ଭୁବନେଶ୍ୱର : ରାଜଧାନୀରେ ଜମି ଜବରଦଖଲକାରୀମାନେ ସରକାରଙ୍କୁ ପ୍ରାୟ ଦଶ ହଜାର ମାମଲାରେ ଛନ୍ଦିଥିବାବେଳେ ସେମାନଙ୍କୁ ଉଚ୍ଛେଦ ପାଇଁ ପ୍ରଶାସନର ଜୁ ପାଉନାହିଁ । ଫଳରେ ସହରରେ ସରକାରୀ ଜମିକୁ ଜବରଦଖଲ ସଂଖ୍ୟା ବଢିବାରେ ଲାଗିଛି ।
ରାଜଧାନୀରେ ଅତି ମୂଲ୍ୟବାନ ସରକାରୀ ଜମିକୁ ଜବରଦଖଲ କରିବାପରେ ଉଚ୍ଛେଦରୁ ବର୍ତ୍ତିବାପାଇଁ ସରକାରଙ୍କ ବିରୁଦ୍ଧରେ ଜବରଦଖଲକାରୀମାନେ ମାମଲା ରୁଜୁ କରୁଛନ୍ତି । ଥରେ ଅଦାଲତରେ ମାମଲା ରୁଜୁ ହେଲା ପରେ ସେହି କାଗଜକୁ ଦେଖାଇ ଉଚ୍ଛେଦକୁ ରୋକି ଦେଉଛନ୍ତି । ଏଭଳି ପ୍ରାୟ ଦଶ ହଜାର ମାମଲା ସରକାରଙ୍କ ବିରୁଦ୍ଧରେ ରହିଥିବା ଜଣାଯାଇଛି । ଏହି ଜବରଦଖଲକାରୀମାନେ ବାପୁଜୀନଗର, ସତ୍ୟନଗର, ଶହୀଦନଗର ଠାରୁ ଆରମ୍ଭ କରି ପଟିଆ, ଘାଟିକିଆ, ଗାଡକଣ ଆଦି ଅଞ୍ଚଳରେ ସରକାରୀ ଜମିକୁ ମାଡି ବସିଛନ୍ତି ।
ଏହି ଜମି ମଧ୍ୟରୁ ଅଧିକାଂଶର ମାଲିକ ହେଉଛି ସାଧାରଣ ପ୍ରଶାସନ ବିଭାଗ । ଏହାଛଡା ପୂର୍ତ୍ତ, ବିଏମସି, ବିଡିଏ, ଖଦିବୋର୍ଡ ଆଦିର ବି କିଛି ଜମି ରହିଛି । ଏହିସବୁ ସରକାରୀ ସଂସ୍ଥାର ନିଜସ୍ୱ ଉଚ୍ଛେଦ ଟିମ୍ ରହିଛନ୍ତି । ଏମାନଙ୍କୁ ସହାୟତା ପାଇଁ କମିଶନରେଟ ପୁଲିସ୍ ବି ରହିଛି । ତେବେ ବର୍ଷ ବର୍ଷ ଧରି ଏମାନେ ସରକାରୀ ଜମିକୁ ମୁକୁଳାଇ ପାରୁନାହାନ୍ତି । ତେବେ ସବୁଠାରୁ ବଡ କଥା ହେଉଛି ଜବରଦଖଲକାରୀମାନେ ସରକାରୀ ଜମିରେ କରିଥିବା ଘର ଭଡା ଅର୍ଥରେ ମାମଲା ଲଢୁଥିବାବେଳେ ସରକାର ଏ ବାବଦରେ ରାଜକୋଷରୁ ଅର୍ଥ ବ୍ୟୟ କରୁଛନ୍ତି ।
ସରକାରୀ ଜମି ଉଚ୍ଛେଦ କ୍ଷେତ୍ରରେ ପ୍ରଶାସନର ଏଭଳି କୋହଳ ପଣ ଦେଖି ଦିନକୁ ଦିନ ସହରରେ ଜବରଦଖଲ ସଂଖ୍ୟା ବଢିବାରେ ଲାଗିଛି । ରାସ୍ତାକଡରେ ଥିବା ଜମି, କନଜରଭେନ୍ସି, ବିଦ୍ୟାଳୟ ଭିତରେ ଥିବା ଖାଲି ସ୍ଥାନ ଆଦିକୁ ବି ଆଉ ଜବରଦଖଲକାରୀମାନେ ଛାଡୁ ନାହାନ୍ତି । ଏମାନଙ୍କ ନଜର ଏବେ ପଡିଛି ସହରର ବିଭିନ୍ନ ୟୁନିଟ୍ରେ ସରକାରୀ କ୍ୱାଟର୍ସ ପଛପଟେ ଥିବା କନଜରଭେନ୍ସିରେ । ସ୍ୱରେଜ ଓ ସଫେଇ ପାଇଁ ଥିବା ଏହି ଅଞ୍ଚଳରେ ରାତାରାତି ଘର ତିଆରି କରି ବିକ୍ରି କରୁଛନ୍ତି ନହେଲେ ଭଡା ଦେଇଦେଉଛନ୍ତି । ଏହି ବେଆଇନ୍ ଘରକୁ ବି ତତ୍କାଳ ବିଦ୍ୟୁତ୍ ଓ ଜଳ ସଂଯୋଗ ମିଳିଯାଉଛି ।
ଏବେ ସହରକୁ ପରିଷ୍କାର କରିବାପାଇଁ ବିଏମ୍ସି ପକ୍ଷରୁ କନଜରଭେନ୍ସିରେ ଟାଇଲ ବିଛା କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଏଭଳି ଜବରଦଖଲ ସେଥିରେ ବାଧକ ସାଜିଛି । ଏପରିକି କନଜରଭେନ୍ସିରେ ଥିବା ଜରିପାଲଘେରା ଜବରଦଖଲକୁ ଉଚ୍ଛେଦ କରି ଟାଇଲ୍ ବିଛାଇବାକୁ ବିଏମ୍ସି ସାହସ କୁଳାଇ ପାରୁନାହିଁ । ଖୋଦ୍ ଲୋକସେବାଭବନ ଓ ରାଜଭବନ ଆଖପାଖରେ ଏଭଳି ଜବରଦଖଲ ଉଚ୍ଛେଦ ନହେବା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।
ବର୍ତ୍ତମାନ ସହରର ବସ୍ତିବାସିନ୍ଦାଙ୍କୁ ଜାଗା ମିଶନରେ ଜମି ମିଳିବା ଓ ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଗୃହ ଯୋଜନାରେ ଘର ମିଳିବା ଦେଖିବାପରେ ଅନେକ ବ୍ୟକ୍ତି ରାତାରାତି ବସ୍ତି ତିଆରି କରିବାରେ ଲାଗିଛନ୍ତି । ଏହି ଯୋଜନାରେ ସାମିଲ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ କେତେକ ଆଗାମୀ ଦିନରେ ଅଧିକ ଜମି ଓ ଘର ପାଇବାପାଇଁ ସରକାରୀ ଜମିକୁ ଅକ୍ତିଆର କରିବାରେ ଲାଗିଛନ୍ତି । (ତଥ୍ୟ)