Home Education ମାଧ୍ୟମିକ ସ୍ତରରେ ଅଧାରୁ ପାଠ ଛଡା ସର୍ବାଧିକ

ମାଧ୍ୟମିକ ସ୍ତରରେ ଅଧାରୁ ପାଠ ଛଡା ସର୍ବାଧିକ

ଭୁବନେଶ୍ୱର : ଛାତ୍ରଛାତ୍ରୀମାନଙ୍କର ଅଧାରୁ ପାଠ ଛାଡୁଥିବା ନେଇ ସବୁ ସ୍ତରରେ ଉଦ୍‍ବେଗ ପ୍ରକାଶ ପାଉଥିବାବେଳେ ଅଧିକାଂଶ ଛାତ୍ରଛାତ୍ରୀ ନବମ ଓ ଦଶମ ଶ୍ରେଣୀରେ ଅଧାରୁ ପାଠ ଛାଡୁଥିବା ଜଣାଯାଇଛି ।

ସରକାରୀ ସ୍ତରରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରାଥମିକ ସ୍ତରରେ ରାଜ୍ୟରେ ହାରାହାରି ଭାବେ ୦.୭ ପ୍ରତିଶତ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡୁଥିବାବେଳେ ମାଧ୍ୟମିକ ସ୍ତର ଯାହାକି ଷଷ୍ଠରୁ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ ରହିଛି ସେଠାରେ ହାରାହାରି ୩.୨ ପ୍ରତିଶତ ପିଲା ଅଧାରୁ ପାଠ ଛାଡୁଛନ୍ତି । ଏମାନଙ୍କ ମଧ୍ୟରେ ଛାତ୍ରଙ୍କ ସଂଖ୍ୟା ୩.୭ ପ୍ରତିଶତ ହୋଇଥିବାବେଳେ ଛାତ୍ରୀଙ୍କ ସଂଖ୍ୟା ୨.୬ ପ୍ରତିଶତ ରହିଛି ।

ହେଲେ ମାଧ୍ୟମିକ ଶ୍ରେଣୀ ବିଶେଷକରି ନବମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଧାରୁ ପାଠ ଛାଡିବାର ହାର ଅଧିକ ରହିଛି । ୨୦୨୪-୨୫ ଶିକ୍ଷାବର୍ଷରେ ଏହି ଦୁଇ ଶ୍ରେଣୀରେ ହାରାହାରି ୧୫ ପ୍ରତିଶତ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡିଛନ୍ତି । ଏମାନଙ୍କ ମଧ୍ୟରେ ଛାତ୍ରଙ୍କ ସଂଖ୍ୟା ୧୭.୩ ପ୍ରତିଶତ ରହିଥିବାବେଳେ ଛାତ୍ରୀଙ୍କ ସଂଖ୍ୟା ୧୨.୫ ପ୍ରତିଶତ ରହିଛି । ୨୦୨୩-୨୪ ବର୍ଷରେ ହାରାହାରି ୧୨.୮ ପ୍ରତିଶତ ଛାତ୍ରଛାତ୍ରୀ ଏହି ଶ୍ରେଶୀରେ ଅଧାରୁ ପାଠ ଛାଡିଥିଲେ ।

ତେବେ ନବମ ଓ ଦଶମ ଶ୍ରେଣୀରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ମଧ୍ୟରେ ସର୍ବାଧିକ ୨୯.୭ ପ୍ରତିଶତ ନବରଙ୍ଗପୁର ଜିଲ୍ଲାରେ ରହିଛି । ୨୩.୮ ପ୍ରତିଶତ ବୌଦ୍ଧ ଜିଲ୍ଲାର ଥିବାବେଳେ ନୟାଗଡ ଜିଲ୍ଲାରେ ଏହା ୨୩.୨ ପ୍ରତିଶତ ରେକର୍ଡ କରାଯାଇଛି । କେନ୍ଦୁଝର ଜିଲ୍ଲାରେ ଏହା ୨୨ ପ୍ରତିଶତ ଥିବାବେଳେ ଭଦ୍ରକ ଜିଲ୍ଲାରେ ୨୧.୯, ମାଲକାନଗିରିରେ ୨୧.୩, ଅନୁଗୁଳରେ ୨୦ ପ୍ରତିଶତ ରହିଛି । ରାଜ୍ୟ ରାଜଧାନୀ ଖୋରଧା ଜିଲ୍ଲାରେ ଏହା ଶୂନ ପ୍ରତିଶତ ରେକର୍ଡ କରାଯାଇଥିବାବେଳେ କଟକରେ ୭.୬ ଏବଂ ପୁରୀରେ ୭.୯ ପ୍ରତିଶତ ରହିଛି ।

ସେହିଭଳି ଛାତ୍ରୀଙ୍କ ତୁଳନାରେ ଛାତ୍ରମାନେ ଅଧିକ ସଂଖ୍ୟାରେ ଅଧାରୁ ପାଠ ଛାଡୁଥିବା ରେକର୍ଡ ହୋଇଥିବାବେଳେ ନବରଙ୍ଗପୁର ଜିଲ୍ଲାରେ ୩୦ ପ୍ରତିଶତ ଛାତ୍ର ମାଧ୍ୟମିକ ସ୍ତରରେ ଅଧାରୁ ପାଠ ଛାଡୁଛନ୍ତି । ଭଦ୍ରକ ଜିଲ୍ଲାରେ ଏହା ୨୬.୪ ପ୍ରତିଶତ ଥିବାବେଳେ କେନ୍ଦୁଝରରେ ୨୬.୧ ପ୍ରତିଶତ ରହିଛି ।

ସେହିଭଳି ଉଚ୍ଚ ପ୍ରାଥମିକ ସ୍ତରରେ ୩.୭ ପ୍ରତିଶତ ଛାତ୍ର ଅଧାରୁ ପାଠ ଛାଡୁଥିବାବେଳେ ଏମାନଙ୍କ ମଧ୍ୟରେ ମାଲକାନଗିରିରୁ ସର୍ବାଧିକ ୧୩.୨ ପ୍ରତିଶତ ରହିଛନ୍ତି । ଝାରସୁଗୁଡା ଜିଲ୍ଲାରେ ଏହି ଶ୍ରେଣୀରେ ଜଣେ ହେଲେ ପିଲା ଅଧାରୁ ପାଠ ଛାଡୁନଥିବା ରେକର୍ଡ କରାଯାଇଛି ।

ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ ଲାଗି ରାଜ୍ୟ ସରକାର ମାଗଣା ପୋଷାକ ଠାରୁ ଆରମ୍ଭ କରି ମଧ୍ୟାହ୍ନଭୋଜନ, ପୁସ୍ତକ, ସାଇକେଲ, ବୃତ୍ତି ଆଦି ଯୋଗାଇ ଦେଉଥିବାବେଳେ ଛାତ୍ରଛାତ୍ରୀମାନଙ୍କ ଅଧାରୁ ପାଠପଢା ଛାଡିବା ଏବେ କର୍ତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇଛି । (ତଥ୍ୟ)