ଶୀତ ଦିନେ କରୋନା ବ୍ୟାପିବା ଆଶଙ୍କା ଅଧିକ ଥିବାରୁ ଅନ୍ତତଃ ପକ୍ଷେ ମାଘ ମାସ ଶେଷ ପର୍ଯ୍ୟନ୍ତ ପର୍ବ ପର୍ବାଣି ଫିକା ରହିବ । କଟକଣା ମଧ୍ୟରେ ବିନା ଭକ୍ତରେ ଦୁର୍ଗାପୂଜା ଉତ୍ସବ ପାଳନ କରାଯିବା ଭଳି ଅନ୍ୟାନ୍ୟ ଉତ୍ସବାନୁଷ୍ଠାନ ମଧ୍ୟ ନିରାଡମ୍ବର ଭାବେ ହେବାର ସମ୍ଭାବନା ଅଧିକ ।
ଏଥର ଲକ୍ଷ୍ମୀପୂଜା ଓ କୁମାର ଉତ୍ସବ ଉପରେ କରୋନା ମାଡ ପଡିବାକୁ ଯାଉଛି । କେନ୍ଦ୍ରାପଡା ଓ ଢେଙ୍କାନାଳରେ ହୋଇ ଆସୁଥିବା ଗଜଲକ୍ଷ୍ମୀପୂଜା ଢାଞ୍ଚାରେ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବି ଲକ୍ଷ୍ମୀପୂଜା ଓ କୁମାର ଉତ୍ସବ ବର୍ଷ ବର୍ଷ ଧରି ଧୂମ୍ଧାମରେ ପାଳିତ ହୋଇ ଆସୁଥିଲା । କିନ୍ତୁ ଏବର୍ଷ ତାହା ହୋଇପାରିବ ନାହିଁ ।
ସେହିପରି କାଳୀପୂଜା, କାର୍ତ୍ତିକେଶ୍ୱର ପୂଜା ଆଦି ମଧ୍ୟ ନିର୍ଦ୍ଦିଷ୍ଟ ସ୍ଥାନରେ ବିଧି ରକ୍ଷା ପାଇଁ କରାଯାଇପାରେ । କେରଳରେ ଓନାମ ପର୍ବ ପାଳନ ଅବସରରେ ବ୍ୟାପକ ଜନସମାଗମ ଯୋଗୁଁ ନିୟନ୍ତ୍ରିତ ହୋଇ ଆସୁଥିବା କରୋନା ପୁଣି ଲଗାମଛଡା ହୋଇଥିବା ଦୃଷ୍ଟିରୁ ପର୍ବ ପର୍ବାଣିର ଜନସମାଗମ ଉପରେ ରାଜ୍ୟ ସରକାର ଓଡିଶାରେ ସତର୍କଦୃଷ୍ଟି ରଖିଛନ୍ତି ।
ପ୍ରତିବର୍ଷ କାର୍ତ୍ତିକ ବ୍ରତ ପାଳନ ଲାଗି ପୁରୀରେ ହବିଷ୍ୟାଳିଙ୍କ ପାଇଁ ସରକାର ସ୍ୱତନ୍ତ୍ର ଶିବିରମାନ ଆୟୋଜନ କରିଥାନ୍ତି ଏବଂ ଏହି ଅବସରରେ ଶ୍ରୀମନ୍ଦିର ଠାରୁ ଆରମ୍ଭକରି ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ, ଅନନ୍ତ ବାସୁଦେବଙ୍କ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଧର୍ମପୀଠଗୁଡିକରେ ବେଶ୍ ଗହଳି ହୋଇଥାଏ । ଏହାକୁ ଆଖିଆଗରେ ରଖି କରୋନା ନିୟନ୍ତ୍ରଣ ପାଇଁ ଏବର୍ଷ ସରକାର ହବିଷ୍ୟାଳି ଶିବିର କରୁନାହାନ୍ତି ଏବଂ ଲୋକେ ଘରେ ବ୍ରତ ପାଳନ କରିବା ଉପରେ ଗୁରୁତ୍ୱଆରୋପ କରୁଛନ୍ତି ।
ମାଘ ମାସରେ ସରସ୍ୱତୀ ପୂଜା ଏବଂ ମାଘସପ୍ତମୀ ଅବସରରେ କୋଣାର୍କ ନିକଟରେ ଚନ୍ଦ୍ରଭାଗା ବୁଡ ଓ ଭୁବନେଶ୍ୱରରେ ଖଣ୍ଡଗିରି ମେଳା ହୋଇଥାଏ । ଶୀତ ଦିନେ କରୋନା ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ ସେତେବେଳର ଅବସ୍ଥା ଦେଖି ବ୍ୟବସ୍ଥା କରାଯିବ ବୋଲି ବରିଷ୍ଠ ଅଧିକାରୀମାନେ କହୁଛନ୍ତି ।
କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରାଚୀନ ଉକ୍ରଳୀୟ ନୌବାଣିଜ୍ୟ ସ୍ମୃତି ଉଜ୍ଜିବୀତ କରିବାଲାଗି କଟକର ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ହୋଇଆସୁଥିବା ବାଲିଯାତ୍ରା ମହୋତ୍ସବ ଏବର୍ଷ ଅନୁଷ୍ଠିତ ହେବା ସମ୍ଭାବନା କ୍ଷୀଣ । କେବଳ କଟକ ନୁହେଁ ଭୁବନେଶ୍ୱର ଉପକଣ୍ଠ କୁଆଖାଇ ନଦୀ ଶଯ୍ୟାରେ ହେବାକୁ ଥିବା ଏହି ଉତ୍ସବ ମଧ୍ୟ ହୋଇନପାରେ । ଏହାଛଡା ପାରାଦୀପ ଠାରୁ ଆରମ୍ଭକରି ଚିଲିକା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ହେଉଥିବା ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ବି ଏବର୍ଷ ଫିକା ପଡିବାକୁ ଯାଉଛି ।
ମୋଟାମୋଟି ଭାବେ କାର୍ତ୍ତିକ, ମାର୍ଗଶୀର, ପୌଷ ଓ ମାଘ ମାସରେ ଓଡିଶାରେ ଯେତେସବୁ ପର୍ବ ପର୍ବାଣୀ ଲାଗି ଉତ୍ସବାନୁଷ୍ଠାନମାନ ହୋଇଥାଏ ସେଗୁଡିକ କୋଭିଡ କଟକଣା ଦୃଷ୍ଟିରୁ ଏବର୍ଷ ଧୂମ୍ଧାମ୍ରେ ପାଳିତ ହୋଇନପାରେ । ଏଯାବତ୍ ରାଜ୍ୟ ସରକାର ଧର୍ମାନୁଷ୍ଠାନଗୁଡିକ ଖୋଲିବା ଉପରେ କଡା କଟକଣା ରଖିଛନ୍ତି । ତେଣୁ ଏହି ସମୟରେ ଗାଁ ଗହଳିରୁ ସହରାଞ୍ଚଳ ପର୍ଯ୍ୟନ୍ତ ଅଷ୍ଟପ୍ରହରୀ, ଅନ୍ୟାନ୍ୟ ନାମ ସଙ୍କୀର୍ତ୍ତନ ଓ ଯଜ୍ଞାନୁଷ୍ଠାନ ଆଦି ହୋଇପାରିବ କି ନାହିଁ ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ । କେବଳ ସେତିକି ନୁହେଁ କରୋନା ମାଡରେ ଆଗାମୀ ବଡଦିନ ଓ ନୂଆବର୍ଷ ପାଳନ ମଧ୍ୟ ଫିକା ପଡିବା ଏକ ପ୍ରକାର ନିଶ୍ଚିତ ।