Home Election ମାଳବିକା ସବୁଠୁ ଧନୀ

ମାଳବିକା ସବୁଠୁ ଧନୀ

ଭୁବନେଶ୍ୱର : ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଲୋକସଭା ଆସନ ପାଇଁ ଯେତେଜଣ ପ୍ରାର୍ଥୀ ଲଢୁଛନ୍ତି ସେମାନଙ୍କ ମଧ୍ୟରେ କଳାହାଣ୍ଡିରୁ ବିଜେପି ପ୍ରାର୍ଥୀ ହୋଇଥିବା ରାଣୀ ମାଳବିକା ଦେବୀ ସବୁଠୁ ଧନୀ । ତାଙ୍କ ମୋଟ୍‍ ସମ୍ପତ୍ତିର ପରିମାଣ ୪୧ କୋଟି ଟଙ୍କାରୁ ଅଧିକ ରହିଛି । ତାଙ୍କ ପଛକୁ ରହିଛନ୍ତି ବ୍ରହ୍ମପୁର ଆସନରୁ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ଭି ଚନ୍ଦ୍ର ଶେଖର । ଚନ୍ଦ୍ର ଶେଖରଙ୍କର ମୋଟ୍‍ ସମ୍ପତ୍ତିର ପରିମାଣ ୨୮ କୋଟି ଟଙ୍କାରୁ ଅଧିକ ରହିଛି ।

ଆସୋସିଏସନ ଫର ଡେମୋକ୍ରାଟିକ ରିଫମର୍ସ ଓ ଓଡିଶା ଇଲେକସନ ୱାଚ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନର ଲୋକସଭା ପ୍ରାର୍ଥୀମାନଙ୍କର ବିବରଣୀ ଜାରି କରିବାପରେ ଏହି ତଥ୍ୟ ପଦାକୁ ଆସିଛି । ଏଡିଆରର ସୂଚନା ଅନୁଯାୟୀ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁର ଲୋକସଭା ଆସନ ପାଇଁ ଆସନ୍ତା ୧୩ ତାରିଖରେ ମତଦାନ ହେବ ।

ଏହି ୪ଟି ଲୋକସଭା ଆସନ ପାଇଁ ମୋଟ୍‍ ୩୭ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏମାନଙ୍କ ମଧ୍ୟରେ ବ୍ରହ୍ମପୁର, କଳାହାଣ୍ଡି ଓ କୋରାପୁଟ ଆସନରୁ ୧୧ଜଣ କରି ପ୍ରାର୍ଥୀ ଲଢୁଥିବାବେଳେ ନବରଙ୍ଗପୁର ଆସନରେ ୪ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି । ଏହି ପ୍ରାର୍ଥୀମାନଙ୍କ ମଧ୍ୟରେ ବିଜେପି, ବିଜେଡି ଓ କଂଗ୍ରେସର ୪ଜଣ କରି ପ୍ରାର୍ଥୀ ଥିବାବେଳେ ଅବଶିଷ୍ଟ ୨୫ଜଣ ପ୍ରାର୍ଥୀ ବିଭିନ୍ନ ଦଳ ଓ ସ୍ୱାଧୀନ ଭାବେ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

ମୋଟ୍‍ ୩୭ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୭ଜଣ ଅର୍ଥାତ୍‍ ୧୯% ଙ୍କ ନାଁରେ ଅପରାଧିକ ମାମଲା ରହିଥିବା ସେମାନେ ସତ୍ୟପାଠରେ ଦର୍ଶାଇଛନ୍ତି । ୬ଜଣଙ୍କ ବିରୁଦ୍ଧରେ ଅତି ଗୁରୁତର ମାମଲା ରହିଛି ।

ସମ୍ପତ୍ତି ଦୃଷ୍ଟିରୁ ବିଜେଡି ଓ ବିଜେପିର ମୋଟ ୮ଜଣ ଯାକ ପ୍ରାର୍ଥୀ କୋଟିପତି ହୋଇଥିବାବେଳେ କଂଗ୍ରେସର ୩ଜଣ ପ୍ରାର୍ଥୀ କୋଟିପତି । ନବ ଭାରତ ନିର୍ମାଣ ସେବା ପାର୍ଟିର ୨ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ କୋଟିପତି ହୋଇଥିବାବେଳେ ଭାରତୀୟ ବିକାଶ ପରିଷଦର ଏକମାତ୍ର ପ୍ରାର୍ଥୀ ଜଣଙ୍କ ମଧ୍ୟ କୋଟିପତି ତାଲିକାରେ ରହିଛନ୍ତି । ଅନ୍ୟ ଦଳରୁ ପ୍ରାର୍ଥୀ ହୋଇଥିବା ୧୧ ଜଣଙ୍କ ମଧ୍ୟରେ ଜଣେ ହେଲେ କୋଟିପତି ନଥିବାବେଳେ ୧୧ ସ୍ୱାଧୀନ ବିଧାୟକଙ୍କ ମଧ୍ୟରୁ ୪ଜଣ କୋଟିପତି ଥିବା ଏଡିଆର ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛି ।

ସମ୍ପତ୍ତି ତାଲିକାର ସବୁଠାରୁ ଉପରେ କଳାହାଣ୍ଡିର ବିଜେପି ପ୍ରାର୍ଥୀନୀ ମାଳବିକା ଦେବୀ ଥିବାବେଳେ ସବା ତଳେ ଅଛନ୍ତି କୋରାପୁଟ ଆସନରୁ ଏସୟୁସିଆଇ ପ୍ରାର୍ଥୀ ହେଇଥିବା ପ୍ରମିଳା ପୂଜାରୀ । ଶ୍ରୀମତୀ ପୂଜାରୀଙ୍କର ମୋଟ୍‍ ସମ୍ପତ୍ତିର ମୂଲ୍ୟ ୨୦ହଜାର ଟଙ୍କାରୁ ସାମାନ୍ୟ ଅଧିକ ରହିଛି । ସେହି ଦଳରୁ ନବରଙ୍ଗପୁର ଆସନରେ ପ୍ରାର୍ଥୀ ହୋଇଥିବା ତ୍ରିନାଥ ମୁଣ୍ଡଗୁଡିଆଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୫୦ହଜାର ଟଙ୍କାରୁ କମ୍‍ ରହିଛି । ନବରଙ୍ଗପୁର ଆସନରୁ ବିଜେପି ପ୍ରାର୍ଥୀ ବଳଭଦ୍ରମାଝିକର ଆୟର ସ୍ରୋତ ପେନ୍‍ସନ ହୋଇଥିବାବେଳେ ତାଙ୍କ ସ୍ତ୍ରୀଙ୍କର ଆୟ ବ୍ୟବସାୟ ଓ ଚାଷବାସ ରହିଥିବା ସେ ଦର୍ଶାଇଛନ୍ତି ।

ସେହିଭଳି ବ୍ରହ୍ମପୁର ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିବା ଭୃଗୁ ବକ୍ସିପାତ୍ର ବ୍ୟବସାୟରୁ ବାର୍ଷିକ ୭ଲକ୍ଷରୁ ଅଧିକ ଟଙ୍କା ଆୟ କରୁଥିବାବେଳେ ପତ୍ନୀ କର୍ପୋରେଟ ଚାକିରି କରୁଥିବା ଦର୍ଶାଇଛନ୍ତି । ଉଭୟ ପତି-ପତ୍ନୀଙ୍କର ଆୟ ବାର୍ଷିକ ୧୯ଲକ୍ଷ ଟଙ୍କାରୁ ଅଧିକ ରହିଛି ।

ମୋଟ୍‍ ୩୭ଜଣ ଲୋକସଭା ପ୍ରାର୍ଥୀ ମଧ୍ୟରୁ ୨ଜଣ ଡକ୍ଟରେଟ ଡିଗ୍ରୀଧାରୀ ଥିବାବେଳେ ୬ଜଣ ସ୍ନାତକୋତ୍ତର, ୪ଜଣ ସ୍ନାତକ ବୃତ୍ତିଧାରୀ, ୧୦ଜଣ ସ୍ନାତକ ଡିଗ୍ରୀଧାରୀ, ୫ଜଣ ଯୁକ୍ତ ଦୁଇ ଉତ୍ତୀର୍ଣ୍ଣ, ୭ଜଣ ଦଶମ ପାଶ୍‍, ୮ମ ପାଶ୍‍, ୫ମ ପାଶ୍‍ କରିଥିବା ଜଣେ କରି ପ୍ରାର୍ଥୀ ଥିବାବେଳେ ଜଣେ ପ୍ରାର୍ଥୀ ସାକ୍ଷର ବୋଲି ଉଲ୍ଲେଖ କରିଛନ୍ତି ।

ସେହିଭଳି ମୋଟ୍‍ ୩୭ଜଣ ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରୁ ୩ଜଣଙ୍କର ବୟସ ୨୫ରୁ ୩୦ବର୍ଷ ମଧ୍ୟରେ ଥିବାବେଳେ ୭ଜଣଙ୍କର ବୟସ ୩୧ରୁ ୪୦, ୧୪ଜଣଙ୍କର ବୟସ ୪୧ ରୁ ୫୦, ୯ଜଣଙ୍କର ବୟସ ୫୧ରୁ ୬୦ ଓ ୪ଜଣଙ୍କର ବୟସ ୬୧ରୁ ୭୦ ବର୍ଷ ମଧ୍ୟରେ ରହିଛି ।