ଭୁବନେଶ୍ୱର : ମାଛ ଉତ୍ପଦନ ବୃଦ୍ଧି ପାଇଁ ହରମୋନ ବ୍ୟବହାର ହେଉଛି । ଏଥି ସହିତ ରୋଗ ନିୟନ୍ତ୍ରଣ ଓ ଉତ୍କୃଷ୍ଟ ମାଛ ଜାଆଁଳ ଉତ୍ପାଦନ ପାଇଁ କିଛି ହରମୋନ ଓ କେମିକାଲ ବ୍ୟବହୃତ ହୋଇଥାଏ । ତେବେ ଏହା ବୈଜ୍ଞାନିକ ପଦ୍ଧତିରେ ଓ ସଠିକ୍ ମାତ୍ରାରେ ବ୍ୟବହାର ହେଉଥିବା କହିଛନ୍ତି ମତ୍ସ୍ୟ ଓ ପ୍ରାଣି ସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ।
ମାଛ ଚାଷରେ ହରମୋନ ବ୍ୟବହାର ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ମାଛ ଜାଆଁଳର କୃତ୍ରିମ ପ୍ରଜନନ ଓ ଶୀଘ୍ର ବଢିବାପାଇଁ ହରମୋନ ବ୍ୟବହାର କରାଯାଉଛି । ଏଥିପାଇଁ ମାଛମାନଙ୍କୁ ହରମୋନ ଇଞ୍ଜେକସନ ଦିଆଯାଇଥାଏ । ମାଛମାନଙ୍କ କ୍ଷେତ୍ରରେ ଓଭାପ୍ରିମ୍, ଓଭାଟାଇଡ୍ ଓ ଓଭା-ଏଫ୍ଏଚ୍ ଭଳି ହରମୋନ ବ୍ୟବହାର ହୋଇଥାଏ । ଏହାଦ୍ୱାରା ରୋହି, ଭାକୁର, ମିରିକାଳୀ ଆଦି କାର୍ପ ମାଛର ନିୟନ୍ତ୍ରିତ ପ୍ରଜନନ ସମ୍ଭବ ହୋଇଥାଏ । ତିଲାପିଆ ବା ଚାଇନାକଉ ମାଛ ଚାଷ କ୍ଷେତ୍ରରେ ମଧ୍ୟ ଏହା ବ୍ୟବହାର ହୋଇଥାଏ ।
ତେବେ ମାଛ ଚାଷରେ ରସାୟନିକ ପଦାର୍ଥ ମୁଖ୍ୟତଃ ପାଣିର ଗୁଣବତ୍ତାରେ ସୁଧାର, ରୋଗ ନିୟନ୍ତ୍ରଣ ଓ ପୋଖରୀ ପରିଚାଳନା ପାଇଁ ବ୍ୟବହାର ହୋଇଥାଏ । ପୋଖରୀ ପାଣିରେ ପିଏଚ୍ ସନ୍ତୁଳନ ପାଇଁ ଚୂନ ଓ ଜୀବାଣୁମୁକ୍ତ ପାଇଁ ବ୍ଲିଚିଂ ପାଉଡର ବ୍ୟବହାର ହୋଇଥାଏ । ଏହା ବ୍ୟତିତ ପୋଟାସିୟମ ପରମାଙ୍ଗାନେଟ୍, ଜିଓଲାଇଟ୍ ଆଦି ପାଣିରେ ଆମେନିଆ ହ୍ରାସ ପାଇଁ ପକାଯାଇଥାଏ । ମାଛ ଚାଷରେ ହରମୋନ ଓ କେମିକାଲ ବ୍ୟବହାର କରିବା ସମୟରେ ସମ୍ପୂର୍ଣ୍ଣ ସାବଧାନତା ଅବଲମ୍ବନ କରାଯାଉଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । ଏପରିକି ଆଧୁନିକ ମାଛ ଚାଷରେ ଉତ୍ପାଦନ ବୃଦ୍ଧି ପାଇଁ ହରମୋନ ଓ କେମିକାଲର ମୁଖ୍ୟ ଭୂମିକା ରହିଥିବାରୁ ଏହାକୁ ସଠିକ୍ ଓ ନିୟମ ମାନି ବ୍ୟବହାର କଲେ ମାଛ ଚାଷ କ୍ଷତିକାରକ ହେବା ବଦଳରେ ଅଧିକ ଲାଭଜନକ ତଥା ସ୍ୱାସ୍ଥ୍ୟ ଉପଯୋଗୀ ହେବ ବୋଲି କୁହାଯାଇଛି ।
ମାଛ ଆମଦାନୀ ସଂକ୍ରାନ୍ତରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟରେ ବର୍ଷକୁ ୯ଲକ୍ଷ ଟନ୍ରୁ ସାମାନ୍ୟ ଅଧିକ ମାଛ ଆବଶ୍ୟକ ଥିବାବେଳେ ପାଖପାଖି ୧୨ଲକ୍ଷ ଟନ୍ ମାଛ ଉତ୍ପାଦନ ହେଉଛି । ତେବେ ରାଜ୍ୟରେ ମଧୁରଜଳ ମାଛର ଅଧିକ ଚାହିଦା ରହୁଥିବାରୁ ଓଡିଶାକୁ ଛତିଶଗଡ ଭଳି ରାଜ୍ୟରୁ ବର୍ଷକୁ ୨୬୦ ମେଟ୍ରିକ ଟନ୍ ମାଛ ଆମଦାନୀ କରୁଛି । ଓଡିଶା ପଡୋଶୀ ରାଜ୍ୟରୁ ବାର୍ଷିକ ପାଖାପାଖି ୩୦ହଜାର ମେଟ୍ରିକ ଟନ୍ ମାଛ ଆମଦାନୀ କରୁଥିବାବେଳେ ଏଥିରେ ସିଂହଭାଗ ଆନ୍ଧ୍ରପ୍ରଦେଶର ରହିଛି । ଆନ୍ଧ୍ରରୁ ବର୍ଷକୁ ପାଖାପାଖି ୨୯ହଜାର ମେଟ୍ରିକ ଟନ୍ ମଧୁରମାଛ ଆମଦାନୀ ହେଉଥିବାବେଳେ ପଶ୍ଚିମବଙ୍ଗ ଓ ଛତିଶଗଡରୁ ବି ମଧୁରଜଳ ମାଛ ଆମଦାନୀ ହେଉଛି ।
ସେହିଭଳି ମନ୍ତ୍ରୀ ତାଙ୍କ ଲିଖିତ ଉତ୍ତରରେ ଦର୍ଶାଇଛନ୍ତି ଯେ ଓଡିଶାପାଇଁ ବାର୍ଷିକ ୪୩୦ ହଜାର ମେଟ୍ରିକ ଟନ୍ ମାଂସ ଆବଶ୍ୟକ ଥିବାବେଳେ ୫୦୩ କୋଟି ଅଣ୍ଡା ଆବଶ୍ୟକ ହେଉଛି । ଅଣ୍ଡା ଚାହିଦା ମେଣ୍ଟାଇବାପାଇଁ ଓଡିଶାକୁ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରୁ ବର୍ଷକୁ ୯୦ କୋଟି ଅଣ୍ଡା ଆମଦାନୀ କରିବାକୁ ପଡୁଛି । ତେବେ ଓଡିଶାରୁ ଉତ୍ପାଦିତ ଅନୁରୂପ ସଂଖ୍ୟକ ଅଣ୍ଡା ପଶ୍ଚିମବଙ୍ଗ ଓ ଅନ୍ୟାନ୍ୟ ଉତ୍ତରପୂର୍ବ ରାଜ୍ୟକୁ ରପ୍ତାନି ହେଉଥିବା ମନ୍ତ୍ରୀଙ୍କ ଉତ୍ତରରେ ଦର୍ଶାଯାଇଛି ।(ତଥ୍ୟ)

