Home General ମାତ୍ର ୬ଟି ସଂସ୍ଥାରେ ଖଦି ଉତ୍ପାଦନ

ମାତ୍ର ୬ଟି ସଂସ୍ଥାରେ ଖଦି ଉତ୍ପାଦନ

ଭୁବନେଶ୍ୱର : ଓଡିଶା ଖଦି ଓ ଗ୍ରାମଦ୍ୟୋଗ ବୋର୍ଡ ସହିତ ଅନୁବନ୍ଧିତ ଥିବା ୨୨ଟି ସଂସ୍ଥା ମଧ୍ୟରୁ ମାତ୍ର ୬ଟି ସଂସ୍ଥା ଖଦିବସ୍ତ୍ର ଉତ୍ପାଦନ କରୁଛନ୍ତି । ଏମାନଙ୍କର ବାର୍ଷିକ ଉତ୍ପାଦନ ଏକ କୋଟି ଟଙ୍କାରୁ ସାମାନ୍ୟ ଅଧିକ ରହିଛି ।

ଓଡିଶା ଖଦି ଓ ଗ୍ରାମଦ୍ୟୋଗ ବୋର୍ଡ ଅଧିନରେ ୩୦ଟି ସଂସ୍ଥା ଅନୁବନ୍ଧିତ ଥିବାବେଳେ ଏଥି ମଧ୍ୟରୁ ୨୨ଟି ସଂସ୍ଥା କାର୍ଯ୍ୟକ୍ଷମ ରହିଛିା ଏହିସବୁ ସଂସ୍ଥାମାନେ ଖଦିବସ୍ତ୍ର, ଟସର ଓ ଉଲ୍‍ ଆଦି ଉତ୍ପାଦନ ଓ ବ୍ୟବସାୟ କରୁଛନ୍ତି । ଏହିସବୁ ସଂସ୍ଥାଗୁଡିକରେ ୫୭୧ଜଣ ଲୋକ କର୍ମସଂସ୍ଥା ପାଇଛନ୍ତି ବୋଲି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।

ଏହି ସୂଚନା ଅନୁଯାୟୀ ୨୨ଟି ସଂସ୍ଥା ମଧ୍ୟରୁ ମାତ୍ର ୬ଟି ସଂସ୍ଥା ଖଦି ବସ୍ତ୍ର ଉତ୍ପାଦନ କରୁଛନ୍ତି । ଏହିସବୁ ସଂସ୍ଥା ମଧ୍ୟରେ ଗଞ୍ଜାମ ଜିଲ୍ଲା କୁକୁଡା ଖଣ୍ଡିରେ ଥିବା ଗଞ୍ଜାମ ଜିଲ୍ଲା ଖଦି ଓ ଗ୍ରାମଦ୍ୟୋଗ ସଂଘ, ସୋନପୁରରେ ଥିବା ବୁଢୀମା ଖଦି, ସିଲ୍କ ପାଟ୍ଟ ସମବାୟ ସମିତି, କଟକ ଜିଲ୍ଲା ମାଣିଆବନ୍ଧରେ ଥିବା ହିନ୍ଦୁସ୍ଥାନ ଖଦି ଗ୍ରାମଦ୍ୟୋଗ ସଂଘ, ଦେଭୋଗ ଠାରେଥିବା ମାନବ ସଂସ୍କାର ସଂଘ ଏବଂ ଜଗତ୍‍ସିଂହପୁର ଜିଲ୍ଲାର ବାଲିକୁଦା ଠାରେ ଥିବା ଗାନ୍ଧୀ ଉଦ୍ୟୋଗ ମନ୍ଦିର । ଏହିସବୁ ସଂସ୍ଥାଗୁଡିକ ଉତ୍ପାଦିତ କରିଥିବା ଖଦି ବସ୍ତ୍ରର ମୂଲ୍ୟ ୧୦୬ କୋଟି ଟଙ୍କା ବୋଲି ମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡିଛି ।

ତେବେ ମାତ୍ର ୧ କୋଟି ୬ଲକ୍ଷ ଟଙ୍କାର ଖଦି ବସ୍ତ୍ର ଉତ୍ପାଦିତ ହୋଇଥିବାବେଳେ ସିଲ୍କ ଉତ୍ପାଦନ କିନ୍ତୁ ୪କୋଟି ୨୮ଲକ୍ଷ ଟଙ୍କାର ହୋଇଛି । ଅନୁବନ୍ଧିତ ୨୨ଟି ସଂସ୍ଥା ମଧ୍ୟରୁ ୨୦ଟି ସଂସ୍ଥା ସିଲ୍କ ଉତ୍ପାଦନ ଏବଂ ବ୍ୟବସାୟ କରୁଛନ୍ତି । ଏମାନଙ୍କ ମଧ୍ୟରୁ ସୋନପୁର ଠାରେ ଥିବା ବୁଢୀମା ଖଦି ସିଲ୍କ ପାଟ୍ଟ ସମବାୟ ସମିତି ସର୍ବାଧିକ ୧କୋଟି ୨୫ଲକ୍ଷ ଟଙ୍କାର ବ୍ୟବସାୟ କରିଛି । ଏହି ସଂସ୍ଥା କିନ୍ତୁ ଖଦି ଉତ୍ପାଦନ କରିଛି ମାତ୍ର ୨୫ଲକ୍ଷ ଟଙ୍କାର ।

ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଏହି ୨୨ଟି ସଂସ୍ଥା ୫କୋଟି ୩୪ଲକ୍ଷ ଟଙ୍କାର ସାମଗ୍ରୀ ଉତ୍ପାଦନ କରିଥିବାବେଳେ ୫କୋଟି ୬୧ଲକ୍ଷ ଟଙ୍କାର ବିକ୍ରିବଟା କରିଛନ୍ତି । ଏହିସବୁ ସଂସ୍ଥାରେ ଖଦି ଓ ସିଲ୍କ ବସ୍ତ୍ର ଉତ୍ପାଦନରେ ୫୭୧ ଜଣ ବ୍ୟକ୍ତି କର୍ମସଂସ୍ଥାନ ପାଇଛନ୍ତି । ସବୁଠାରୁ ଅଧିକ ୧୩୨ ଜଣ ଲୋକ ସୋନପୁରର ବୁଢୀ ମା ଖଦି, ସିଲ୍କ ଓ ପାଟ୍ଟ ସମବାୟ ସମିତିରେ କାମ କରୁଛନ୍ତି ।

ତେବେ ମନ୍ତ୍ରୀ କହିଛନ୍ତି ଯେ ବିଗତ ୫ବର୍ଷ ମଧ୍ୟରେ ଓଡିଶା ଖଦି ଓ ଗ୍ରାମଦ୍ୟୋଗ ବୋର୍ଡଗତ ୫ବର୍ଷ ମଧ୍ୟରେ କୌଣସି ଖଦି ସଂସ୍ଥାକୁ ଆର୍ଥିକ ସହାୟତା ପ୍ରଦାନ କରିନାହିଁ । ଏହି ସମୟ ମଧ୍ୟରେ ବୋର୍ଡ ପକ୍ଷରୁ ୧୭ଟି ଖଦି ସଂସ୍ଥାକୁ ୧,୧୯,୩୩,୮୧୯ ଟଙ୍କାର ଖଦି ଯନ୍ତ୍ରପାତି ଓ ଆନୁଷଙ୍ଗିକ ଉପକରଣ ଯୋଗାଇ ଦିଆଯାଇଛି । (ତଥ୍ୟ)