ଭୁବନେଶ୍ୱର : ଟାଟା ପାୱାରର ବିଦ୍ୟୁତ୍ ବିତରଣକାରୀ ସଂସ୍ଥାମାନେ ହିତାଧିକାରୀଙ୍କୁ ଧରାଇଥିବା ଅତରିକ୍ତ ସୁରକ୍ଷା ଜମା (ଏଡିଏସ୍)କୁ ନେଇ ଏବେ ଭଡାଟିଆମାନେ ଅକଳରେ ପଡିଛନ୍ତି । ଘର ମାଲିକ ଏହି ଅର୍ଥ ଭଡାଟିଆଙ୍କ ଉପରେ ଲଦୁଥିବାବେଳେ ଅର୍ଥ ସ୍ଥାୟୀ ଜମା ବାବଦରେ ରହୁଥିବାରୁ ଏହା ଘର ମାଲିକ ଦିଅନ୍ତୁ ବୋଲି ଭଡାଟିଆମାନେ ମତ ଦେଉଛନ୍ତି । ଏହାକୁ ନେଇ ବିଭିନ୍ନ ସ୍ଥାନରେ ମାଲିକ ଓ ଭଡାଟିଆଙ୍କ ମଧ୍ୟରେ ଟଣାଓଟରା ଚାଲିଛି ।
ଯେଉଁମାନେ ନିଜର ଘର ଭଡା ଦେଇଛନ୍ତି ସେମାନଙ୍କ ମିଟରଟି ଘର ମାଲିକଙ୍କ ନାଁରେ ଥିବାବେଳେ ମାସକୁ ମାସ ବିଜୁଳି ଦେୟ ଭଡାଟିଆମାନେ ଦେଉଛନ୍ତି । ବର୍ତ୍ତମାନ ଅତିରିକ୍ତ ଜମା ପ୍ରଦାନ ପାଇଁ ଟାଟା ପାୱାର ନୋଟିସ୍ ଧରାଇବା ପରେ ତାହାକୁ ନେଇ ଭଡାଟିଆ ଓ ଘର ମାଲିକଙ୍କ ମଧ୍ୟରେ ଟଣା ଓଟରା ଆରମ୍ଭ ହୋଇଛି । ଯେହେତୁ ଏହି ଅର୍ଥ ସ୍ଥାୟୀ ଜମା ଆକାରରେ ରହୁଛି ଓ ଏହାର ସୁଧ ବର୍ଷ ଶେଷରେ ଆସିବ ବୋଲି କମ୍ପାନୀ କହୁଛି ତେଣୁ ଘର ମାଲିକ ଏହି ଅର୍ଥ ଦେବାକୁ ଭଡାଟିଆମାନେ ମତ ରଖୁଛନ୍ତି । କାରଣ ଯଦି ଭଡାଟିଆ ବର୍ଷ ଅଧାରୁ ଘର ଛାଡନ୍ତି କିମ୍ବା ଘରମାଲିକ ସେମାନଙ୍କୁ ବାହାର କରି ଦିଅନ୍ତି ତେବେ ସେମାନଙ୍କ ଏହି ଅର୍ଥ ପାଣିରେ ପଡିବା ଏକ ପ୍ରକାର ନିଶ୍ଚିତ ।
ଅନ୍ୟ ପକ୍ଷରେ ଚଳିତ ମାସ ୨୯ ତାରିଖ ସୁଦ୍ଧା ଅର୍ଥ ପ୍ରଦାନ ପାଇଁ ଟାଟା ପାୱାର ନୋଟିସ୍ ଧରାଇଥିବାବେଳେ ଏହାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ଦେଖା ଦେଇଛି । ବିଭିନ୍ନ ସଂଗଠନ ପକ୍ଷରୁ ଜୋରଦାର ବିରୋଧ ହେଉଥିବାବେଳେ ବିଜେଡି ଏ ନେଇ ରାସ୍ତାକୁ ଓହ୍ଲାଇଛି । କଂଗ୍ରେସ ମଧ୍ୟ ବଡ ଧରଣର ଆନ୍ଦୋଳନ ଡାକରା ଦେଇଛି । ଏହି ଅର୍ଥ ନଦେବାକୁ ଦୁଇ ଦଳ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି । ସେହିଭଳି ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ଠାରୁ ଆରମ୍ଭ କରି ଶକ୍ତି ସମୀକ୍ଷକମାନେ ମଧ୍ୟ ଏଭଳି ଅର୍ଥ ଆଦାୟ ବେଆଇନ୍ ଏବଂ ଏହା ଉପରେ ପୁର୍ନବିଚାର କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି ।
ଏହି ଅତିରିକ୍ତ ଜମା ସଂକ୍ରାନ୍ତରେ ଶକ୍ତି ବିଭାଗ କିମ୍ବା ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗ ମୁହଁ ଖୋଲୁ ନଥିବାବେଳେ ଟାଟା ପାୱାର ସାମ୍ବାଦିକ ସମ୍ମିଳନୀ କରି ଏଭଳି ଅର୍ଥ ଆଦାୟ ପାଇଁ ଆଇନ୍ ରହିଥିବା କହି ନିଜ ହାତ ଝାଡି ଦେଇଛି । ଏହା ଭିତରେ କିନ୍ତୁ ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ତେଜିବାରେ ଲାଗିଛି ।
ମାସ ଆରମ୍ଭରେ ବିଦ୍ୟୁତ୍ ବିଲ୍ ପଇଠ କରିଥିବା ଉପଭୋକ୍ତାମାନେ ଏବେ ମାସ ଶେଷରେ ଅତିରିକ୍ତ ସୁରକ୍ଷା ଜମା ପଇଠ ପାଇଁ ଆଗପଛ ହେଉଥିବାବେଳେ ବିଭିନ୍ନ ସ୍ଥାନ ବିଶେଷକରି ସହରାଞ୍ଚଳରେ ଘର ମାଲିକ ଓ ଭଡାଟିଆଙ୍କ ମଧ୍ୟରେ ଏହି ଅର୍ଥକୁ ନେଇ ଅନର୍ଥ ସୃଷ୍ଟି ହେବାରେ ଲାଗିଛି । (ତଥ୍ୟ)

