ଭୁବନେଶ୍ୱର : କର୍ତ୍ତୃପକ୍ଷଙ୍କ ତ୍ରୁଟି ଯୋଗୁ ୫ବର୍ଷ ଧରି ଓଏଏସ୍ ଚାକିରିରୁ ବଞ୍ଚିତ ଥିବା ଜଣେ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି, ବରିଷ୍ଠତା ଆଦି ସହ ୧ଲକ୍ଷ ଟଙ୍କା ଦୁଇମାସ ମଧ୍ୟରେ ଦେବା ପାଇଁ ଓଡ଼ିଶା ହାଇକୋର୍ଟ ବର୍ଷେ ତଳେ ଦେଇଥିବା ନିର୍ଦ୍ଦେଶର ଏ ଯାବତ୍ ପୂର୍ଣ୍ଣ ଅନୁପାଳନ ହୋଇନାହିଁ । ଏ ପରିପ୍ରେକ୍ଷୀରେ ଓଡ଼ିଶା ଲୋକସେବା ଆୟୋଗ ଏହି ପ୍ରାର୍ଥୀଙ୍କୁ ୧ଲକ୍ଷ ଟଙ୍କା ଦେବାର ବ୍ୟବସ୍ଥା କରିବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଛି ।
ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୭ ବ୍ୟାଚ୍ର ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଥିବା ଅନୁଶ୍ରବ ଗନ୍ତାୟତ ନାମକ ଜଣେ ପ୍ରାର୍ଥୀଙ୍କ ପ୍ରାର୍ଥୀତ୍ୱକୁ ମୌଖିକ ପରୀକ୍ଷା ପରେ ଆୟୋଗ ନାକଚ କରିଦେଇଥିଲେ । ଉକ୍ତ ପ୍ରାର୍ଥୀ ୧୩୬୫ ନମ୍ବର ରଖିଥିବା ବେଳେ ୧୩୦୨ ନମ୍ବର ରଖିଥିବା ଅଣସଂରକ୍ଷିତ ଓ ୧୦୬୫ ନମ୍ବର ରଖିଥିବା ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ କିନ୍ତୁ ଯୋଗ୍ୟତା ତାଲିକାରେ ସ୍ଥାନ ଦିଆଯାଇଥିଲା । ସାଧାରଣ ପ୍ରଶାସନ ବିଭାଗ, ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ନିଜେ ମୁଖ୍ୟ ଶାସନ ସଚିବ ବାରମ୍ବାର ଏ ପ୍ରସଂଗ ଆୟୋଗଙ୍କ ଦୃଷ୍ଟିକୁ ଆଣିବା ସହିତ ଏହି ବଞ୍ଚିତ ପ୍ରାର୍ଥୀଙ୍କ ନାମ ମେଧା ତାଲିକାରେ ସାମିଲ କରିବାକୁ କହିଥିଲେ । ସ୍ୟାଟ୍ ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇଥିଲେ । ଏହା ସତ୍ତ୍ୱେ ଆୟୋଗ ଉକ୍ତ ପ୍ରାର୍ଥୀଙ୍କ ନାମ ମେଧା ତାଲିକାରେ ସାମିଲ ନକରିବାରୁ ସେ ଓଡ଼ିଶା ହାଇକୋର୍ଟରେ ନ୍ୟାୟ ଭିକ୍ଷା କରିଥିଲେ । ଇତିମଧ୍ୟରେ ତାଙ୍କ ବ୍ୟାଚ୍ର ଅନ୍ୟ ପ୍ରାର୍ଥୀମାନଙ୍କୁ ୨୦୧୯ ମସିହାରେ ଓଏଏସ୍ ପଦବୀରେ ନିଯୁକ୍ତି ଦିଆଯାଇଥିଲା ।
୫ବର୍ଷ ଧରି ମାମଲା ଚାଲିବା ପରେ ୨୦୨୩ ଡିସେମ୍ବର ୧୯ ତାରିଖରେ ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ ଏହି ବଞ୍ଚିତ ପ୍ରାର୍ଥୀଙ୍କ ନାମ ମେଧା ତାଲିକାରେ ସାମିଲ କରିବା ସହ ତାଙ୍କୁ ଓଏଏସ୍ ଚାକିରିରେ ନିଯୁକ୍ତି ଦେବା ସହ ମେଧା ତାଲିକା ଭିତ୍ତିରେ ତାଙ୍କର ବରିଷ୍ଠତା ନିର୍ଦ୍ଧାରଣ କରିବା, ପିଛିଲା ତାରିଖରୁ ତାଙ୍କ ନିଯୁକ୍ତି ଗଣନା କରିବା ଲାଗି ଆବଶ୍ୟକ ପଡ଼ିଲେ ସୁପରନ୍ୟୁମେରାରୀ ପଦବୀ ସୃଷ୍ଟି କରିବା, ତାଙ୍କ ବ୍ୟାଚ୍ର ଅନ୍ୟମାନଙ୍କ ଭଳି ତାଙ୍କ ବେତନ ନୋସନାଲି ନିର୍ଦ୍ଧାରଣ କରିବା ଓ ଆବଶ୍ୟକ ସ୍ଥଳେ ଦରମା ସଂଶୋଧନ କରିବା, ଏମିତିକି ତାଙ୍କ ଠାରୁ କନିଷ୍ଠ ଯଦି କେହି ପଦୋନ୍ନତି ପାଇଥାନ୍ତି ତେବେ ଆବେଦନକାରୀଙ୍କ ପଦୋନ୍ନତି ସହ ଅନ୍ୟାନ୍ୟ ସୁବିଧା ଦେବା ପାଇଁ ହାଇକୋର୍ଟ ରାୟ ଦେଇଥିଲେ । ଏହାଛଡ଼ା ଉକ୍ତ ପ୍ରାର୍ଥୀ ୫ବର୍ଷ ଧରି ଚାକିରିରୁ ବଞ୍ଚିତ ହୋଇ ଯେଉଁଭଳି କ୍ଷତି ସହିଛନ୍ତି ତାହାକୁ ଆଖି ଆଗରେ ରଖି ଦୁଇମାସ ମଧ୍ୟରେ ୧ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଓଡ଼ିଶା ହାଇକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେବା ସହ ରାୟର ଅନୁପାଳନ ସଂକ୍ରାନ୍ତୀୟ ରିପୋର୍ଟ ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ହାଇକୋର୍ଟରେ ଦାଖଲ କରିବାକୁ କହିଥିଲେ ।
ଲୋକସେବା ଆୟୋଗ ହାଇକୋର୍ଟଙ୍କ ରାୟ ମୁତାବକ ବିଳମ୍ବରେ ଆବେଦନକାରୀଙ୍କ ନାମ ରାଜ୍ୟ ସରକାରଙ୍କୁ ସୁପାରିସ କରିବା ପରେ ସାଧାରଣ ପ୍ରଶାସନ ବିଭାଗ ଓ ରାଜସ୍ୱ ବିଭାଗ ଇତିମଧ୍ୟରେ ତାଙ୍କୁ ଓଏଏସ୍ ଚାକିରିରେ ନିଯୁକ୍ତି ଦେଇଛନ୍ତି । ତେବେ ଏ ଯାବତ୍ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ତାଙ୍କୁ ୧ଲକ୍ଷ ଟଙ୍କା ଦିଆଯାଇନାହିଁ କିମ୍ବା ତାଙ୍କ ଇନ୍କ୍ରିମେଣ୍ଟ ନୋସନାଲ୍ ହାରରେ ୫ବର୍ଷ ପାଇଁ ହିସାବ କରି ବେତନ ମଧ୍ୟ ବୃଦ୍ଧି କରାଯାଇନାହିଁ ।
ଏ ପରିପ୍ରେକ୍ଷୀରେ ରାଜ୍ୟ ସରକାର ହାଇକୋର୍ଟଙ୍କ ରାୟର ଅନୁପାଳନ ପାଇଁ ଆବେଦନକାରୀଙ୍କୁ ଆୟୋଗ ଲକ୍ଷେ ଟଙ୍କା ଦେବାର ବ୍ୟବସ୍ଥା କରିବାକୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ଶାସନ ସଚିବ ଘାସିରାମ ମୁର୍ମୁ ଆୟୋଗର ଅଧ୍ୟକ୍ଷଙ୍କୁ ୧୮ ଡିସେମ୍ବର ୨୦୨୪ରେ ଚିଠି ଲେଖିଛନ୍ତି । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ନିର୍ଦ୍ଦେଶ ମୁତାବକ ଅନୁପାଳନ ରିପୋର୍ଟ, ବର୍ଦ୍ଧିତ ହାରରେ ବେତନ ନିର୍ଦ୍ଧାରଣ ଓ ଲକ୍ଷେ ଟଙ୍କା ପ୍ରଦାନ କରାନଯିବା ଯୋଗୁ ରାଜ୍ୟ ସରକାର ଅଦାଲତ ଅବମାନନା ମାମଲା ଜାଲରେ ଫସିଯାଇପାରନ୍ତି ।
ଆୟୋଗଙ୍କ ତ୍ରୁଟି ଯୋଗୁ ସଂପୃକ୍ତ ପ୍ରାର୍ଥୀ ୫ବର୍ଷ ଧରି ନିଯୁକ୍ତି ସୁଯୋଗରୁ ବଞ୍ଚିତ ହୋଇଥିବା ଦୃଷ୍ଟିରୁ ଆୟୋଗ ତାଙ୍କୁ ଲକ୍ଷେ ଟଙ୍କା ଦେବାର ଆବଶ୍ୟକତା ରହିଛି । ତେବେ ଏ ସଂକ୍ରାନ୍ତରେ ଆୟୋଗଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।