ଭୁବନେଶ୍ୱର : କୃଷକ ମାନଙ୍କୁ ଅତି କମରେ ୧୦ ଘଣ୍ଟାର ମାଗଣା ବିଜୁଳି ଯୋଗାଇ ଦେବାପାଇଁ ପ୍ରସ୍ତାବ ଦେଇଛି ଶକ୍ତି ବିଭାଗର ଷ୍ଟାଣ୍ଡି କମିଟି । ଏଥି ସହିତ ର୍ନିବାଚନ ସମୟରେ ୩୦୦ ୟୁନିଟ୍ ମାଗଣା ବିଜୁଳି ଯୋଗାଇ ଦେବାପାଇଁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପୂରଣ କରିବାକୁ ମଧ୍ୟ କୁହାଯାଇଛି ।
ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଗଠିତ ଷ୍ଟାଣ୍ଡିଂ କମିଟିରେ ବିଧାୟକ ରମେଶ ଚନ୍ଦ୍ର ଜେନା, ରମେଶ ଚନ୍ଦ୍ର ବେହେରା, ଓମ ପ୍ରକାଶ ମିଶ୍ର, ନବୀନ କୁମାର ଜୈନ ଓ ଆଶ୍ରିତ ପଟ୍ଟନାୟକ ପ୍ରମୁଖ ସଦସ୍ୟ ରହିଛନ୍ତି । କମିଟି ଏଭଳି ସୁପାରିଶ କରିବା ସହିତ ଦେଶର କେଉଁ ରାଜ୍ୟରେ କୃଷକ ଓ ଘରୋଇ ହିତାଧିକାରୀଙ୍କୁ କେତେ ପରିମାଣରେ ମାଗଣା ବିଜୁଳି ଦିଆଯାଉଛି ତାହାର ମଧ୍ୟ ଏକ ତାଲିକା ଜାରି କରିଛନ୍ତି ।
ଏଥିରେ ଦର୍ଶାଯାଇଛି ଯେ ଆନ୍ଧ୍ରପ୍ରଦେଶ ସରକାର ଦୀର୍ଘଦିନ ଧରି କୃଷକମାନଙ୍କୁ ମାଗଣା ବିଜୁଳି ଯୋଗାଇ ଦେଉଛନ୍ତି । ତେଲେଙ୍ଗାନା ସରକାର ଚାଷ କାର୍ଯ୍ୟ ପାଇଁ କୃଷକମାନଙ୍କୁ ୨୪ ଘଣ୍ଟିଆ ମାଗଣା ବିଜୁଳି ଯୋଗାଉଛନ୍ତି ଯାହା କି ଦେଶରେ ଅନନ୍ୟ ଯୋଜନା । ସେହିଭଳି କର୍ଣ୍ଣାଟକ ସରକାର ଜଳସେଚନ ପାଇଁ ଚାଷୀମାନଙ୍କୁ ମାଗଣା ବିଜୁଳି ଯୋଗାଇ ଦେଉଥିବାବେଳେ ତାମିଲନାଡୁ ସରକାର ଚାଷୀମାନଙ୍କୁ ଚାଷକାର୍ଯ୍ୟ ପାଇଁ ମାଗଣା ବିଜୁଳି ସଂଯୋଗ ଦେଉଛନ୍ତି । ପଞ୍ଜାବ ସରକାର ଜଳସେଚନକୁ ପ୍ରୋତ୍ସାହନ ପାଇଁ କୃଷକମାନଙ୍କୁ ମାଗଣା ବିଜୁଳି ଯୋଗାଇ ଦେଉଥିବାବେଳେ ଉତ୍ତରପ୍ରଦେଶ ସରକାର ଚାଷକାର୍ଯ୍ୟରେ ବ୍ୟବହୃତ ପାଣିପମ୍ପ ଚଳାଇବାପାଇଁ କୃଷକମାନଙ୍କୁ ମାସକୁ ନିର୍ଦ୍ଦିଷ୍ଟ ପରିମାଣର ମାଗଣା ବିଜୁଳି ଯୋଗାଉଛନ୍ତି । ମହାରାଷ୍ଟ୍ର ସରକାର ବିଭିନ୍ନ ଯୋଜନା ଜରିଆରେ ଚାଷୀମାନଙ୍କୁ ୭.୫ ଏଚପି କ୍ଷମତା ବିଶିଷ୍ଟ ପାଣିପମ୍ପ ପାଇଁ ମାଗଣା ବିଜୁଳିର ବ୍ୟବସ୍ଥା କରିଛନ୍ତି ।
ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ଯେଉଁସବୁ ରାଜ୍ୟରେ ଘରୋଇ ଗ୍ରାହକଙ୍କୁ ମାଗଣା ବିଜୁଳି ଯୋଗାଣର ତାଲିକା ଜାରି କରାଯାଇଛି ସେହିସବୁ ରାଜ୍ୟ ମଧ୍ୟରେ ଦିଲ୍ଲୀ, ପଞ୍ଜାବ, ରାଜସ୍ଥାନ, ଝାଡଖଣ୍ଡ, ବିହାର ଓ ହିମାଚଳପ୍ରଦେଶ ଭଳି ରାଜ୍ୟ ରହିଛନ୍ତି । ଦିଲ୍ଲୀ ସରକାର ପ୍ରତିମାସରେ ଘରୋଇ ଗ୍ରାହକଙ୍କୁ ୨୦୦ ୟୁନିଟ୍ ମାଗଣା ବିଜୁଳି ଯୋଗାଇ ଦେଉଥିବାବେଳେ ପଞ୍ଜାବ ସରକାର ମାସକୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଦେଉଛନ୍ତି ।
ରାଜସ୍ଥାନ ସରକାର ଯୋଗ୍ୟ ହିତାଧିକାରୀଙ୍କୁ ମାସିକ ୩୦୦ୟୁନିଟ୍ ମାଗଣା ବିଜୁଳି ଯୋଗାଣ ପାଇଁ ଘୋଷଣା କରିଥିବାବେଳେ ଝାଡଖଣ୍ଡ ସରକାର ଏହି ସୀମା ୧୨୫ ୟୁନିଟ୍ ରଖଛନ୍ତି । ବିହାର ସରକାର ୨୦୨୫ ଅଗଷ୍ଟ ପହିଲାରୁ ପ୍ରତି ମାସରେ ଘରୋଇ ଗ୍ରାହକଙ୍କୁ ୧୨୫ ୟୁନିଟ୍ ମାଗଣା ବିଜୁଳି ଯୋଗାଇ ଦେଉଥିବାବେଳେ ହିମାଚଳ ସରକାର ମଧ୍ୟ ୧୨୫ ୟୁନିଟ୍ର ମାଗଣା ବିଜୁଳି ଦେଉଛନ୍ତି ।
ଏହି ତାଲିକା ସହିତ କମିଟି ଆହୁରି ଦର୍ଶାଇଛନ୍ତି ଯେ ଭୁବନେଶ୍ୱରରେ ଭୂତଳ କେବୁଲିଂ ବ୍ୟବସ୍ଥା ଅତ୍ୟନ୍ତ ଧିମା ଗତିରେ ଚାଲିଥିବାବେଳେ ଏହାକୁ ଜୋରଦାର କରାଯିବା ଆବଶ୍ୟକ । ଗାଁ ଗହଳରେ ଲୋଡ୍ ସେଡିଂ ପ୍ରମୁଖ ସମସ୍ୟା ହୋଇଥିବାବେଳେ ଆସନ୍ତା ଗ୍ରୀଷ୍ମ ଦିନକୁ ଦୃଷ୍ଟିରେ ରଖି ଟ୍ରାନଫର୍ମର ସହିତ ଅନ୍ୟାନ୍ୟ ଯନ୍ତ୍ରପାତି ମହଜୁଦ ରଖିବାକୁ କମିଟି କହିଛନ୍ତି । ସ୍ମାର୍ଟ ମିଟର ପ୍ରତିଷ୍ଠା ଓ ଅଧିକ ବିଲ୍ ଆସିବାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଦେଖା ଦେଇଥିବା ଅସନ୍ତୋଷର ସମାଧାନ ପାଇଁ ବିଭାଗ ପଦକ୍ଷେପ ଗ୍ରହଣ କରିବାକୁ କମିଟି ସୁପାରିଶ୍ କରିଛନ୍ତି । (ତଥ୍ୟ)

