ଭୁବନେଶ୍ୱର : ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମିଳୁଥିବା ମାଗଣା ଚାଉଳ ଲୁଟ୍ ସଂକ୍ରାନ୍ତରେ ନୂଆ ନୂଆ ତଥ୍ୟ ଉନ୍ମୋଚିତ ହେଉଛି । ଏହି ଯୋଜନାରେ ଆସୁଥିବା ଚାଉଳର ଅନ୍ୟୁନ ୨୪.୭ ପ୍ରତିଶତ ବାଟ ମାରଣା ହେଉଥିବା କଥା ଇତିମଧ୍ୟରେ ଇଣ୍ଡିଆନ୍ କାଉନ୍ସିଲ୍ ଫର୍ ରିସର୍ଚ୍ଚ ଅନ୍ ଇଣ୍ଟରନ୍ୟାସନାଲ୍ ଇକୋନୋମିକ୍ ରିଲେସନ୍ସର ଏକ ରିପୋର୍ଟରେ ପ୍ରକାଶ ପାଇବା ପରେ ପରେ ଏବେ ରାଜ୍ୟ ଯୋଗାଣ ମନ୍ତ୍ରୀ ପ୍ରକାଶ କରିଥିବା ତଥ୍ୟ ମୁତାବକ ଓଡ଼ିଶାରେ ଏଯାବତ୍ ୪୦ଲକ୍ଷ ଭୂତ ହିତାଧିକାରୀ ଚିହ୍ନଟ ହେଲେଣି । ପ୍ରକ୍ରିୟା ଜାରି ରହିଥିବାରୁ ଅଯୋଗ୍ୟ ଓ ମୃତ ହିତାଧିକାରୀଙ୍କ ସଂଖ୍ୟା ଢେର ବଢ଼ିପାରେ ।
ସରକାରୀ ତଥ୍ୟ ମୁତାବକ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡ଼ିଶାରେ ୩୨୬ଲକ୍ଷ ୩୩ ହଜାର ଲୋକଙ୍କୁ ମାଗଣା ଚାଉଳ ଯୋଗାଯାଉଥିବା ବେଳେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୧୦ଲକ୍ଷରୁ ଅଧିକ ଲୋକଙ୍କୁ ମାଗଣା ଚାଉଳ ଦିଆଯାଉଛି । ପ୍ରତି ହିତାଧିକାରୀ ମାସିକ ମୁଣ୍ଡପିଛା ୫କିଲୋ କରି ଚାଉଳ ପାଉଥିବା ବେଳେ ଅନ୍ନପୂର୍ଣ୍ଣା ଯୋଜନାର ହିତାଧିକାରୀ ପରିବାର ମାସିକ ୩୫ କିଲୋ ଚାଉଳ ପାଉଛନ୍ତି । ଏହାଛଡ଼ା ସଂରକ୍ଷିତ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ହଷ୍ଟେଲ୍ ଓ ଅନ୍ୟ କେତେକ ସଂସ୍ଥାନକୁ ବି ଶସ୍ତାରେ କିମ୍ବା ମାଗଣାରେ ଚାଉଳ ଯୋଗା ଯାଉଛି । ବିଦ୍ୟାଳୟଗୁଡ଼ିକର ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ପାଇଁ ବି ଚାଉଳ ଯୋଗାଣ ଅବ୍ୟାହତ ରହିଛି ।
ରାଜ୍ୟ ଯୋଗାଣ ମନ୍ତ୍ରୀଙ୍କ ହିସାବ ମୁତାବକ ୪୦ଲକ୍ଷ ଭୂତ ହିତାଧିକାରୀ ଅଛନ୍ତି । ଏମାନଙ୍କ ପାଇଁ ବର୍ଷକୁ ମୁଣ୍ଡପିଛା ୬୦ କିଲୋ କରି ଚାଉଳ ଉଠାଯାଉଛି । ଏହି ଚାଉଳ ପାଇଁ ସରକାର କିଲୋ ପିଛା ହାରାହାରି ୪୦ଟଙ୍କା ଖର୍ଚ୍ଚ କରୁଛନ୍ତି । ତେଣୁ ସିଧାସଳଖ ଭାବେ ଏହି ଭୂତ ହିତାଧିକାରୀଙ୍କ ନାମରେ ବର୍ଷକୁ ପ୍ରାୟ ୯୬୦ କୋଟି ଟଙ୍କା ମୂଲ୍ୟର ଚାଉଳ ହେର୍ଫେର୍ ହେଉଛି । ଅନ୍ୟ ରିପୋର୍ଟ ମୁତାବକ ଓଡ଼ିଶାରେ ବର୍ଷକୁ ପ୍ରାୟ ୭ଲକ୍ଷ ମେଟ୍ରିକ ଟନ୍ଚାଉଳ ଦୁର୍ନୀତି ମାଗଣା ବଣ୍ଟନ ବ୍ୟବସ୍ଥାରେ ହେଉଛି । ଯାହାର ପରିମାଣ ପ୍ରାୟ ୨୮୦୦ କୋଟି ଟଙ୍କା ହେବ ।
ଏହି ଦୁର୍ନୀତିରେ କୋଟିଏରୁ ଅଧିକ ଲୋକ ସଂପୃକ୍ତ ଥାଇପାରନ୍ତି । ବର୍ଷବର୍ଷ ଧରି ଏହି ଦୁର୍ନୀତିରେ ଯେଉଁ ଅଯୋଗ୍ୟ ହିତାଧିକାରୀ, ରାଜନେତା, ଡିଲର୍ ଓ ବିଭାଗୀୟ ଅଧିକାରୀମାନେ ସଂପୃକ୍ତ ସେମାନଙ୍କ ଠାରୁ ଏହା ଆଦାୟ କରିବା ପାଇଁ ଏବେ ବିଭିନ୍ନ ମହଲରେ ଦାବି ଜୋର ଧରିଛି । ପୂର୍ବରୁ କାଳିଆ ଯୋଜନାରେ ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ବଣ୍ଟା ଯାଇଥିôବା ବେଳେ ସେମାନଙ୍କ ଠାରୁ ଏହା ଫେରସ୍ତ ଅଣାଯିବ ନାହିଁ ବୋଲି ସରକାରୀ ଭାବେ ଘୋଷଣା କରାଯାଇଥିବା ପରିପ୍ରେକ୍ଷୀରେ ମାଗଣା ଚାଉଳ ଦୁର୍ନୀତିରେ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ତାହା ଉପରେ ସମସ୍ତଙ୍କ ନଜର ।
ଜଣେ ଅବସରପ୍ରାପ୍ତ ଅଧିକାରୀ କହିଛନ୍ତି ଯେ ଇନ୍ଦିରା ଆବାସ ଠାରୁ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ କୁଡ଼ିଆ, ସ୍ୱଚ୍ଛ ଭାରତ ମିଶନରେ ପାଇଖାନା ଯୋଗାଣ, ସୁଭଦ୍ରା ଯୋଜନାରେ ଟଙ୍କା ବଣ୍ଟନ, ନୂଆ-ଓ କାର୍ଯ୍ୟକ୍ରମ ଆଳରେ ଛାତ୍ରଛାତ୍ରୀଙ୍କୁ ବଣ୍ଟା ଯାଇଥିବା ଅର୍ଥ, ବିଭିନ୍ନ ଭତ୍ତା, ଏମ୍ଜି ନରେଗା ଭଳି ସବୁ ଯୋଜନାର ଯଦି ଟିକିନିଖି ତଦନ୍ତ କରାଯିବ ତେବେ ଓଡ଼ିଶାରେ ଆଉ କୋଟିଏରୁ ଅଧିକ ଲୋକଙ୍କ ନାମରେ ରାଜକୋଷରୁ ଲୁଟ୍ କରାଯାଇଥିବା ତଥ୍ୟ ପଦାକୁ ଆସିବ । କିନ୍ତୁ ରାଜନୈତିକ ଓ ପ୍ରଶାସନିକ ଇଚ୍ଛାଶକ୍ତି ଅଭାବରୁ ଏହି ଗଣଡକାୟତିର ସଂପୂର୍ଣ୍ଣ ପର୍ଦ୍ଦାଫାସ୍ ହେବା ସମ୍ଭାବନା କ୍ଷୀଣ ବୋଲି ଅର୍ଥନୀତି ବିଶେଷଜ୍ଞମାନେ କହୁଛନ୍ତି । (ତଥ୍ୟ)