ଭୁବନେଶ୍ୱର : ରାଜ୍ୟର ଗରିବ ବିଜୁଳି ଉପଭୋକ୍ତାମାନଙ୍କୁ କେନ୍ଦ୍ର ସରକାରଙ୍କର ଆଇପିଡିଏସ୍ ଯୋଜନା, ସୌଭାଗ୍ୟ ଯୋଜନା ଓ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନାରେ ମାଗଣା ବିଦ୍ୟୁତ୍ ମିଟର ସହ ଆନୁଷଙ୍ଗିକ ସାଜ ସରଞ୍ଜାମ ଯୋଗାଇ ଦିଆଯାଇଥିବାବେଳେ ସେମାନଙ୍କ ଠାରୁ ଟାଟା ପାୱାର ମିଟର ଭଡା ବାବଦରେ ୩୦୦ କୋଟି ଟଙ୍କାର ଅଧିକ ଅର୍ଥ ଆଦାୟ କରିଛି । ଏଭଳି ବେଆଇନ୍ ଅର୍ଥ ଆଦାୟର କ୍ରାଇମବ୍ରାଞ୍ଚ କିମ୍ବା ସିବିଆଇ ତଦନ୍ତ ପାଇଁ ଦାବି କରିଛି ଉଭଭୋକ୍ତା ମହାସଂଘ ।
ମହାସଂଘର ସଭାପତି ରମେଶ ଶତପଥୀ ଓ ସାଧାରଣ ସମ୍ପାଦକ ପ୍ରସନ୍ନ ବିଶୋଇ ଆଜି ଗଣମାଧ୍ୟମକୁ କହିଚନ୍ତି ଯେ ଗରିବ ଲୋକଙ୍କୁ ମାଗଣାରେ ଯୋଗାଯାଇଥିବା ମିଟରରୁ ଭଡା ଆଦାୟ ହେବା ବେଆଇନ୍ । ହେଲେ ଟାଟା ପାୱାର କର୍ତ୍ତୃପକ୍ଷ ଏ ବାବଦରେ ୩୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ଆଦାୟ କରିଛି । ୨୦୨୧ ମସିହାରେ ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହେବାପରେ ଟାଟା ପାୱାର କର୍ତ୍ତୃପକ୍ଷ ଏଭଳି ଅର୍ଥ ଆଦାୟ କରିନଥିବା କହିଥିଲେ । ତେବେ ଏହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଉପଭୋକ୍ତା ମହାସଂଘ ଦର୍ଶାଇଛି । ଏପରିକି ଚଳିତମାସରେ ଟାଟା ପାୱାର ଯେଉଁ ସ୍ପଷ୍ଟିକରଣ ଦେଇଛି ସେଥିରେ କୌଣସି ସତ୍ୟତା ନଥିବା କହିଛି ।
ମହାସଂଘ କହିଛି ଯେ ଟାଟା ପାୱାର ସ୍ପଷ୍ଟୀକରଣ ଦେବା ସମୟରେ ୨୦୧୯ ସପ୍ଲାଇ କୋଡ୍ର ସଠିକ୍ ତର୍ଜମା କରିନାହାନ୍ତି । ଏହି କୋଡ୍ ଅନୁଯାୟୀ ବିତରଣ କମ୍ପାନୀ ନିଜେ ବସାଇଥିବା ମିଟରରୁ ହିଁ ଭଡା ଆଦାୟ କରିପାରିବେ । ହେଲେ ସରକାରୀ ଅର୍ଥରେ ଗରିବ ଲୋକଙ୍କ ଘରେ ବସିଥିବା ମିଟରରୁ ଟାଟା ପାୱାର ଅର୍ଥ ଆଦାୟ କରିଛନ୍ତି । ଟାଟା ପାୱାର ମଧ୍ୟ ପରୋକ୍ଷରେ ଏହାକୁ ସ୍ୱୀକାର କରି ଏହି ଅର୍ଥକୁ କିଭଳି ଖର୍ଚ୍ଚ କରିବ ସେଥିପାଇଁ ୨୦୨୩ରେ ଓଇଆରସିଙ୍କ ମତ ଲୋଡିଛି ।
ସରକାରୀ ଅର୍ଥରେ କେତେ ମିଟର ଲଗାଯାଇଛି ଓଇଆରସି ତାହାର ହିସାବ ମାଗିଥିଲେ ମଧ୍ୟ ଟାଟାପାୱାର କିମ୍ବା ଓପିଟିସିଏଲ୍ କେହି ଦେଇପାରୁ ନାହାନ୍ତି । ତେବେ ମହାସଂଘ ଦର୍ଶାଇଛି ଯେ ସଂଘ ନିକଟରେ ଥିବାବେଳେ ଓପିଟିସିଏଲ୍ ୨୦ଲକ୍ଷରୁ ଅଧିକ ମିଟର ଗରିବ ଉପଭୋକ୍ତାଙ୍କୁ ଯୋଗାଇ ଦେଇଛି । ଏହି ମିଟରରୁ ଭଡା ବାବଦରେ ଟାଟା ପାୱାର ୨୦୦ କୋଟି ଟଙ୍କା ଆଦାୟ କରିଥିବା ଆକଳନ କରାଯାଇଛି ।
ମହାସଂଘ ଉଲ୍ଲେଖ କରିଛି ଯେ କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ବିଦ୍ୟୁତ୍ ହିତାଧିକାରୀମାନଙ୍କୁ ମିଟର ଓ ମିଟର ସରଞ୍ଜାମ କିଣି ବସାଇବାର ଅଧିକାର ରହିଛି । ଉପଭୋକ୍ତା ଅକ୍ଷମତା ପ୍ରକାଶ କଲେ ବିତରଣ କମ୍ପାନୀ ତାହା ଯୋଗାଇଦେବ । ହେଲେ ରାଜ୍ୟ ସରକାର ମିଟର ପାଇଁ ଯୋଗାଇ ଦେଇଥିବା ୭୩୫ କୋଟି ଟଙ୍କା କାହାପାଇଁ ଉଦ୍ଦିଷ୍ଟ ବୋଲି ମହାସଂଘ ପ୍ରଶ୍ନ କରିଛି ।

