Home General ମାଗଣା ତାଲିମ ଆଳରେ ଶିକ୍ଷିତଙ୍କୁ ଶୋଷଣ

ମାଗଣା ତାଲିମ ଆଳରେ ଶିକ୍ଷିତଙ୍କୁ ଶୋଷଣ

ଭୁବନେଶ୍ୱର : ଚାକିରିଟିଏ ବିକଳ ହେଉଥିବା ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ତାଲିମ ଓ ନିଯୁକ୍ତି ନାଁରେ ଚାଲିଛି ଶୋଷଣ । ମାଗଣା ତାଲିମ ପରେ ନିଯୁକ୍ତି ଦେଇ ସେମାନଙ୍କ ପାଉଣାରୁ ମୋଟା ଅଙ୍କର ଅର୍ଥ ନେଇଯାଉଛନ୍ତି ତାଲିମଦାତା । ତାଲିମ ପ୍ରଦାନ କରୁଥିବା ସଂସ୍ଥା ଓ ନିଯୁକ୍ତି ଦେଉଥିବା ସଂସ୍ଥା ମଧ୍ୟରେ ସଲାସୁତରାରେ ଚାଲିଥିବା ଏହି ଶୋଷଣ ଉପରେ ସରକାରୀକଳ ନଜର ଦେବାକୁ ମତପ୍ରକାଶ ପାଉଛି ।

ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସହରରେ ଏବେ ଏବେ ଛାତ୍ରଛାତ୍ରୀମାନଙ୍କୁ କମ୍ପ୍ୟୁଟର, ସ୍ପୋକେନ ଇଂରାଜୀ ଆଦିର ମାଗଣା ତାଲିମ ଲୋଭ ଦେଖାଯାଉଛି । ତାଲିମ ପରେ ଶତ ପ୍ରତିଶତ ନିଯୁକ୍ତି ମିଳିବ ବୋଲି କୁହାଯାଉଛି । ଏଥିରେ ଆକର୍ଷିତ ହୋଇ ଛାତ୍ରଛାତ୍ରୀମାନେ ଯୋଗ ଦେଉଛନ୍ତି । ମାସେ କିମ୍ବା ଦୁଇମାସର ମାଗଣା ତାଲିମ ପରେ ବିଭିନ୍ନ ସଂସ୍ଥାରେ ତାଲିମର ସୁଯୋଗ ମିଳୁଛି ।

ତେବେ ତାଲିମ ପାଉଥିବା ପିଲାମାନେ ମାସକୁ ୬/୭ ହାଜର ଟଙ୍କାରୁ ଅଧିକ ପାଉଣା ପାଉନାହାନ୍ତି । ଏହି ଚାକିରିରେ ଛୁଟି ବି ନାହିଁ । ଛୁଟିରେ ରହିଲେ ମାସିକ ପାଉଣାରୁ ପଇସା କଟି ଯାଉଛି । ରବିବାର ପାଇଁ ମଧ୍ୟ ପଇସା ମିଳୁନାହିଁ । ମୋଟାମୋଟି ଭାବେ ନିଯୁକ୍ତି ପାଉଥିବା ପିଲାମାନେ ମାସକୁ ୫/୬ ହଜାର ଟଙ୍କାରୁ ଅଧିକ ପାଉନାହାନ୍ତି । କମ୍ପାନୀ ପକ୍ଷରୁ ସେମାନଙ୍କୁ ମିଳୁଥିବା ପାଉଣାରୁ ମୋଟା ଅଙ୍କର ଅର୍ଥ ସମ୍ପୃକ୍ତ ତାଲିମପ୍ରଦାନକାରୀ ସଂସ୍ଥା କମିଶନ ଆକାରରେ ନେଉଥିବା ନେଇ ଅନେକ ଆଶଙ୍କା କରୁଛନ୍ତି ।

ତେବେ ପାଠପଢା ପରେ ଦୁଇ ପଇସା ରୋଜଗାର ପାଇଁ ବିକଳ ହେଉଥିବା ପିଲାମାନଙ୍କୁ ଏଭଳି ଉପାୟରେ ଶୋଷଣ ଚାଲିଥିବାବେଳେ ଏଥିଯୋଗୁଁ ଅନେକ ପ୍ରତିଭାବାନ ପିଲା ବିଭିନ୍ନ ପ୍ରତିଯୋଗିତା ପାଇଁ ଆଉ ମନ ବଳାଉ ନାହାନ୍ତି । ମାଗଣା ତାଲିମ ଓ ତାଲିମ ପରେ ପରେ ନିଯୁକ୍ତି ନିଶାରେ ଅନେକ ଯୁବପୀଢି ଏବେ ଏଥିପ୍ରତି ଢଳୁଥିବାରୁ ସହଜରେ ଶୋଷଣର ଶିକାର ହେଉଛନ୍ତି ।

ସେହିଭଳି ଛାତ୍ରଛାତ୍ରୀଙ୍କୁ ମାଗଣା ତାଲିମ ଦେବାପାଇଁ ସମ୍ପୃକ୍ତ ଅନୁଷ୍ଠାନଗୁଡିକ ବିଭିନ୍ନ ଯୋଜନାରେ ସରକାରୀ ଓ ବେସରାରୀ ସଂସ୍ଥାରୁ ପ୍ରଚୁର ଅର୍ଥ ଆଣୁଥିବାବେଳେ ଏ ସଂକ୍ରାନ୍ତରେ କିନ୍ତୁ ତାଲିମଧାରୀ ଟେର୍‍ ପାଉନାହାନ୍ତି । ତେଣୁ ମାଗଣା ତାଲିମ ପରେ ଯେଉଁ ସଂସ୍ଥାରେ ଯେତିକି ପଇସାରେ ନିଯୁକ୍ତି ମିଳୁଛି ସେଥିରେ ସହଜରେ ରାଜି ହୋଇଯାଉଛନ୍ତି । ଏହି ଯୋଜନରେ ତାଲିମ ପ୍ରଦାନ କରୁଥିବା ସଂସ୍ଥାର ଦୁଇପଟୁ ଲାଭ ହେଉଥିବାବେଳେ ତାଲିମ ନେଇ ବିଭିନ୍ନ ଘରୋଇ ସଂସ୍ଥାରେ କାମ କରୁଥିବା ପିଲାମାନେ ସହଜରେ ଶୋଷଣର ଶିକାର ହେବାରେ ଲାଗିଛନ୍ତି ।

ରାଜ୍ୟର ସହରାଞ୍ଚଳରେ ବର୍ତ୍ତମାନ ଏଭଳି ମାଳ ମାଳ ତାଲିମକେନ୍ଦ୍ର କାର୍ଯ୍ୟ କରୁଥିବାବେଳେ ଏମାନେ କିଭଳି ମାଗଣାରେ ତାଲିମ ପ୍ରଦାନ କରୁଛନ୍ତି ଓ ଏଥିପାଇଁ କେଉଁ ସୂତ୍ରରୁ ଅର୍ଥ ଆଣୁଛନ୍ତି ସରକାର ତାହା ଉପରେ ନଜର ଦେବାପାଇଁ ମତପ୍ରକାଶ ପାଉଛି । ସେହିଭଳି ଏଠାରୁ ତାଲିମ ପାଇଁ ବିଭିନ୍ନ ସଂସ୍ଥାରେ କାର୍ଯ୍ୟ କରୁଥିବା ପିଲାମାନଙ୍କ ନିଯୁକ୍ତି ଉପରେ ଶ୍ରମ ବିଭାଗ ଦୃଷ୍ଟି ଦେବାକୁ ମଧ୍ୟ କୁହାଯାଉଛି । (ତଥ୍ୟ)