Home Culture ମା’ଙ୍କୁ ସମ୍ମାନ ଦେଉଥିବା ସମାଜ ଆଗକୁ ବଢିଥାଏ

ମା’ଙ୍କୁ ସମ୍ମାନ ଦେଉଥିବା ସମାଜ ଆଗକୁ ବଢିଥାଏ

ଭୁବନେଶ୍ୱର : ମା’ ହେଉଛନ୍ତି ସୃଷ୍ଟି ଓ ସ୍ରଷ୍ଟା । ଯେଉଁ ସମାଜରେ ମା’ ମାନଙ୍କୁ ଯେତେ ସମ୍ମାନ ମିଳେ ସେ ସମାଜ ସେତେ ଆଗକୁ ଯାଏ । ବିଶ୍ୱ ମାତୃଦିବସ ଅବସରରେ ସ୍ୱେଚ୍ଛାସେବୀ ସଂଗଠନ ୱିମେନ ଅର୍ଗାନାଇଜେସନ ଫର ସୋସିଆଲ ୱେଲଫାର (ୱସ୍ୱ) ପକ୍ଷରୁ ଆୟୋଜିତ ରାଜ୍ୟ ସ୍ତରୀୟ ଉତ୍ସବରେ ଯୋଗ ଦେଇଥିବା ବିଶିଷ୍ଟ ଅତିଥିମାନେ ଏହି ମତ ଦେଇଛନ୍ତି ।

ୱସ୍ୱର ଅଧ୍ୟକ୍ଷ ଶ୍ରୀଯୁକ୍ତ ହୃଷିକେଶ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ସମ୍ପାଦିକା ଜ୍ୟୋସ୍ନା ଦାସ ଅତିଥି ପରିଚୟ ପ୍ରଦାନ କରି ମହିଳାଙ୍କୁ ସଶକ୍ତିକରଣ, ସ୍ୱାବଲମ୍ବନ ଓ ସମ୍ମାନ ପ୍ରଦର୍ଶନ ପାଇଁ ଦୀର୍ଘ ଦଶ ବର୍ଷ ଧରି ବସୁଧାମାତା ସମ୍ମାନ ସମାରୋହ ଆୟୋଜିତ କରାଯାଇ ମା’ମାନଙ୍କୁ ସମ୍ମାନିତ କରାଯାଉଥିବା ସୂଚନା ଦେଇଥିଲେ ।

ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନ୍‍ଗୋ ବିଶ୍ୱ ମାତୃ ଦିବସ ଅବସରରେ ମା’ମାନଙ୍କୁ ସମ୍ମାନିତ କରିବାପାଇଁ ୱସ୍ୱର ଏଭଳି ଉଦ୍ୟମକୁ ପ୍ରଶଂସା କରିବା ସହିତ ମା’ମାନେ ସର୍ବଦା ପୂଜୟନୀୟ ଏବଂ ସମାଜ ଗଠନରେ ସେମାନଙ୍କ ଅବଦାନ ଅନସ୍ୱକାର୍ଯ୍ୟ ବୋଲି କହିଥିଲେ । ସମ୍ମାନିତ ଅତିଥିଭାବେ ଯୋଗଦେଇ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ସମାଜ ଗଠନରେ ମା’ମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ମା’ ମାନେ କିଭଳି ଓଡିଶାକୁ ଆଗକୁ ନେବା ସହିତ ରାଜ୍ୟ ବିକାଶରେ ସାରଥୀ ସାଜିଛନ୍ତି ତାହା କହିଥିଲେ । ଏଥି ସହିତ ମା’ଙ୍କୁ ସମ୍ମାନିତ ପାଇଁ ୱସ୍ୱର ଉଦ୍ୟମକୁ ସାଧୁବାଦ ଜଣାଇଥିଲେ ।

ମୁଖ୍ୟ ବକ୍ତାଭାବେ ଯୋଗଦେଇ ରମାଦେବୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ଉର୍ମିଳା ଦାସ ଆଜିର ଝିଅ ଆସନ୍ତା କାଲିର ମା’ ହେବାକୁ ଥିବାରୁ ଝିଅମାନଙ୍କ ଉପଯୁକ୍ତ ଶିକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ । ପ୍ରାରମ୍ଭରେ ଇତିଶ୍ରୀ ଦିକ୍ଷୀତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ସମାଜକୁ ଉଲ୍ଲେଖନୀୟ ଅବଦାନ ପାଇଁ ଅଚଳା ରଥଙ୍କୁ ବସୁଧାମାତା ସମ୍ମାନରେ ସମ୍ମାନିତ କରାଯାଇଥିବାବେଳେ ଆଉ ଆଠ ଜଣଙ୍କୁ ଆଦର୍ଶମାତା ସମ୍ମାନ ପ୍ରଦାନ କରାଯାଇଥିଲା । ଏଥି ସହିତ ବିଶ୍ୱ ମାତୃଦିବସ ପାଇଁ ମହିଳାମାନଙ୍କୁ ନେଇ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ଏହି ଅବସରରେ ବସୁଧାମାତା ସମ୍ମାନ ସମାରୋହ ପକ୍ଷରୁ ପ୍ରସ୍ତୁତ ସ୍ମରଣିକା ଉନ୍ମୋଚନ ହୋଇଥିଲା । ଅନୁଷ୍ଠାନର ବରିଷ୍ଠ ସଦସ୍ୟ ପ୍ରମୋଦ ଶତପଥୀ ଧନ୍ୟବାଦ ଦେଇଥିଲେ । ପ୍ରାରମ୍ଭରେ ବସୁଧାମାତା ସମ୍ମାନ ସମାରୋହ ପକ୍ଷରୁ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା । ଏଥିରେ ଇତିଶ୍ରୀ ଦିକ୍ଷିତ, ଚିର ରଞ୍ଜନ ପଟ୍ଟନାୟକ, ସଞ୍ଜିବ ସାବତ, ଉଷାରାଣୀ ବେହେରା ପ୍ରମୁଖ ସଂଗୀତ ଓ ନୃତ୍ୟ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ୱସ୍ୱର ପ୍ରମୋଦ କୁମାର ଦାସ, ସୁବାସ ପଣ୍ଡା, ମମତା ମହାନ୍ତି, ମହେଶ ପ୍ରସାଦ ଦାସ, ସୁକାନ୍ତ କୁମାର ସାହୁ, ମାଣିକ ପ୍ରଧାନ, ନିରଞ୍ଜନ ଦାସ, ଚନ୍ଦ୍ରକାନ୍ତ ଦାସ ପ୍ରମୁଖ ସାଫଲ୍ୟମଣ୍ଡିତ କରିଥିଲେ ।