକୁ ମାସ ୫୦ ଟଙ୍କା କରି ତଣ୍ଡ ଗଣିବେ ।
ଏଥି ସହିତ ମୋବାଇଲ୍ରେ ଆସୁଥିବା ମେସେଜ ପାଇଁ ଗ୍ରାହକମାନେ ଏବେ ନିୟମିତ ଭାବେ ନିଜ ନିଜ ମୋବାଇଲ୍କୁ ରିଚାର୍ଜ କରିବାକୁ ବାଧ୍ୟ ହେବେ । କାରଣ ଯଦି ମେସେଜ୍ ଦେଖି ବିଲ୍ ପଇଠ ନକଲେ ତେବେ ସେମାନଙ୍କର ଲାଇନ୍ କାଟିଦେବାର ଭୟ ରହିଛି । ପୂର୍ବରୁ ଯେଭଳି ମିଟର ରିଡିଂ ପରେ କାଗଜ ବିଲ୍ ଧରାଇ ଦିଆଯାଉଥିଲା ତାହା ଆଉ ହେବନାହିଁ । ଏ କାମରେ ନିୟୋଜିତ ବହୁ ବ୍ୟକ୍ତି ଜୀବିକା ହରାଇବାର ଆଶଙ୍କା ଉପୁଜିଲାଣି ।
ସେହିଭଳି ଗୋଟିଏ ପରେ ଗୋଟିଏ କିସମର ମିଟର ବସୁଥିବାବେଳେ ସେଥିପାଇଁ ହିତାଧିକାରୀମାନେ ଅର୍ଥ ଗଣିବା ଏକ ନିୟମିତ ଧାରାରେ ପରିଣତ ହେଲାଣି । ବିତରଣ କମ୍ପାନୀ ଏହା ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି)ର ନିୟମ ଅନୁଯାୟୀ ହେଉଥିବା ଦର୍ଶାଇ ଲୋକଙ୍କ ଉପରେ ବୋଝ ଲଦୁଥିବାବେଳେ ଓଇଆରସି କିନ୍ତୁ ନିରବ । ଏହି ଆୟୋଗର ନିୟମାବଳୀରେ କ’ଣ କ’ଣ ସବୁ ଧାରା ରହିଛି ତାହା ସାଧାରଣ ବିଜୁଳି ହିତାଧିକାରୀଟିଏ ଜାଣିବାର ଅବକାଶ ନାହିଁ ।
ଗୋଟିଏ ପଟେ ଡିଜିଟାଲ ଓ ସ୍ମାର୍ଟ ମିଟରକୁ ନେଇ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲୋକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଥିବାବେଳେ ଟାଟା ପାୱାର କିନ୍ତୁ ତାହାର ମିଟର ବସାଇବା କାର୍ଯ୍ୟ ଜାରି ରଖିଛି । ତେବେ ଯେଉଁମାନଙ୍କର ସଚଳ ମିଟର ହଟାଇ କମ୍ପାନୀ ନୂଆ ମିଟର ବସାଇ ତାହାର ବୋଝ ଲଦୁଛନ୍ତି ସେଥିରେ ଓଇଆରସି ହସ୍ତକ୍ଷେପ କରିବାକୁ ମତପ୍ରକାଶ ପାଉଛି । ନହେଲେ ହିତାଧିକାରୀମାନେ ଜୀବନସାରା କେବଳ ମିଟର ଭଡା ଗଣିବା ସାର ହେବ । (ତଥ୍ୟ)