ଭୁବନେଶ୍ୱର :ଚଳିତ ଶିକ୍ଷାବର୍ଷରେ ମାଟ୍ରିକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ପ୍ରସ୍ତୁତ ହେଉଥିବାବେଳେ କେତେକ ଶିକ୍ଷାନୁଷ୍ଠାନରେ କିନ୍ତୁ ଯୁକ୍ତ ଦୁଇ ନାମଲେଖା ଆରମ୍ଭ ହୋଇଗଲାଣି । ଏହିସବୁ ଘରୋଇ ଶିକ୍ଷାନୁଷ୍ଠାନମାନେ ମୋଟା ଅଙ୍କର ଅର୍ଥ ନେବା ସହିତ ପିଲାଙ୍କ ପାଇଁ ଆସନ ସଂରକ୍ଷିତ କରିବାରେ ଲାଗିଛନ୍ତି ।
ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବାପରେ ଯୁକ୍ତ ଦୁଇରେ ନାମଲେଖା ଆରମ୍ଭ ହୋଇଥାଏ । ଏଥିପାଇଁ ସାମ୍ସରେ ବିଜ୍ଞାପନ ପ୍ରକାଶ ପାଇବା ସହିତ ଆବେଦନ କରିବାକୁ ପରାମର୍ଶ ଦିଆଯାଇଥାଏ । ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଏହି ନାମଲେଖାକୁ ନିୟନ୍ତ୍ରଣ କରିଥାନ୍ତି । ଫଳରେ ମେଧାବୀ ଛାତ୍ରଛାତ୍ରୀମାନେ ସୋମନଙ୍କ ମନ ପସନ୍ଦର ଶିକ୍ଷାନୁଷ୍ଠାନରେ ପଢିବାର ସୁଯୋଗ ପାଇଥାନ୍ତି ।
ହେଲେ କିଛି ନାମୀ ଦାମୀ ଘରୋଇ ଶିକ୍ଷାନୁଷ୍ଠାନ ଏବେଠାରୁ ଯୁକ୍ତ ଦୁଇ ପାଇଁ ନାମଲେଖା ଆରମ୍ଭ କରିଦେଇଛନ୍ତି । ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନଙ୍କୁ ପ୍ରବର୍ତ୍ତାଇ ନାମଲେଖା ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ଏହାକୁ ଅତ୍ୟନ୍ତ ଗୁପ୍ତ ରଖାଯାଉଛି । ପରୀକ୍ଷା ସରିବାପରେ ଫଳ ପ୍ରକାଶନ ପୂର୍ବରୁ ଏହିସବୁ ଶିକ୍ଷାନୁଷ୍ଠାନରେ ଯୁକ୍ତ ଦୁଇ ପାଠପଢା ଆରମ୍ଭ ହୋଇଯିବ ।
ଏଥି ସହିତ କେତେକ କୋଚିଂ ସେଣ୍ଟର ମଧ୍ୟ ପିଲାଙ୍କ ଯୁକ୍ତ ଦୁଇନାମଲେଖା ପାଇଁ ଲାଗି ପଡିଛନ୍ତି । ଏହିସବୁ କେନ୍ଦ୍ରରେ କୋଚିଂପାଇଁ ଯେଉଁମାନେ ନାମ ଲେଖାଉଛନ୍ତି ଘରୋଇ ଶିକ୍ଷାନୁଷ୍ଠାନରେ ସେମାନେ କିଭଳି ଯୁକ୍ତ ଦୁଇ ପଢିବେ ତାହାର ବ୍ୟବସ୍ଥା କରିଦେଉଛନ୍ତି । ଫଳରେ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଏବେ ଶତାଧିକ ଛାତ୍ରଛାତ୍ରୀ ଆଗତୁରା ମାଟ୍ରିକ ପରୀକ୍ଷା ପୂର୍ବରୁ ନାମ ଲେଖାରେ ଲାଗି ପଡିଛନ୍ତି ।
ଶିକ୍ଷାବିତ୍ମାନଙ୍କ ମତରେ ଘରୋଇ ଶିକ୍ଷାନୁଷ୍ଠାନର ଏଭଳି ଆଗତୁରା ନାମଲେଖା ଅନେକ ମେଧାବୀଙ୍କୁ ହତୋତ୍ସାହିତ କରିବା ସହିତ ଉଚ୍ଚଶିକ୍ଷା କ୍ଷେତ୍ରରେ ଅସମାନତା ସୃଷ୍ଟି କରିବ । କାରଣ ଆର୍ଥିକ ଅନଗ୍ରସର ଶ୍ରେଣୀର ଯେଉଁ ଛାତ୍ରଛାତ୍ରୀମାନେ ଅଧିକ ନମ୍ବର ରଖି ଏହିସବୁ ଘରୋଇ ଶିକ୍ଷାନୁଷ୍ଠାନରେ ପଢିବାରେ ଲକ୍ଷ୍ୟ ରଖିଛନ୍ତି ସେମାନେ ଆଉ ସୁଯୋଗ ପାଇବେ ନାହିଁ ।
ଯୁକ୍ତ ଦୁଇ ପାଠପଢା ଏବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ହାତରେ ରହିଥିବାବେଳେ ତୁରନ୍ତ ଏଭଳି ଆଗୁଆ ନାମଲେଖା ଉପରେ ନଜର ରଖିବାକୁ ମତପ୍ରକାଶ ପାଉଛି । ଘରୋଇ ଯୁକ୍ତ ଦୁଇ ଶିକ୍ଷାନୁଷ୍ଠାନ ଓ କିଛି କୋଚିଂ ସେଣ୍ଟର ଯେଭଳି ନିଜ ନିଜର ବ୍ୟବସାୟ ପାଇଁ ଆଗତୁରା ନାମଲେଖା ପର୍ବ ଆରମ୍ଭ କରିଛନ୍ତି ତାହା ଆଗାମୀ ଦିନରେ ବହୁ ମେଧାବୀଙ୍କ ବାଟ ଓଗାଳିବା ଏକ ପ୍ରକାର ନିଶ୍ଚିତ । ସମସ୍ତ ଯୁକ୍ତ ଦୁଇ ଶିକ୍ଷାନୁଷ୍ଠାନ ସାମସ୍ ଅଧିନରେ ଆସୁଥିବାବେଳେ ଆଗତୁରା କିଭଳି ଯୁକ୍ତ ଦୁଇରେ ସ୍ଥାନ ସଂରକ୍ଷଣ ଓ ନାମଲେଖା ସହିତ ପାଠପଢା ହୋଇପାରୁଛି ତାହା ଏବେ ଅନେକ ଶିକ୍ଷାବିତ୍ଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବା ସହିତ ଏହାର ବିଧିବଦ୍ଧ ତଦନ୍ତ ପାଇଁ ସେମାନେ ମତ ରଖୁଛନ୍ତି । (ତଥ୍ୟ)

