Home Judiciary ମାମଲା ନୀତି ପାଳନ ନେହବାରୁ ବଢୁଛି ମାମଲା

ମାମଲା ନୀତି ପାଳନ ନେହବାରୁ ବଢୁଛି ମାମଲା

ଭୁବନେଶ୍ୱର : ଓଡିଶା ସରକାରଙ୍କ ରାଜ୍ୟ ମାମଲା ନୀତିର ଠିକଣା ଅନୁପାଳନ ହେଉନଥିବାରୁ ଆଇନ୍‍ ଅଦାଲତରେ ମାମଲା ସଂଖ୍ୟା କମିବା ପରିବର୍ତ୍ତେ ବଢି ବଢି ଚାଲିଛି । ମାମଲା ଚାପ ଯୋଗୁଁ ପ୍ରଶାସନିକ କାର୍ଯ୍ୟ ଗୁରୁତର ଭାବେ ବ୍ୟାହତ ହେଉଥିବାବେଳେ ଏଥିଲାଗି ସରକାରୀକଳର ବ୍ୟାପକ ସମୟ ଓ ସମ୍ବଳ ମଧ୍ୟ ଅପଚୟ ହେଉଛି ।

୨୦୧୧ ମଇ ୩୦ ତାରିଖରେ ରାଜ୍ୟ ସରକାରଙ୍କ ଆଇନ୍‍ ବିଭାଗ ମାମଲା ନୀତି ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ କରିଥିଲେ । ତୟୋଦଶ ଅର୍ଥ କମିଶନଙ୍କ ସୁପାରିଶ୍‍ ଅନୁଯାୟୀ ସେତେବେଳେ ଏହି ମାମଲା ନୀତି ପ୍ରଣୟନ କରାଯାଇଥିଲା । ତେବେ ଖୋଦ ସରକାରୀକଳ ଏହାର ଠିକଣା ଅନୁପାଳନ ନକରିବାରେ ଓଡିଶା ହାଇକୋର୍ଟରେ ୨୦୨୩ ମସିହାରେ ଏକ ଜନସ୍ୱାର୍ଥ ସମ୍ବଳିତ ମାମଲା ରୁଜୁ ହୋଇଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ମାମଲା ନୀତି ସଂକ୍ରାନ୍ତରେ ରାଜ୍ୟ ସରକାର ବିସ୍ତୃତ ସତ୍ୟପାଠ ଦାଖଲ କରିବାର ଥିଲା ।

ଇତି ମଧ୍ୟରେ ରାଜ୍ୟ ସରକାରଙ୍କ ଆଇନ୍‍ ବିଭାଗ ୨୦୨୪ ଅଗଷ୍ଟ ୬ ତାରିଖରେ ସଂଶୋଧିତ ବିସ୍ତୃତ ମାମଲା ନୀତି ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏଥିରେ ମାମଲା ରୋକିବାପାଇଁ ଅଭିଯୋଗ ଶୁଣାଣି ବ୍ୟବସ୍ଥାକୁ ସୁଦୃଢ କରିବା ଉପରେ ଗୁରୁତ୍ୱ ଦେଇ ସ୍ୱତନ୍ତ୍ର ଜନଶୁଣାଣି ପୋର୍ଟାଲ ଖୋଲାଯାଇଛି । ରାଜ୍ୟ, ଜିଲ୍ଲା, ସବଡିଭିଜନ ଓ କ୍ଷେତ୍ର ଦପ୍ତରଗୁଡିକରେ କେତେଦିନ ମଧ୍ୟରେ ଅଭିଯୋଗର ଚୂଡାନ୍ତ ଫଏସଲା ହେବ ସେଥିଲାଗି ମଧ୍ୟ ବ୍ୟବସ୍ଥା କରାଯାଇଛି । ତେବେ ସଂଖ୍ୟାଧିକ କ୍ଷେତ୍ରରେ ଅଭିଯୋଗୁଡିକୁ ଗୋଟିଏ ଦପ୍ତରରୁ ଆଉଗୋଟିଏ ଦପ୍ତରକୁ ପଠାଇ ଦେଇ କର୍ତ୍ତୃପକ୍ଷ ଫଏସଲା ତାଲିକା ଲମ୍ବାଇ ଚାଲିଛନ୍ତି । ଏଥିରୁ ସୁଫଳ ନପାଇ ସାଧାରଣ ଲୋକଙ୍କ ଠାରୁ ସରକାରୀ କର୍ମଚାରୀଙ୍କ ପର୍ଯ୍ୟନ୍ତ ଆଇନ୍‍ ଅଦାଲତର ଦ୍ୱାରସ୍ଥ ହେବାକୁ ବାଧ୍ୟ ହେଉଛନ୍ତି ।

ମାମଲା ନୀତିର ଉଲ୍ଲଙ୍ଘନକାରୀଙ୍କ ପ୍ରତି ଦଣ୍ଡବିଧାନ ଲାଗି ଏଥିରେ ବ୍ୟବସ୍ଥା ରହିଛି । ଏମିତିକି ରାଜ୍ୟ ସ୍ତରରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ମଧ୍ୟ ମାମଲା ନୀତି ପ୍ରସଙ୍ଗରେ ଅଛି । ମୋଟାମୋଟି ଭାବେ ଲୋକଙ୍କ ଅଭିଯୋଗର ତ୍ୱରିତ ସମାଧାନ ସହିତ ମାମଲା ସଂଖ୍ୟା ହ୍ରାସ ଏବଂ ଆଇନ୍‍ ଅଦାଲତ ଉପରୁ ଚାପ ହଟାଇବା ମାମଲା ନୀତିର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଉଛି ।

ଏହାଛଡା ମାମଲା ପରିଚାଳନାବେଳେ ଯେଭଳି ସରକାରଙ୍କ ପକ୍ଷରୁ ଅଯଥାରେ ସମୟ ନିଆନଯାଏ ଏବଂ ଦକ୍ଷ ସରକାରୀ ପ୍ୟାନେଲର ଓକିଲମାନେ ଠିକଣା ଭାବେ ମାମଲା ପରିଚାଳନା କରନ୍ତି ସେ ଦିଗରେ ମଧ୍ୟ ମାମଲା ନୀତିରେ ଗୁରୁତ୍ୱ ଦିଆଯାଇଛି । କିଭଳି ଭାବେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସରକାରଙ୍କ ପକ୍ଷରୁ ଅଦାଲତରେ ଉତ୍ତର ଦାଖଲ କରାଯିବ, ଆବଶ୍ୟକସ୍ଥଳେ ତୁରନ୍ତ ଉପର ଅଦାଲତମାନଙ୍କରେ ଅପିଲ ପିଟିସନ ଦାଖଲ ହେବ ସେ ଦିଗରେ ମଧ୍ୟ ମାମଲା ନୀତିରେ ସ୍ପଷ୍ଟ ଉଲ୍ଲେଖ ରହିଛି । ଏହାଛଡା ଯେଉଁସବୁ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଆଇନ୍‍ ଅଦାଲତ ନିଷ୍ପତ୍ତି ନେଉଛନ୍ତି ଏବଂ ତାହାକୁ ରାଜ୍ୟ ସରକାର ନୀତିଗତ ଭାବେ ପାଳନ କରୁଛନ୍ତି ସେ କ୍ଷେତ୍ରରେ ଅନୁରୂପ ଘଟଣାରେ ମାମଲା ବଢିବାକୁ ନଦେଇ ସରକାର ତାହାର ଅନୁପାଳନ କରିବା ଏବଂ ପଡି ରହିଥିବା ମାମଲାଗୁଡିକ ସଂକ୍ରାନ୍ତରେ ନିୟମିତ ସମୀକ୍ଷା କରିବାପାଇଁ ଏଥିରେ ସ୍ପଷ୍ଟ ଉଲ୍ଲେଖ ଥିବା ସ୍ଥଳେ ମାମଲା ସଂଖ୍ୟା କିନ୍ତୁ କମିବା ପରିବର୍ତ୍ତେ ବଢୁଛି ଓ ସରକାରଙ୍କ ପକ୍ଷରୁ ଅନେକ କ୍ଷେତ୍ରରେ ଧାର୍ଯ୍ୟ ସମୟସୀମା ମଧ୍ୟରେ ଉତ୍ତର ଦାଖଲ ଓ ଅନୁପାଳନ ରିପୋର୍ଟ ଦାଖଲ ନକରି ସମୟ ଗଡା ଚାଲୁଥିବା ଘେନି ଗୁରୁତର ଅଭିଯୋଗମାନ ହେଉଛି । (ତଥ୍ୟ)