ଭୁବନେଶ୍ୱର :ଓଡିଶାରେ ଉତ୍ପାଦିତ ମାଣ୍ଡିଆର ଚାହିଦା ସମଗ୍ର ଦେଶରେ ସ୍ୱତନ୍ତ୍ର ରହିଛି । ଶ୍ରୀ ଅନ୍ନ ଅଭିଯାନ ଅଧୀନରେ ଅଧିକରୁ ଅଧିକ ଗୁଣାତ୍ମକ ମାଣ୍ଡିଆ ଉତ୍ପାଦନ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟରୁ ଉତ୍ପାଦିତ ମାଣ୍ଡିଆ ଉଚ୍ଚ ପୁଷ୍ଟି ଓ ଗୁଣଯୁକ୍ତ ଥିବାରୁ ଓଡ଼ିଶାରୁ ପ୍ରଥମ ଥର ପାଇଁ ଭାରତୀୟ ଖାଦ୍ୟ ନିଗମ ମାଣ୍ଡିଆ ଉଠାଇଛି ।
ଏଥିନିମନ୍ତେ ରାୟଗଡ଼ା, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରୁ ମାଣ୍ଡିଆ ଉଠାଇବା ପାଇଁ ଭାରତୀୟ ଖାଦ୍ୟ ନିଗମ ଇଚ୍ଛାବ୍ୟକ୍ତ କରିଥିଲା । ରାଜ୍ୟରେ ଉପଲବ୍ଧ ମାଣ୍ଡିଆର ପୁଷ୍ଟି ଓ ଖାଦ୍ୟ ଗୁଣବତ୍ତାକୁ ଦୃଷ୍ଟିରେ ରଖି ଏଫ୍ସିଆଇ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଥିପାଇଁ ଖାଦ୍ୟ ନିଗମ କେନ୍ଦ୍ରୀୟ ପୁଲ ଆଧାରରେ ରାଜ୍ୟରୁ ୪୦ ହଜାର ମେଟ୍ରିକ ଟନ ମାଣ୍ଡିଆ ଉଠାଇବ । ଯାହା ବିଭିନ୍ନ ଯୋଜନାର ହିତାଧିକାରୀ ମାନଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ପ୍ରଦାନ କରାଯିବ ।
ଉକ୍ତ ୪୦ ହଜାର ମେଟ୍ରିକ ଟନ ମଧ୍ୟରୁ ୧୬ ହଜାର ୮୦୦ ମେଟ୍ରିକ ଟନ ନେବା ପାଇଁ ଆନ୍ଧ୍ରପ୍ରଦେଶ ଇଛାବ୍ୟକ୍ତ କରିଥିବାରୁ ପ୍ରଥମ ପର୍ଯ୍ୟାୟରେ ୨୬୪୨ ମେଟ୍ରିକ ଟନ ଏଫସିଆଇ ମାଧ୍ୟମରେ ଉଠାଣ ହୋଇଛି । ଉକ୍ତ ମାଣ୍ଡିଆ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ଭଳି ଆଦିବାସୀ ବହୁଳ ଜିଲ୍ଲାରୁ ଉଠାଣ ହୋଇଛି । ପର୍ଯ୍ୟାୟ କ୍ରମେ ଲକ୍ଷ୍ୟ ଧାର୍ଯ୍ୟ ଥିବା ବାକି ମାଣ୍ଡିଆ ମଧ୍ୟ ଉଠାଣ ହେବ । ଏହା କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟଯୋଗଣ ଓ ଖାଉଟି କଲ୍ୟାଣ ଏବଂ ଆଦିବାସୀ ଉନ୍ନୟନ ସମବାୟ ନିଗମର ମିଳିତ ଉଦ୍ୟମରେ ଏହି ଲକ୍ଷ୍ୟ ପୂରଣ ହୋଇଛି ।
ସୂଚନାଯୋଗ୍ୟ, ୨୦୨୪-୨୫ ଖରିଫ୍ ଋତୁରେ ରାଜ୍ୟର ପ୍ରାୟ ୬୪ ହଜାରରୁ ଉର୍ଦ୍ଧ୍ୱ ଚାଷୀଙ୍କଠାରୁ ୭୫ ହଜାର ମେଟ୍ରିକ ଟନ୍ ମାଣ୍ଡିଆ ସଂଗ୍ରହ କରାଯାଇଥିଲା । ଏହି ସଂଗୃହୀତ ମାଣ୍ଡିଆ ମଧ୍ୟରୁ ୪୦ ହଜାର ମେଟ୍ରିକ୍ ଟନ୍ ଉଠାଣ ପାଇଁ ଏଫ୍ସିଆଇ ରାଜି ହୋଇଥିଲା । ଏହି ମର୍ମରେ କୋରାପୁଟ ଓ ନବରଙ୍ଗପୁରରୁ ୨୬୪୨ ମେଟ୍ରିକ୍ ଟନ୍ ମାଣ୍ଡିଆ ଉଠାଣ କରାଯାଇଛି ।
ଭାରତ ସରକାର ୨୦୨୩ ମସିହାକୁ ମାଣ୍ଡିଆ ଆନ୍ତର୍ଜାତିକ ବର୍ଷ ଭାବେ ଘୋଷଣା କରିବା ସହ ଏହାର ଉତ୍ପାଦନ ଓ ପୋଷଣଯୁକ୍ତ ଖାଦ୍ୟ ଭାବେ ଜନାଦୃତି ପାଇଁ ମଧ୍ୟ ଅଭିଯାନ ଜାରି ରଖିଛନ୍ତି । ସେହିଭଳି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାଣ୍ଡିଆକୁ ଏକ ଉଚ୍ଚ ଗୁଣବତ୍ତା ଖାଦ୍ୟ ଭାବେ ଘୋଷଣା କରିବା ସହ ଲୋକ ମାନଙ୍କୁ ମାଣ୍ଡିଆ ଭଳି ଅଧିକ ପୁଷ୍ଟିଯୁକ୍ତ ଖାଦ୍ୟ ପ୍ରଦାନ ଉପରେ ଗୁରୁତ୍ୱାରୋପ କରୁଛନ୍ତି । ଅନୁରୂପ ଭାବେ ଓଡ଼ିଶା ସରକାର ମଧ୍ୟ ଅଧିକ ପୁଷ୍ଟି ଓ ଗୁଣବତ୍ତାସଂପନ୍ନ ମାଣ୍ଡିଆ ଉତ୍ପାଦନ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏତଦ୍ବ୍ୟତୀତ ଫସଲ ବିବିଧିକରଣ ପାଇଁ ଅଧିକରୁ ଅଧିକ ମାଣ୍ଡିଆ ଚାଷ ଉପରେ ଚାଷୀମାନଙ୍କୁ ପ୍ରୋତ୍ସାହିତ କରାଯାଉଛି । ଏହାଦ୍ୱାରା କୃଷକ ମାନଙ୍କ ଆର୍ଥିକ ସଶକ୍ତିକରଣ ହୋଇପାରିବା ସହ ବିକଶିତ ଭାରତ ଓ ବିକଶିତ ଓଡିଶା ଲକ୍ଷ୍ୟ ହାସଲରେ ଏହା ସହାୟକ ହେବ ।