ଭୁବନେଶ୍ୱର : ସହରାଞ୍ଚଳ ପରିବହନ ବ୍ୟବସ୍ଥାକୁ ସଜାଡିବାପାଇଁ ସରକାର ଏକାଧିକ ଇ-ବସ୍ କିଣୁଥିବାବେଳେ ସହରରେ ଚଳାଚଳ କରୁଥିବା ଅଟୋ, ଟ୍ୟାକ୍ସି ଆଦିରେ ମିଟର ସେବା ଉପରେ କିନ୍ତୁ ଗୁରୁତ୍ୱ ଦେଉନାହାନ୍ତି । ଫଳରେ ମିଟର ନଥିବା ଅଟୋ ଓ ଟ୍ୟାକ୍ସିଗୁଡିକ ଲୋକଙ୍କ ଠାରୁ ମନଇଚ୍ଛା ଦର କଷିବାରେ ଲାଗୁଛନ୍ତି ।
ଅଟୋ ପଞ୍ଜିକରଣ ପାଇଁ ମିଟର ବାଧ୍ୟତା ମୂଳକ । କମ୍ପାନୀମାନେ ଅଟୋ ବିକ୍ରି ସମୟରେ ଏହା ସହିତ ମିଟରଟିଏ ବିକ୍ରି କରୁଛନ୍ତି । ଏହି ମିଟର ଅନୁସାରେ ଯାତ୍ରୀମାନେ ଭଡା ଦେବାକଥା । ଅଟୋ ଓ ଟ୍ୟାକ୍ସିଗୁଡିକ ମିଟର ଜରିଆରେ କେତେ ଅର୍ଥ ଆଦାୟ କରିବେ ତାହା ସରକାର ସ୍ଥିର କରିବାକଥା । ହେଲେ ସେଭଳି କିଛି ହେଉନାହିଁ । ପଞ୍ଜିକରଣ ସମୟରେ ପରିବହନ ବିଭାଗର ବାବୁଙ୍କ ଆଗରେ ଅଟୋରେ ମିଟର ଲଗାଯାଉଛି । ପରେ ସଂଗେ ସଂଗେ ତାହାକୁ ଖୋଲି ରଖି ଦିଆଯାଉଛି । ଥରେ ପଞ୍ଜିକରଣ ହୋଇଗଲେ ଅଟୋରେ ମିଟର ଲାଗିଛି କି ନାହିଁ ତାହାକୁ କେହି ଯାଞ୍ଚ କରୁନାହାନ୍ତି ।
ଏଥିଯୋଗୁଁ ରାଜଧାନୀ ସମେତ ରାଜ୍ୟ ଅନ୍ୟ ସହରଗୁଡିକରେ ଅଟୋଚାଳକମାନେ ମନଇଚ୍ଛା ଦର କଷୁଛନ୍ତି । ତିନି ଚାରିକିଲୋମିଟର ଦୂରକୁ ୭୦ ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ଦାବି କରୁଛନ୍ତି । ଯାତ୍ରୀ ଅଟୋରେ ବସିବାମାତ୍ରେ ୨୦ ଟଙ୍କାରୁ ଆରମ୍ଭ ହେଉଛି । ରାତି ହେଲେ ଭଡା ବଢୁଛି । ଯେହେତୁ ମିଟର ନାହିଁ ତେଣୁ ଯାତ୍ରୀମାନେ କାନମୁଣ୍ଡା ଆଉଁଷି ଅଟୋରେ ଯିବାକୁ ବାଧ୍ୟ ହେଉଛନ୍ତି ।
ସହରାଞ୍ଚଳରେ ଏବେ ଘରୋଇ କ୍ୟାବ୍ ସହିତ ସରକାରୀ ପରିଚାଳିତ ଓଡିଶା ଯାତ୍ରୀ ସେବା ଚାଲିଛି । ତେବେ ଏହି କ୍ୟାବ୍ ଗୁଡିକ ଅଟୋଷ୍ଟାଣ୍ଡ ଆଖପାଖରୁ ଯାତ୍ରୀ ଉଠାଇଲେ ହାତାହାତି ପର୍ଯ୍ୟନ୍ତ କଥା ଯାଉଛି । ତେଣୁ ଯେଉଁମାନେ ଯାତ୍ରୀ ଅଟୋରେ ଯାତାୟତ କରୁଛନ୍ତି ସେମାନେ ମିଟର ନଥିବା ଯୋଗୁଁ ଶୋଷଣର ଶିକାର ହେଉଛନ୍ତି ।
ଖୋଦ ରାଜ୍ୟ ରାଜଧାନୀରେ ପ୍ରିପେଡ୍ ଟ୍ୟାକ୍ସି ବ୍ୟବସ୍ଥା ନଥିବା ଏବଂ ଅଟୋରେ ମିଟର ନଥିବାରୁ ସାଧାରଣ ଲୋକେ ଅଧିକ ପଇସା ଦେବା ସହିତ ଗାଡିଚାଳକମାନଙ୍କ ର୍ଦୁବ୍ୟବହାରର ଶିକାର ମଧ୍ୟ କେତେକ ସମୟରେ ହେଉଛନ୍ତି । ଉଭୟ ପରିବହନ ଓ ପୁଲିସ୍ ବିଭାଗ ଏ ଦିଗରେ ଏକ ପ୍ରକାର ଆଖିବୁଜି ଦେଇଛି । ଅନ୍ୟ ରାଜ୍ୟଭଳି ରେଳଷ୍ଟେସନ, ବିମାନବନ୍ଦର ଓ ବସଷ୍ଟାଣ୍ଡରୁ ପୁଲିସ୍ ଦ୍ୱାରା ପରିଚାଳିତ ପ୍ରିପେଡ୍ ଟ୍ୟାକ୍ସି ଚଳାଚଳ ଯୋଜନା ଏକ ପ୍ରକାର ନାଲିଫିତା ତଳେ ରହିଯାଇଛି ।
ସେହିଭଳି ରାଜଧାନୀରେ ମହିଳାମାନଙ୍କ ସୁରକ୍ଷିତ ଯାତ୍ରାପାଇଁ ବହୁ ଆଡମ୍ବରରେ ଆରମ୍ଭ ହୋଇଥିବା ପିଙ୍କ୍ ଅଟୋ ଯୋଜନାର ମଧ୍ୟ ଅପମୃତ୍ୟୁ ଘଟିଛି । ରାସ୍ତାଘାଟରେ ଆଉ ପିଙ୍କ୍ ଅଟୋଟିଏ ଦେଖିବାକୁ ମିଳୁନାହିଁ । ଫଳରେ ମହିଳାମାନେ ବାଧ୍ୟହୋଇ ଅନ୍ୟ ଅଟୋରେ ସମସ୍ତଙ୍କ ସହିତ ଯାତ୍ରା କରିବାକୁ ବାଧ୍ୟ ହେଉଛନ୍ତି । ସେଠାରେ ମଧ୍ୟ ଅଟୋଚାଳକଙ୍କ ଦାବି ମୁତାବକ ଅର୍ଥ ଗଣିବାକୁ ପଡୁଛି । ତେବେ ଅଟୋରେ ମିଟର ବ୍ୟବସ୍ଥା କାହିଁକି ସଫଳତାର ସହ କାର୍ଯ୍ୟକାରୀ ହେଉନାହିଁ ତାହାର ଉତ୍ତର କିନ୍ତୁ କାହାରି ପାଖରେ ନାହିଁ ।
ନଗର ଉନ୍ନୟନ ବିଭାଗ ସହରାଞ୍ଚଳରେ ଆମ ବସ୍ ପାଇଁ ଭଡା ଧାର୍ଯ୍ୟ କରିଛନ୍ତି । ଏଥିରେ ଛାତ୍ରଛାତ୍ରୀଙ୍କ ପାଇଁ ବି ରିହାତି ବ୍ୟବସ୍ଥା ରହିଛି । ଅବଶ୍ୟ ଏହା ସରକାରଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧିନ । କିନ୍ତୁ ସହରାଞ୍ଚଳରେ ଚଳାଚଳ କରୁଥିବା ଅନ୍ୟାନ୍ୟ ଯାତ୍ରୀବାହୀ ଯାନଗୁଡିକ ପାଇଁ ଭଡା ଧାର୍ଯ୍ୟ କରିବାକୁ ସାଧାରଣରେ ମତପ୍ରକାଶ ପାଉଛି । କିଲୋମିଟର ପିଛା ହେଉ କିମ୍ବା ମିଟର ଅନୁଯାୟୀ ହେଉ, ସରକାର ଭଡା ଧାର୍ଯ୍ୟ କଲେ ସାଧାରଣ ଲୋକେ ଏଥିରେ ଉପକୃତ ହୋଇପାରନ୍ତେ । (ତଥ୍ୟ)
 
            
