Home News in Odia ମାଳ ମାଳ ଅନ୍ୟ ରାଜ୍ୟର ଗାଡି

ମାଳ ମାଳ ଅନ୍ୟ ରାଜ୍ୟର ଗାଡି

ଭୁବନେଶ୍ୱର : ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏବେ ଅନ୍ୟ ରାଜ୍ୟରେ ପଞ୍ଜିକୃତ ମାଳ ମାଳ ଚାରିଚକିଆ ଯାନ ଦେଖିବାକୁ ମିଳୁଛି । ଏହିସବୁ ଗାଡିଗୁଡିକୁ ଦୀର୍ଘଦିନ ଧରି ଓଡିଶା ରାସ୍ତାରେ ଚକ୍କର କାଟୁଥିଲେ ମଧ୍ୟ ଏମାନଙ୍କ ଠାରୁ ଟିକସ ଆଦାୟ ତ ଦୂରରକଥା ଯାଞ୍ଚ ମଧ୍ୟ ହେଉନାହିଁ ।

ଚଳିତ ସାଧାରଣ ନିର୍ବାଚନ ପରେ ପରେ ରାଜଧାନୀରେ ଏବେ ଏକାଧିକ ଅନ୍ୟରାଜ୍ୟ ପଞ୍ଜିକୃତ ଯାନ ଦେଖିବାକୁ ମିଳୁଛି । ଏଥିରୁ ସଂଖ୍ୟାଧିକ ହେଉଛି ଚାରିଚକିଆ ଯାନ । ସାଧାରଣତଃ ପଶ୍ଚିମବଙ୍ଗ, ଝାଡଖଣ୍ଡ, ଛତିଶଗଡ, ଦିଲ୍ଲୀ, ହରିଆନା ଆଦିର ନମ୍ବର ଥିବା ଗାଡିଗୁଡିକୁ ଦେଖିବାକୁ ମିଳୁଛି । ଏହାଛଡା ବ୍ୟବସାୟିକ କାର୍ଯ୍ୟରେ ମଧ୍ୟରେ ଅନେକ ଚାରିଚକିଆ ଯାନ ଓଡିଶାକୁ ପ୍ରବେଶ କରୁଛନ୍ତି । ହେଲେ ଏଗୁଡିକ ସାମଗ୍ରୀ ପହଞ୍ଚାଇବା କିମ୍ବା ନେବା ପରେ ପରେ ରାଜ୍ୟ ଛାଡୁଛନ୍ତି ।

ତେବେ ଅନ୍ୟ ରାଜ୍ୟର ଗାଡିଗୁଡିକ ଓଡିଶାରେ ଗଡିଲେ ସମ୍ପକ୍ତ ଯାନ ମାଲିକ ଦୁଇମାସ ମଧ୍ୟରେ ପରିବହନ ବିଭାଗକୁ ଅବଗତ କରିବା କଥା । ସ୍ଥାନୀୟ ପରିବହନ କର୍ତ୍ତୃପକ୍ଷ ଏହାର ସୂଚନା ପାଇଲାପରେ ସମ୍ପୃକ୍ତ ଯାନଠାରୁ ଟିକସ ଆଦାୟ କରିବାକଥା । ଅନ୍ୟ ରାଜ୍ୟରେ ପଞ୍ଜିକୃତ ଯେଉଁ ଯାନଗୁଡିକ ବର୍ଷେରୁ ଅଧିକ ସମୟ ଧରି ବିନା ସୂଚନାରେ ଚଳାଚଳ କରୁଛନ୍ତି ସେହିସବୁ ଯାନକୁ ଜବତ କରିବା ସହିତ ମାମଲା ରୁଜୁର ମଧ୍ୟ ବ୍ୟବସ୍ଥା ରହିଛି ।

ହେଲେ ପରିବହନ ବିଭାଗର ଏନଫୋର୍ସମେଣ୍ଟ ଦଳ ଏଥିପ୍ରତି ନଜର ଦେଉନଥିବା ଲକ୍ଷ୍ୟ କରାଯାଉଛି । ଫଳରେ ଅନ୍ୟ ରାଜ୍ୟରେ ପଞ୍ଜିକୃତ ଶହ ଶହ ଯାନ ଓଡିଶାରେ ଚଳାଚଳ କରୁଛନ୍ତି । ଧରପଗଡ ଦ୍ୱାରା ଏଗୁଡିକୁ ଚିହ୍ନଟ କରି ଚାଲାଣ କଟାଗଲେ ରାଜ୍ୟ ରାଜକୋଷକୁ ବିପୁଳ ଟିକସ ଆସିପାରନ୍ତା । ଏହାଛଡା ଏହି ଗାଡିରେ କେଉଁମାନେ ଓଡିଶାରେ ଯା ଆସ କରୁଛନ୍ତି ସେମାନଙ୍କ ସଂକ୍ରାନ୍ତରେ ମଧ୍ୟ ବିସ୍ତୃତ ସୂଚନା ମିଳିପାରନ୍ତା ।

ଉଲ୍ଲେଖନୀୟ ଯେ ଅନ୍ୟ ରାଜ୍ୟର କୁଖ୍ୟାତ ଅପରାଧିମାନେ ସେଠାରେ ଅପରାଧ କରିବାପରେ ଓଡିଶା ଭଳି ରାଜ୍ୟକୁ ଖସିଆସିବାର ନଜିର ରହିଛି । ସେମାନେ ଆସିବାବେଳେ ନିଜ ଗାଡିକୁ ବି ଏଠାକୁ ନେଇ ଆସିଥାନ୍ତି । ଯେହେତୁ ଓଡିଶାରେ ଧରପଗଡ ଦୁର୍ବଳ ଅବସ୍ଥାରେ ରହିଛି ତେଣୁ ସେମାନେ ନିର୍ଭୟରେ ଏଠାରେ ବିଚରଣ କରିବା କିଛି ଅସମ୍ଭବ ନୁହେଁ ବୋଲି ସୁରକ୍ଷା ବିଶେଷଜ୍ଞମାନେ ମତ ଦେଉଛନ୍ତି ।

ଅନ୍ୟ ରାଜ୍ୟରେ ପଞ୍ଜିକୃତ ଗାଡିଗୁଡିକ ବିରୁଦ୍ଧରେ ଧରପଗଡ ଆରମ୍ଭ କଲେ ବହୁ ତଥ୍ୟ ପଦାକୁ ଆସିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ବିଶେଷକରି ସାଇବର ଅପରାଧ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ବେଆଇନ୍‍ କାର୍ଯ୍ୟ ଏପରିକି ନିଶା ସାମଗ୍ରୀ ପରିବହନର ଅନେକ ଗୁମର ଫିଟିପାରିବ । ଗୋଟିଏ ପଟେ ରାଜସ୍ୱ କ୍ଷତି ଏବଂ ଅନ୍ୟପଟେ ଅସାମାଜିକଙ୍କ ଖୋଲା ବିଚରଣ କରୁଥିବାରୁ ସେମାନଙ୍କୁ ପ୍ରତିହତ ପାଇଁ ତୁରନ୍ତ ପରିବହନ ବିଭାଗ ଧରପଗଡ ଆରମ୍ଭ କରିବାକୁ ମତପ୍ରକାଶ ପାଉଛି । (ତଥ୍ୟ)