Home Judiciary ମାମଲା ଫଏସଲା ହାର ଅଧିକ

ମାମଲା ଫଏସଲା ହାର ଅଧିକ

ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟରେ ଏବେ ୧୩ଟି ବିଚାରପତି ପଦବୀ ଖାଲି ରହିଛି । ଏସବୁ ପଦବୀ କେବେ ସୁଦ୍ଧା ପୁରଣ ହେବ ସେ ସଂକ୍ରାନ୍ତରେ କେହି ସ୍ପଷ୍ଟ ସୂଚନା ଦେଇପାରୁନଥିବାବେଳେ ହାଇକୋର୍ଟରେ କିନ୍ତୁ ଦାଏର ହୋଇଥିବା ମାମଲା ତୁଳନାରେ ଫଇସଲା ହାର ଅଧିକ ରହୁଛି ।

ଏଠାରେ ଉଲ୍ଲେଖନୀୟ ଯେ ଓଡ଼ିଶା ହାଇକୋର୍ଟ ପାଇଁ ୩୩ଟି ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀ ଥିବାବେଳେ ଏବେ ଏଠାରେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତିଙ୍କୁ ମିଶାଇ ୨୦ଜଣ ବିଚାରପତି କାର୍ଯ୍ୟ କରୁଛନ୍ତି । ମୁଖ୍ୟ ବିଚାରପତି ପଦବୀ ପୁରଣ ଲାଗି ସୁପ୍ରିମ୍‍କୋର୍ଟ କଲେଜିୟମ ନାମ ସୁପାରିଶ କରିଥିଲେ ମଧ୍ୟ ଏଯାବତ୍‍ କେନ୍ଦ୍ର ସରକାର ଏ ପ୍ରସଙ୍ଗରେ କିଛି ନିଷ୍ପତ୍ତି ନେଇନାହାନ୍ତି ।

ତେଣୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତି ସଂକ୍ରାନ୍ତୀୟ ବିଜ୍ଞପ୍ତି କେବେ ପ୍ରକାଶ ପାଇବ ତାହା ବି ଅନିଶ୍ଚିତତା ଘେରରେ । ଏହାସତ୍ତ୍ୱେ ମଧ୍ୟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତିଙ୍କ ସମେତ ଅନ୍ୟ ବିଚାରପତିମାନଙ୍କ ସକ୍ରିୟ ଓ ସକାରାତ୍ମକ କାର୍ଯ୍ୟପଦ୍ଧତି ଯୋଗୁ ମାମଲା ଫଇସଲା ହାର ଅଧିକ ରହୁଛି । ଯଦି ସମସ୍ତ ବିଚାରପତି ପଦବୀ ପୁରଣ ହୋଇପାରନ୍ତା ତେବେ ତ୍ୱରିତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଓଡ଼ିଶା ହାଇକୋର୍ଟ ନୂଆ କୀର୍ତ୍ତିସ୍ତମ୍ଭ ସ୍ଥାପନ କରିପାରନ୍ତା ବୋଲି ବହୁ ଅଭିଜ୍ଞ ଆଇନଜ୍ଞ ଆଶାବ୍ୟକ୍ତ କରୁଛନ୍ତି ।

୨୦୨୩ ଜାନୁୟାରୀରୁ ନଭେମ୍ବର ଶେଷସୁଦ୍ଧା ଓଡ଼ିଶା ହାଇକୋର୍ଟରେ ୯୬,୮୨୧ଟି ମାମଲା ରୁଜୁ ହୋଇଥିବାବେଳେ ୧,୧୨,୦୪୮ଟି ମାମଲା ଫଇସଲା ହୋଇଛି । ଏଥିମଧ୍ୟରେ ଅପରାଧିକ ମାମଲା ସଂଖ୍ୟା ୪୨,୯୦୦ବୋଲି କୁହାଯାଉଛି । ଗତବର୍ଷ ଶେଷସୁଦ୍ଧା ଓଡ଼ିଶା ହାଇକୋର୍ଟର ବିଚାରାଧୀନ ମାମଲା ସଂଖ୍ୟା ୧, ୬୪, ୭୭୧ ଥିବାବେଳେ ଗତ ନଭେମ୍ବର ବେଳକୁ ଏହି ସଂଖ୍ୟା କମି ୧,୪୪,୫୮୫ରେ ପହଞ୍ôଚଛି ।

ଏହି ହାର ଅବ୍ୟାହତ ରହିଲେ ଚଳିତବର୍ଷ ଶେଷ ସୁଦ୍ଧା ଓଡ଼ିଶା ହାଇକୋର୍ଟର ବିଚାରାଧିନ ମାମଲା ସଂଖ୍ୟା ଆହୁରି କମିପାରେ । ତେବେ ଚଳିତ ବର୍ଷର ପ୍ରଥମ ୧୧ ମାସରେ ଓଡିଶା ହାଇକୋର୍ଟରେ ଯେତେ ମାମଲା ରୁଜୁ ହୋଇଛି ଫଇସଲା ହାର ତାହାର ପାଖାପାଖି ୧୧୬ ପ୍ରତିଶତ ବୋଲି କୁହାଯାଉଛି ।

ସୂଚନା ମୁତାବକ ଚଳିତବର୍ଷର ପ୍ରଥମ ୧୧ ମାସରେ ଓଡ଼ିଶା ହାଇକୋର୍ଟ ପାଖାପାଖି ଅଢେଇ ହଜାର ରାୟ ପ୍ରକାଶ କରିଛନ୍ତି । ଏହାସତ୍ତ୍ୱେ ବି ଆଉକେତେକ ଖଣ୍ଡପୀଠରେ ଦୀର୍ଘଦିନ ଧରି ରାୟ ସଂରକ୍ଷିତ ରହିଛି । ମାମଲା ସଂଖ୍ୟା ତୁଳନାରେ କମ୍‍ ସଂଖ୍ୟକ ବିଚାରପତି ଥିବାରୁ ପ୍ରତିଦିନର ମାମଲା ଶୁଣାଣି ତାଲିକାରେ ଜଣେ ଜଣେ ବିଚାରପତିଙ୍କ ନିକଟରେ ଯେତେ ମାମଲା ତାଲିକାଭୁକ୍ତ ହେଉଛି ସେସବୁ ଫଇସଲା କରିବା କାଠିକାର ପାଠ । ଏହାସତ୍ତ୍ୱେ ବି ବହୁ ବିଚାରପତି ବେଶ୍‍ ଶ୍ରମ ସ୍ୱୀକାର କରି ଧର୍ଯ୍ୟର ସହ ମାମଲା ଶୁଣାଣି ସଙ୍ଗେ ଫଇସଲା ବି କରୁଛନ୍ତି ।

ତେବେ ବହୁ କ୍ଷେତ୍ରରେ ଜଣିକିଆ ବେଞ୍ଚର ଆଦେଶନାମା ବିରୁଦ୍ଧରେ ସରକାରଙ୍କ ପକ୍ଷରୁ ଦୁଇଜଣିଆ ଖଣ୍ଡପୀଠ ନିକଟରେ ରିଟ୍‍ ଅପିଲ୍‍ମାନ ଦାଖଲ କରାଯିବା ଏବଂ ଅଦାଲତଙ୍କ ଆଦେଶନାମାର କାର୍ଯ୍ୟକାରିତା ପାଇଁ ଆବେଦନକାରୀ ଅଦାଲତ ଅବମାନନା ମାମଲା ସରକାରୀ ଅଧିକାରୀମାନଙ୍କ ବିରୁଦ୍ଧରେ ରୁଜୁ କରିବା ଫଳରେ ମାମଲା ସଂଖ୍ୟା ଅଧିକ ରହୁଛି ବୋଲି ଅଭିଜ୍ଞ ଆଇନଜ୍ଞମାନେ ମତବ୍ୟକ୍ତ କରୁଛନ୍ତି ।

ରାଜ୍ୟ ସରକାର ତାଙ୍କ ନିଜ ମାମଲା ନୀତିର ନିଜେ ଠିକଣା ଅନୁପାଳନ କଲେ ହାଇକୋର୍ଟ ସମେତ ରାଜ୍ୟର ଅନ୍ୟାନ୍ୟ ଆଇନ ଅଦାଲତରେ ମାମଲା ସଂଖ୍ୟା ହ୍ରାସ ପାଇପାରନ୍ତା । ଏଥିସହିତ ସାଧାରଣ ଲୋକ ଓ କର୍ମଚାରୀମାନଙ୍କ ଅଭିଯୋଗ ଓ ସମସ୍ୟା ଗୁଡିକର ତ୍ୱରିତ ଫଇସଲା ପ୍ରଶାସନିକ ସ୍ତରରେ ହୋଇପାରିଲେ ମାମଲା ସଂଖ୍ୟା ବି କମି ପାରନ୍ତା । (ତଥ୍ୟ)