Home General ମାରୁତି ଗ୍ରାହକ ହଟହଟା

ମାରୁତି ଗ୍ରାହକ ହଟହଟା

ଭୁବନେଶ୍ୱର : ନୂତନ ନମ୍ବର ପ୍ଲେଟ ପ୍ରସ୍ତୁତ କ୍ଷେତ୍ରରେ ମାରୁତି ସୁଜୁକି କମ୍ପାନୀର ଭେଣ୍ଡର ପରିବର୍ତ୍ତନ ଯୋଗୁଁ ଏହାର ଗ୍ରାହକମାନେ ଏବେ ରାଜ୍ୟରେ ହଟହଟା ହେଉଛନ୍ତି । ଏଥିପାଇଁ ଗତ କିଛି ଦିନ ହେଲା ମାରୁତି କମ୍ପାନୀର ଗ୍ରାହକମାନେ ନୂଆ ନମ୍ବର ପ୍ଲେଟ ପାଇଁ ବୁକିଂ କରିପାରୁନଥିବାବେଳେ ଏହି ସମସ୍ୟା ଆଉ କିଛିଦିନ ଜାରି ରହିବ ବୋଲି ଜଣାଯାଇଛି ।

ଉଚ୍ଚ ସୁରକ୍ଷା ବ୍ୟବସ୍ଥା (ହାଇ ସିକ୍ୟୁରିଟି) ଥିବା ନମ୍ବର ପ୍ଲେଟ ଲଗାଇବା ପାଇଁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେବାପରେ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ଗାଡି ନିର୍ମାତାମାନଙ୍କୁ ଭେଣ୍ଡର ଚୟନ ସହିତ ଲୋକଙ୍କୁ ନୂଆ ନମ୍ବରପ୍ଲେଟ ଯୋଗାଣ ପାଇଁ କହିଥିଲେ । ତଦନୁଯାୟୀ ମାରୁତି ସୁଜୁକି କମ୍ପାନୀ ମଧ୍ୟ ତାହାର ଭେଣ୍ଡର ଚୟନ କରି ନୂଆ ନମ୍ବର ପ୍ଲେଟ ଯୋଗାଣ ଜାରି ରଖିଥିଲା ।

ଇତି ମଧ୍ୟରେ ମାରୁତି ସୁଜୁକି ତାହାର ଭେଣ୍ଡର ପରିବର୍ତ୍ତନ କରିଛି । ନୂଆ ଭେଣ୍ଡର କାର୍ଯ୍ୟ ଆରମ୍ଭ କରିବାକୁ ଥିବାରୁ ପୁରୁଣା ଭେଣ୍ଡର ଆଉ ବୁକିଂ ନେଉନାହିଁ । ଏ ସଂକ୍ରାନ୍ତରେ ପରିବହନ ବିଭାଗକୁ ମଧ୍ୟ କମ୍ପାନୀ ପକ୍ଷରୁ ଅବଗତ କରାଯାଇଛି । କିନ୍ତୁ ସାଧାରଣ ଲୋକେ ଏ ସଂକ୍ରାନ୍ତରେ ସୂଚନା ପାଇ ନାହାନ୍ତି । କମ୍ପାନୀ ପକ୍ଷରୁ ସାଧାରଣରେ ଏହି ସୂଚନା ପ୍ରକାଶ ନକରାଯିବା ଫଳରେ ମାରୁତି ସୁଜୁକିର ଗ୍ରାହକମାନେ ମାନେ ପ୍ରତିଦିନ ନୂତନ ନମ୍ବରପ୍ଲେଟ ବୁକିଂ ପାଇଁ ପ୍ରୟାସ କରି ବିଫଳ ହେଉଛନ୍ତି । ତେବେ ତୁରନ୍ତ ଏ ସଂକ୍ରାନ୍ତରେ ଗ୍ରାହକମାନଙ୍କୁ ଅବଗତ କରିବାକୁ କମ୍ପାନୀକୁ ପରିବହନ ବିଭାଗ ପକ୍ଷରୁ କୁହାଯାଇଥିବା ସୂଚନା ମିଳିଛି ।

ସେହିଭଳି ଅନ୍ୟାନ୍ୟ ଦୁଇ ଚକିଆ ଓ ଚାରିଚକିଆ ଗାଡିର ଗ୍ରାହକମାନେ ମଧ୍ୟ ଭୁବନେଶ୍ୱରରର କୌଣସି ଡିଲରଙ୍କ ନିକଟରେ ସହଜରେ ନୂଆ ନମ୍ବର ପ୍ଲେଟ ପାଇଁ ତାରିଖ ପାଉନାହାନ୍ତି । ବାରମ୍ବାର ଉଦ୍ୟମ କରି ବିଫଳ ହେବାପରେ ଏବେ ଅନେକ ସମୟକୁ ଅପେକ୍ଷା କରିଛନ୍ତି । ଏଣେ ରାଜ୍ୟରେ ବନ୍ୟା ପରିସ୍ଥିତିକୁ ଦେଖି ପରିବହନ ବିଭାଗ ପକ୍ଷରୁ ଯଦିଓ କେତେକ ନମ୍ବର ପାଇଁ ସମୟ ଅବଧି ବୃଦ୍ଧି କରାଯାଇଛି, ତେବେ ଧାର୍ଯ୍ୟ ସମୟ ପରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନଥିଲେ ଫାଇନ୍‍ ଆଦାୟ କରାଯିବ ବୋଲି ସ୍ପଷ୍ଟ କରାଯାଇଛି । ଅନ୍ୟ ପକ୍ଷରେ ସମସ୍ତ ନମ୍ବର ପାଇଁ ଆଗାମୀ ଡିସେମ୍ବର ୩୧ତାରିଖକୁ ଶେଷ ସମୟ ଧାର୍ଯ୍ୟ କରାଯାଇଛି ।

ତେବେ ଯେଉଁଭଳି ଭାବେ ନୂଆ ନମ୍ବର ବୁକିଂରେ ଲୋକେ ହଇରାଣ ହେଉଛନ୍ତି ଓ କମ୍ପାନୀ ଭେଣ୍ଡର ପରିବର୍ତ୍ତନ କରୁଛନ୍ତି ସେଥିରେ ଧାର୍ଯ୍ୟ ସମୟ ମଧ୍ୟରେ ଗାଡି ମାଲିକମାନେ ନୂଆ ନମ୍ବରପ୍ଲେଟ ପାଇବା ଅସମ୍ଭବପର ବୋଲି କୁହାଯାଉଛି । କାରଣ ଏବେ ଠାରୁ ଯେଉଁମାନେ ନମ୍ବର ବୁକିଂ କରୁଛନ୍ତି ଓ ସେମାନଙ୍କୁ ଯେଉଁ ତାରିଖ ଦିଆଯାଉଛି ତାହାର ଢେର ଦିନ ପରେ ନୂତନ ନମ୍ବର ଉପଲବ୍ଧ ହେଉଛି । ଏହାଛଡା କେତେକ ଗାଡି ଡିଲର ଏବେ ନୂଆ ନମ୍ବର ପ୍ଲେଟ ସହିତ ହିତାଧିକାରୀଙ୍କୁ ପ୍ଲାଷ୍ଟିକ ଓ ଇସ୍ପାତର ନମ୍ବରପ୍ଲେଟ କଭର ନେବାକୁ ବାଧ୍ୟ କରିବା ଓ ଏ ବାବଦରେ ମୋଟା ଅଙ୍କର ଅର୍ଥ ଆଦାୟ କରୁଥିବାରୁ ପରିବହନ ଅଧିକାରୀମାନେ ଏ ଦିଗ ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି । (ତଥ୍ୟ)