Home General ମାଗଣା ରାସନ ପାଇବେ ୩.୨୫ କୋଟି

ମାଗଣା ରାସନ ପାଇବେ ୩.୨୫ କୋଟି

ଭୁବନେଶ୍ୱର : ଆଉ ପାଞ୍ଚବର୍ଷ ପାଇଁ ହିତାଧିକାରୀଙ୍କୁ ମାଗଣା ରାସନ ଯୋଗାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୂଚନା ଦେବାପରେ ରାଜ୍ୟର ୩.୨୫ କୋଟିରୁ ଅଧିକ ଲୋକେ ଏଥିରେ ଉପକୃତ ହେବେ । ଏମାନେ ଆସନ୍ତା ୫ବର୍ଷ ପାଇଁ ମାଗଣାରେ ଚାଉଳ ପାଇବାକୁ ଯାଉଥିବାବେଳେ ଏହି ଯୋଜନାରେ ସାମିଲ ହେବାପାଇଁ ରାଜ୍ୟରେ ଆହୁରି ୬ଲକ୍ଷରୁ ଅଧିକ ଲୋକେ ଆବେଦନ କରି ରହିଛନ୍ତି ।

କେନ୍ଦ୍ର ସରକାର ଏବେ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକରୀଙ୍କୁ ସମ୍ପୂର୍ଣ୍ଣ ରୂପେ ମାଗଣାରେ ଚାଉଳ ଓ ଗହମ ଯୋଗାଇ ଦେଉଛନ୍ତି । ତେବେ ଓଡିଶାରେ ହିତାଧିକାରୀମାନେ କେବଳ ଚାଉଳ ପାଉଛନ୍ତି । ବର୍ତ୍ତମାନ ମାଗଣାରେ ହିତାଧିକାରୀଙ୍କୁ ଗହମ ଯୋଗାଣ ସ୍ଥିର ରହିଛି । କେନ୍ଦ୍ର ସରକାରଙ୍କ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‍ରେ ରାଜ୍ୟର ୯୨,୮୮,୭୭୪ ପରିବାର ସାମିଲ ହୋଇଥିବାବେଳେ ଏଥିରେ ୩,୨୫,୧୯,୨୩୧ ଜଣ ବ୍ୟକ୍ତି ରହିଛନ୍ତି । ଏମାନେ ପ୍ରତି ମାସରେ ମାଗଣାରେ ଚାଉଳ ପାଉଛନ୍ତି ।

ତେବେ ରାଜ୍ୟ ସରକାରଙ୍କ ବାରମ୍ବାର ଅନୁରୋଧ ସତ୍ୱେ କେନ୍ଦ୍ର ସରକାର ଅଧିକ ସଂଖ୍ୟାରେ ଲୋକଙ୍କୁ ଏହି ଯୋଜନାରେ ସାମିଲ ନକରିବାରୁ ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏଥିରେ ୩,୧୪,୮୪୧ ପରିବାରର ୯,୮୫,୭୯୭ ଜଣ ହିତାଧିକାରୀ ରହିଛନ୍ତି । ଏହି ହିତାଧିକାରୀମାନେ ପାଉଥିବା ମାଗଣା ଚାଉଳ ବାବଦରେ ବ୍ୟୟ ଅର୍ଥ ରାଜ୍ୟ ସରକାର ବହନ କରୁଛନ୍ତି । ତେଣୁ ମୋଟାମୋଟି ଭାବେ ଉଭୟ କେନ୍ଦ୍ର ଓ ରାଜ୍ୟ ଯୋଜନାରେ ୯୬,୦୩,୬୧୫ ପରିବାରର ୩,୩୫,୦୫,୦୨୮ ଜଣ ହିତାଧିକାରୀ ରହିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ କେନ୍ଦ୍ରୀୟ ଯୋଜନାରେ ଥିବା ହିତାଧିକାରୀମାନେ ମାଗଣାରେ ଚାଉଳ ପାଇଲେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀମାନେ ମଧ୍ୟ ସେହି ସମୟ ପାଇଁ ମାଗଣାରେ ଚାଉଳ ପାଇବେ ଏବଂ ଏହାର ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ।

ତେବେ ଏହି ଯୋଜନାରେ ସାମିଲ ହେବାପାଇଁ ୬,୦୮,୬୧୭ ଜଣ ବ୍ୟକ୍ତି ଏବେ ଅପେକ୍ଷାରେ ରହିଛନ୍ତି । ଏହି ଆବେଦନକାରୀଙ୍କ ମଧ୍ୟରେ ଏକ ଲକ୍ଷରୁ ଅଧିକ ଲୋକ ଗଞ୍ଜାମ ଜିଲ୍ଲାରେ ରହିଛନ୍ତି । ପୁରୀରେ ଆବେଦନକାରୀଙ୍କ ସଂଖ୍ୟା ୯୭ହଜାରରୁ ଅଧିକ ରହିଛନ୍ତି । ଭଦ୍ରକ ଜିଲ୍ଲାରେ ଅପେକ୍ଷାରେ ଥିବା ହିତାଧିକାରୀଙ୍କ ମଧ୍ୟରେ ୬୭ହଜାରରୁ ଅଧିକ ଆବେଦନକାରୀ ଥିବାବେଳେ ଖୋରଧାରେ ୪୬ହଜାରରୁ ଅଧିକ ରହିଛନ୍ତି । ସବୁଠାରୁ କମ୍‍ ୩୪୨ ଜଣ ଆବେଦନକାରୀ ରହିଛନ୍ତି ସୋନପୁର ଜିଲ୍ଲାରେ ।

ଗୋଟିଏ ପଟେ କେନ୍ଦ୍ର ସରକାର ମାଗଣା ରାସନ ଯୋଜନାର ସମୟସୀମାକୁ ବୃଦ୍ଧି କରିବାକୁ ଯାଉଥିବାବେଳେ ଅନ୍ୟପଟେ ଏହି ଯୋଜନାରେ ଅଧିକ ହିତାଧିକାରୀ ସାମିଲ କରୁନଥିବାରୁ ରାଜ୍ୟ ମାନଙ୍କର ଚିନ୍ତା ବଢିବାରେ ଲାଗିଛି । ଆବେଦନକାରୀମାନେ ଦୀର୍ଘଦିନ ଅପେକ୍ଷାରେ ରହୁଥିଲେ ମଧ୍ୟ କେନ୍ଦ୍ରୀୟ ଖାଦ୍ୟ ସୁରକ୍ଷା ତାଲିକାରେ ସ୍ଥାନ ଖାଲି ପଡୁନଥିବାରୁ ସେମାନଙ୍କୁ ସୁଯୋଗ ମିଳୁନାହିଁ । ଏମାନଙ୍କ ପାଇଁ ରାଜ୍ୟ ଯୋଜନା ଏକମାତ୍ର ବାଟ ହୋଇଥିବାବେଳେ କେବେ ସୁଦ୍ଧା ଅପେକ୍ଷାରତ ୬ଲକ୍ଷରୁ ଅଧିକ ହିତାଧିକାରୀ ମାଗଣା ରାସନ ପାଇବେ ତାହା ବଡ ପ୍ରଶ୍ନବାଚୀ ହୋଇଛି । (ତଥ୍ୟ)