Home News in Odia ମାର୍ଚ୍ଚ ୧୨ ପରେ ୪୦ ଡିଗ୍ରୀ ତାତି

ମାର୍ଚ୍ଚ ୧୨ ପରେ ୪୦ ଡିଗ୍ରୀ ତାତି

ଭୁବନେଶ୍ୱର : ହିମାଳୟ ଅଂଚଳରୁ ତୀବ୍ର ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରବାହ ଯୋଗୁଁ ଓଡ଼ିଶାରେ ରାତ୍ରି ତାପମାତ୍ରାରେ ଗତ ୩ ଦିନ ଧରି ପତନ ଫଳରେ ଶୀତ ଦିନ ପରି ଅନୁଭୂତ ହୋଇଥିଲେ ମଧ୍ୟ ଆସନ୍ତା ୪ ଦିନ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ହୋଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ଶନିବାର କୁହାଯାଇଛି ।

କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ ଶନିବାର ଠାରୁ ମଙ୍ଗଳବାର ମଧ୍ୟରେ ବଙ୍ଗୋପ ସାଗର ଆଡ଼ୁ ଦକ୍ଷିଣ-ପୂର୍ବ ବାୟୁ ପ୍ରବାହ ଫଳରେ ବର୍ତମାନର ସୁଖଦ ଅନୁଭୂତି ଜାରି ରହିପାରେ ଏବଂ ମାର୍ଚ୍ଚ ୯ ଓ ୧୦ ତାରିଖରେ ମୟୁରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାରେ ଗୋଟିଏ ବା ଦୁଇଟି ସ୍ଥାନରେ କାଳବୈଶାଖୀ ମଧ୍ୟ ହୋଇପାରେ ।

ମାତ୍ର ମାର୍ଚ୍ଚ ୧୨ ରୁ ୧୬ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ଦିନର ତାପମାତ୍ର ୪୦ ଡିଗ୍ରୀ ସେଲସିୟସ ବା ତାହାଠାରୁ ଅଧିକ ହୋଇପାରେ । ଉପକୂଳ ଓଡ଼ିଶାରେ ଗୋଟିଏ ବା ଦୁଇଟି ସ୍ଥାନରେ ଏହା ୩୮ ଡିଗ୍ରୀ ସେଲ୍‌ସିୟସ ଛୁଇଁପାରେ । ମାର୍ଚ୍ଚ ୧୫ ଓ ୧୮ ମଧ୍ୟରେ ଉପକୂଳ ତଥା ନିକଟବର୍ତୀ ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ଅନୁଭୂତ ହୋଇପାରେ ବୋଲି ଡ. ସାହୁ କହିଛନ୍ତି ।