Home Administration ମାମଲା ପରିଚାଳନା ପାଇଁ ଅଧିକାରୀଙ୍କୁ ତାଲିମ

ମାମଲା ପରିଚାଳନା ପାଇଁ ଅଧିକାରୀଙ୍କୁ ତାଲିମ

ଭୁବନେଶ୍ୱର : ବଢ଼ି ଚାଲୁଥିବା ମାମଲା ବୋଝ ରାଜ୍ୟ ସରକାରଙ୍କ ବଡ଼ ଆହ୍ୱାନ ଭାବେ ଉଭା ହୋଇଥିବାରୁ ଏହି ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ତାଲିମ ପ୍ରଦାନ ଉପରେ ଗୁରୁତ୍ୱାରୋପ କରାଯାଉଛି । ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ସମେତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ, ରାଜସ୍ୱ ଅଧିକାରୀ ତାଲିମ ସଂସ୍ଥା ଆଦି ବିଭିନ୍ନ ତାଲିମ କେନ୍ଦ୍ରରେ ମାମଲା ପରିଚାଳନା ପ୍ରସଂଗରେ ସ୍ୱତନ୍ତ୍ର ଅଧିକାରୀ ତାଲିମ ଶିବିରମାନ ଅନୁଷ୍ଠିତ ହେଉଛି ।

ଏବେ ଓଡ଼ିଶାରେ ୨୦ଲକ୍ଷରୁ ଅଧିକ ମାମଲା ବିଭିନ୍ନ ଆଇନ୍‍ ଅଦାଲତରେ ବିଚାର ପ୍ରତୀକ୍ଷାରେ ଥିବାବେଳେ ସେଥିରୁ ପ୍ରାୟ ୧୪ଲକ୍ଷ ହେଉଛି ଅପରାଧିକ ମାମଲା । ଚାକିରି ଓ ପେନ୍‍ସନ୍‍ ସଂକ୍ରାନ୍ତୀୟ ଲକ୍ଷାଧିକ ମାମଲା ପଡ଼ିରହିଛି । ବିଭିନ୍ନ ରାଜସ୍ୱ ଦପ୍ତର ଓ ଟ୍ରିବ୍ୟୁନାଲ୍‍ଗୁଡ଼ିକରେ ବିଚାର ପ୍ରତୀକ୍ଷାରେ ଥିବା ମାମଲାଗୁଡ଼ିକୁ ମିଶାଇଲେ ମୋଟ ମାମଲା ସଂଖ୍ୟା ୩୦ଲକ୍ଷ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ବିଭିନ୍ନ ପ୍ରସଂଗରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସରକାରୀ କର୍ମଚାରୀଙ୍କ ପର୍ଯ୍ୟନ୍ତ କର୍ତ୍ତୃପକ୍ଷଙ୍କ ନିକଟରେ କରୁଥିବା ଅଭିଯୋଗଗୁଡ଼ିକର ଯଦି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସକାରାତ୍ମକ ସମାଧାନ ହୋଇପାରନ୍ତା, ତେବେ ମାମଲା ସଂଖ୍ୟା ହ୍ରାସ ପାଆନ୍ତା ବୋଲି କୁହାଯାଉଛି ।

ଏଠାରେ ଉଲ୍ଲେଖନୀୟ ଯେ ମାମଲା ସଂଖ୍ୟା ହ୍ରାସ କରିବା ପାଇଁ ରାଜ୍ୟ ସରକାର ୨୦୧୧ ମସିହାରେ ସ୍ୱତନ୍ତ୍ର ମାମଲା ନୀତି ପ୍ରଣୟନ କରିଥିଲେ । ସୀମିତ ସମୟ ଭିତରେ ୫ବର୍ଷରୁ ଅଧିକ ସମୟ ଧରି ଗଡ଼ୁଥିବା ମାମଲାଗୁଡ଼ିକୁ ସଫା କରିବା ପାଇଁ ମାମଲା ନୀତିର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରହିଥିଲେ ମଧ୍ୟ ଏହା ଠିକଣା ଭାବେ କାର୍ଯ୍ୟକାରୀ ହୋଇନଥିବାରୁ ମାମଲା ସଂଖ୍ୟା ବଢ଼ିବାସହିତ ପୁରୁଣା ମାମଲାର ମଧ୍ୟ ବୋଝ ବଢ଼ିବଢ଼ି ଚାଲୁଛି । ଏମିତିକି ୨୦/୩୦ବର୍ଷରୁ ଅଧିକ ସମୟ ଧରି ବହୁ ମାମଲା ବି ଆଇନ୍‍ ଅଦାଲତଗୁଡ଼ିକରେ ଗଡ଼ୁଛି ।

ଓଡ଼ିଶା ହାଇକୋର୍ଟରେ ପ୍ରାୟ ୧ଲକ୍ଷ ୪୫ ହଜାର ମାମଲା ବିଚାର ପ୍ରତୀକ୍ଷାରେ ରହିଛି । ଏଥିରୁ ବି ଅନେକ ପୁରୁଣା ମାମଲା । କେବଳ ସେତିକି ନୁହେଁ, ହାଇକୋର୍ଟରେ ୧୧ ହଜାରରୁ ଅଧିକ ଅଦାଲତ ଅବମାନନା ମାମଲା ମଧ୍ୟ ଚାଲୁଛି ଯେଉଁଥିରୁ ଅଧିକାଂଶରେ ବରିଷ୍ଠ ସରକାରୀ ଅଧିକାରୀମାନେ ପକ୍ଷଭୁକ୍ତ ରହିଛନ୍ତି । ଗୋଟିଏ ସମୟରେ ୨୦୦୦ ମସିହା ପୂର୍ବର ସମସ୍ତ ପୁରୁଣା ମାମଲାକୁ ସୀମିତ ସମୟ ସୀମା ମଧ୍ୟରେ କିପରି ଫଇସଲା କରାଯାଇପାରିବ ସେଥିଘେନି ଚିନ୍ତାବ୍ୟକ୍ତ କରାଯାଉଥିଲା । କିନ୍ତୁ ସାରା ରାଜ୍ୟରେ ୧୯୯୯ ଓ ତତ୍‍ପୂର୍ବର ହଜାର ହଜାର ମାମଲା ବିଚାର ପାଇଁ ଗଡ଼ୁଛି । ମାମଲାର ଚାପା ଯୋଗୁ ସରକାରଙ୍କ ଉପରେ ଆର୍ôଥକ ଓ ପ୍ରଶାସନିକ ଚାପ ବଢ଼ିବା ସଂଗେ ସଂଗେ ଅନେକ ଅଧିକାରୀ କାଠଗଡ଼ା ମଧ୍ୟକୁ ବାରମ୍ବାର ଟାଣି ହୋଇ ଆସୁଛନ୍ତି । ଏହି ସମସ୍ୟାର ତ୍ୱରିତ ସମାଧାନ ଲାଗି ରାଜ୍ୟ ସରକାର ଗଭୀର ଚିନ୍ତା କରୁଥିବା ଜଣାପଡିଛି ।

ସାଧାରଣ ପ୍ରଶାସନ ବିଭାଗ ଇତିମଧ୍ୟରେ ବିଭିନ୍ନ୍‍ ବିଭାଗ, ବିଭାଗୀୟ ମୁଖ୍ୟ ଦପ୍ତର ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଅଦାଲତଙ୍କ ରାୟର ଠିକଣା ସମୟରେ ଅନୁପାଳନ ଏବଂ ଅଦାଲତ ଅବମାନନା ମାମଲା ସଂକ୍ରାନ୍ତଗୁଡ଼ିକରେ ନିୟମିତ ସମୀକ୍ଷା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସତ୍ତ୍ୱେ ବି ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶନାମାକୁ କେତେକ ଦପ୍ତର ଅଣଦେଖା କରୁଥିବା ଘେନି ଅଭିଯୋଗ ହେଉଛି । ଏଭଳି କ୍ଷେତ୍ରରେ ଆବଶ୍ୟକ ପଡ଼ିଲେ ସଂପୃକ୍ତ ଅଧିକାରୀମାନଙ୍କୁଉତ୍ତରଦାୟୀ କରି ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ବରିଷ୍ଠ ଅଧିକାରୀମାନେ କହୁଛନ୍ତି । ତାଲିମ ପ୍ରଦାନ ସହିତ ମାମଲା ପରିଚାଳନା ପ୍ରକ୍ରିୟାକୁ ସୁଗମ କରିବା ଲାଗି ବରିଷ୍ଠ ବିଧିବିଶେଷଜ୍ଞମାନଙ୍କୁ ପରାମର୍ଶଦାତା ଭାବେ ସଚିବାଳୟରେ ନିଯୁକ୍ତ କରିବା ଲାଗି ମଧ୍ୟ ସରକାର ଚିନ୍ତା କରୁଥିବା ଜଣାପଡିଛି । (ତଥ୍ୟ)