ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ସମଗ୍ର ଦେଶରେ ୨୨ଲକ୍ଷ ୪୮ହଜାରରୁ ଅଧିକ ଲୋକଙ୍କ ଘରେ ସୌରଶକ୍ତି ପ୍ୟାନେଲ ଲାଗିଥିବାବେଳେ ଓଡିଶାରେ ଏହି ସଂଖ୍ୟା ୩୫ ହଜାରକୁ ଛୁଇଁପାରୁ ନାହିଁ । ଚଳିତବର୍ଷ ଜାନୁଆରୀ ଶେଷ ସୁଦ୍ଧା ସମଗ୍ର ଦେଶରେ ସୌରଶକ୍ତି ପ୍ରକଳ୍ପ ସ୍ଥାପନ ନେଇ କେନ୍ଦ୍ର ସରକାର ଦେଇଥିବା ସୂଚନାରୁ ଏହା ଜଣାଯାଇଛି ।
ସୂଚନା ଅନୁଯାୟୀ କେନ୍ଦ୍ର ସରକାରଙ୍କର ଏହି ମାଗଣା ବିଜୁଳି ଯୋଜନାରେ ଲୋକଙ୍କ ଘରର ଛାତ ଉପରେ ସୌରଶକ୍ତି ପ୍ରକଳ୍ପ ସ୍ଥାପନ କରାଯିବ । ଏଥିରୁ ମିଳୁଥିବା ବିଜୁଳି ସମ୍ପୂର୍ଣ୍ଣ ମାଗଣାରେ ଲୋକଙ୍କୁ ମିଳିବ । ଏହି ପ୍ରକଳ୍ପ ସ୍ଥାପନ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମୋଟା ଅଙ୍କର ସବସିଡ୍ ଯୋଗାଇ ଦେଉଛନ୍ତି ।
କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ପ୍ରୋତ୍ସାହନ ଯୋଗୁଁ ଦେଶରେ ୨୮ଲକ୍ଷରୁ ଅଧିକ ପରିବାର ଏହା ଲାଭ ଉଠାଇ ସାରିଲେଣି । ହେଲେ ଓଡିଶାରେ ସେତେଟା ଅଗ୍ରଗତି ପରିଲକ୍ଷିତ ହେଉନାହିଁ । ନିଜ ଘରେ ସୌରଶକ୍ତି ପ୍ରକଳ୍ପ ସ୍ଥାପନ ପାଇଁ ଓଡିଶାରେ ୧ଲକ୍ଷ ୭୧ ହଜାରରୁ ଅଧିକ ଆବେଦନ ହୋଇଥିବାବେଳେ ପାଖପାଖି ୩୩ହଜାର ପ୍ରକଳ୍ପ ସ୍ଥାପନ ହୋଇ ୩୩ହଜାର ପରିବାର ଉପକୃତ ହୋଇଛନ୍ତି ।
ତେବେ ଓଡିଶାରେ ବିଦ୍ୟୁତ୍ ବିତରଣ କମ୍ପାନୀକୁ ଏହି ଦାୟିତ୍ୱ ଦିଆଯାଇଥିବାବେଳେ ମାଗଣା ବିଜୁଳି ଯୋଜନା କିନ୍ତୁ ଅତ୍ୟନ୍ତ ମନ୍ଥର ଗତିରେ ଚାଲିଛି । ଗୁଜୁରାଟରେ ୭ଲକ୍ଷ ୭୭ହଜାରରୁ ଅଧିକ ପରିବାର ଉପକୃତ ହୋଇଥିବାବେଳେ ମହାରାଷ୍ଟ୍ରରେ ଏହି ସଂଖ୍ୟା ୬ଲକ୍ଷ ୮୦ ହଜାରରୁ ଅଧିକ ରହିଛି । ପଡୋଶୀ ଆନ୍ଧ୍ରପ୍ରଦେଶରେ ଏହା ୧ଲକ୍ଷ ପାଖାପାଖି ଥିବାବେଳେ ଛତିଶଗଡ ଭଳି ରାଜ୍ୟରେ ଏହା ୩୦ହଜାର ଛୁଇଁଲାଣି ।
ତେବେ ଓଡିଶାରେ ଯୋଜନାର ମନ୍ଥର ଗତି ସଂକ୍ରାନ୍ତରେ ଜଣାଯାଇଛି ଯେ ପ୍ରକଳ୍ପ ସ୍ଥାପନ ଦାୟିତ୍ୱ ନେଇଥିବା ବିଦ୍ୟୁତ୍ ବିତରଣ କମ୍ପାନୀ ଏହାର ଯେଭଳି ପ୍ରଚାର ପ୍ରସାର କରିବାକଥା ତାହା କରୁନାହିଁ । ଭେଣ୍ଡରଙ୍କ ହାତରେ ଦାୟିତ୍ୱ ଦେଇ କମ୍ପାନୀ ବସିଥିବାବେଳେ ସାଧାରଣ ଲୋକେ ଭେଣ୍ଡରଙ୍କ ଉପରେ ଭରସା କରିପାରୁ ନାହାନ୍ତି । ସେହିଭଳି ଲୋକଙ୍କୁ ଆକୃଷ୍ଟ କରିବାପାଇଁ ଯେଉଁ ବିଜ୍ଞାପନ ଦିଆଯାଉଛି ତାହା ଲୋକଙ୍କ ଆହୁରି ଦ୍ୱନ୍ଦରେ ପକାଉଥିବାବେଳେ ଭେଣ୍ଡରମାନଙ୍କୁ ବି ଭାଣ୍ଡିଆ କରୁଛି ।
ବିଦ୍ୟୁତ୍ ବିରଣ କମ୍ପାନୀ ବିଜ୍ଞାପନରେ ଗୋଟିଏ କିଲୋୱାଟ ସୌର ପ୍ରକଳ୍ପ ପାଇଁ ୫ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ଦର୍ଶାଉଥିବାବେଳେ ଭେଣ୍ଡରମାନେ କିନ୍ତୁ ୩ କିଲୋୱାଟ ପ୍ରକଳ୍ପ ପାଇଁ ୭୦ହଜାର ଟଙ୍କା ଲାଗିବ ବୋଲି କହୁଛନ୍ତି । ଏହାକୁ ନେଇ ଗାଁ ଗହଳର ଲୋକେ ଦ୍ୱନ୍ଦରେ ପଡୁଛନ୍ତି । ଗାଁ ଗହଳ ତ ଦୂରରକଥା ଖୋଦ୍ ରାଜଧାନୀରେ ବି ଲୋକେ ନିଜ ନିଜ ଘରେ ଏହି ପ୍ରକଳ୍ପ ସ୍ଥାପନ ପାଇଁ କୁନ୍ଥୁ କୁନ୍ଥୁ ହେଉଛନ୍ତି । ସରକାରୀ ବାସଗୃହଗୁଡିକରେ ସୌର ପ୍ରକଳ୍ପ ସ୍ଥାପନ ପାଇଁ ବର୍ତ୍ତମାନ ସୁଦ୍ଧା ଅନୁମତି ମିଳିପାରୁ ନାହିଁ । ବିଦ୍ୟୁତ୍ ବିତରଣ କମ୍ପାନୀର ଅମନଯୋଗିତାକୁ ଲକ୍ଷ୍ୟକରି ଭେଣ୍ଡରମାନେ ଏବେ ନିଜ ନିଜ ଉଦ୍ୟମରେ ହିତାଧିକାରୀ ଖୋଜିବାରେ ଲାଗିଛନ୍ତି । ହେଲେ ସାଧାରଣ ଲୋକେ କିନ୍ତୁ ସହଜରେ ଏମାନଙ୍କୁ ବିଶ୍ୱାସ କରୁନଥିବାରୁ ରାଜ୍ୟରେ ମାଗଣା ବିଜୁଳି ଯୋଜନାର ଏଭଳି କଚ୍ଛପ ଗତି ଦେଖିବାକୁ ମିଳୁଛି । (ତଥ୍ୟ)

