Home Education ମାଧ୍ୟମିକ ଶ୍ରେଣୀରେ ସର୍ବାଧିକ ପାଠ ଛାଡୁଛନ୍ତି

ମାଧ୍ୟମିକ ଶ୍ରେଣୀରେ ସର୍ବାଧିକ ପାଠ ଛାଡୁଛନ୍ତି

ଭୁବନେଶ୍ୱର : ରାଜ୍ୟରେ ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ମାଧ୍ୟମିକ ବିଦ୍ୟାଳୟରେ ଅଧିକ ରହୁଛି । ପ୍ରାଥମିକ ବିଦ୍ୟାଳୟରେ ଜଣେ ହେଲେ ପିଲା ଅଧାରୁ ପାଠ ଛାଡୁନଥିବାବେଳେ ମାଧ୍ୟମିକ ବିଦ୍ୟାଳୟରେ ଏହି ସଂଖ୍ୟା ୨୭ ପ୍ରତିଶତରୁ ଅଧିକ ରହିଛି ।

ନିକଟରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ସୁବାସ ସରକାର ଲୋକସଭାରେ ଦେଇଥିବା ସୂଚନାରୁ ଏହା ଜଣାପଡିଛି । ମନ୍ତ୍ରୀ ସଂସଦରେ ୨୦୧୭-୧୮ ରୁ ୨୦୨୧-୨୨ ପର୍ଯ୍ୟନ୍ତ ଉଭୟ ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ପରିସଂଖ୍ୟାନ ପ୍ରଦାନ କରିଛନ୍ତି ।

ଏଥିରୁ ଜଣାପଡିଛି ଯେ ଓଡିଶାରେ ୨୦୧୭-୧୮ ବର୍ଷରେ ପ୍ରାଥମିକ ସ୍ତରରେ ୫.୮ ପ୍ରତିଶତ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡି ପଳାଉଥିବାବେଳେ ଗତ ଦୁଇବର୍ଷ ଅର୍ଥାତ୍‍ ୨୦୨୦-୨୧ ଓ ୨୦୨୧-୨୨ ବର୍ଷରେ ଏହି ପରିମାଣ ଶୂନକୁ ହ୍ରାସ ପାଇଛି । ଅର୍ଥାତ୍‍ ଏହି ଦୁଇ ବର୍ଷରେ ଜଣେ ହେଲେ କେହି ଅଧାରୁ ପାଠ ଛାଡି ନାହାନ୍ତି । ତେବେ ମାଧ୍ୟମିକ ଶିକ୍ଷା ସ୍ତରରେ କିନ୍ତୁ ବଡ ଧରଣର ପରିବର୍ତ୍ତନ ପରିଲକ୍ଷିତ ହୋଇଛି ।

୨୦୧୭-୧୮ ବର୍ଷରେ ମାଧ୍ୟମିକ ସ୍ତରରେ ୨୮.୩ ପ୍ରତିଶତ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡିଥିବାବେଳେ ୨୦୧୮-୧୯ ବର୍ଷରେ କିନ୍ତୁ ତାହା ୯.୫ ପ୍ରତିଶତକୁ ହ୍ରାସ ପାଇଥିଲା । ଏହା ପରବର୍ଷ ଅର୍ଥାତ୍‍ ୨୦୧୯-୨୦ ରେ ୨୩.୬ ପ୍ରତିଶତ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡିଥିବାବେଳେ ଏହା ୨୦୨୦-୨୧ ବର୍ଷରେ ଏହା ପୁନର୍ବାର ୧୬ ପ୍ରତିଶତକୁ ହ୍ରାସ ପାଇଥିଲା । କିନ୍ତୁ ୨୦୨୧-୨୨ ବର୍ଷରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା ୨୭.୩ ପ୍ରତିଶତରେ ପହଞ୍ଚିଛି ।

୨୦୨୧-୨୨ ବର୍ଷରେ ମାଧ୍ୟମ ସ୍ତରରେ ଦେଶରେ ହାରାହାରି ୧୨.୬ ପ୍ରତିଶତ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡିଥିବାବେଳେ ଓଡିଶାରୁ ଅଧାରୁ ପାଠପଢା ଛାଡିଥିବା ପିଲାଙ୍କ ସଂଖ୍ୟା ଦେଶରେ ସର୍ବାଧିକ ରହିଛି । ଏହି ବର୍ଷ ପଡୋଶୀ ଆନ୍ଧ୍ରପ୍ରଦେଶରେ ୧୬.୩ ପ୍ରତିଶତ ଛାତ୍ରଛାତ୍ରୀ ମାଧ୍ୟମିକ ସ୍ତରରେ ଅଧାରୁ ପାଠ ଛାଡିଥିବାବେଳେ ଛତିଗଡରେ ଏହି ସଂଖ୍ୟା ୯.୭, ଝାଡଖଣ୍ଡରେ ୯.୩ ଏବଂ ପଶ୍ଚିମବଙ୍ଗରେ ୧୮ ପ୍ରତିଶତ ରହିଛି ।

ଉଲ୍ଲେଖନୀୟ ଯେ ପିଲାଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାଲାଗି ରାଜ୍ୟ ସରକାର ପ୍ରାଥମିକ ସ୍ତରରେ ପିଲାଙ୍କୁ ପୋଷାକ, ପାଠ୍ୟପୁସ୍ତକ, ଜୋତା, ମୋଜା ସହିତ ମଧ୍ୟାହ୍ନଭୋଜନ ଯୋଗାଣ କରୁଛନ୍ତି । ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ ପିଲାଏ ମଧ୍ୟାହ୍ନଭୋଜନ ପାଉଛନ୍ତି । ସେହିଭଳି ମାଧ୍ୟମିକ ସ୍ତରରେ ଛାତ୍ରଛାତ୍ରୀଙ୍କୁ ସାଇକେଲ ଯୋଗାଣ ସହିତ ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ଓ ପୋଷାକ ଆଦି ଯୋଗାଯାଉଛି । ଏଥି ସହିତ ସେମାନଙ୍କୁ ସରକାରୀ ବୃତ୍ତି ବି ମିଳୁଛି । ଏହା ସତ୍ୱେ ବି ମାଧ୍ୟମିକ ସ୍ତରରେ ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଏଭଳି ବୃଦ୍ଧି ପାଇଛି ।

ସେହଭଳି ମନ୍ତ୍ରୀ ତାଙ୍କ ସୂଚନାରେ ଦର୍ଶାଇଛନ୍ତି ଯେ ସମଗ୍ର ଶିକ୍ଷା ଯୋଜନାରେ କେନ୍ଦ୍ରୀୟ ଅଂଶ ବାବଦରେ ଓଡିଶାକୁ ୨୦୧୭-୧୮ ବର୍ଷରେ ୧୨୩୦ କୋଟି ଟଙ୍କା କେନ୍ଦ୍ର ସରକାର ମଞ୍ଜୁର କରିଥିବାବେଳେ ୨୦୧୯-୨୦ ରେ ୧୮୯୨ କୋଟି, ୨୦୨୦-୨୧ ରେ ୧୩୦୧ କୋଟି ଓ ୨୦୨୧-୨୨ ବର୍ଷରେ ୧୨୩୮ କୋଟି ଟଙ୍କା ମଞ୍ଜୁର କରୁଛନ୍ତି । ଚଳିତ ଆର୍ଥିକ ବର୍ଷର ଫେବୃୟାରୀ ୯ତାରିଖ ସୁଦ୍ଧା କେନ୍ଦ୍ର ସରକାର ସମଗ୍ର ଶିକ୍ଷା ଯୋଜନାରେ ୧୧୯୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି । (ତଥ୍ୟ)