Home Health ମାଗଣା ଚିକିତ୍ସାରେ ମାସକୁ ୨୬୧ କୋଟି

ମାଗଣା ଚିକିତ୍ସାରେ ମାସକୁ ୨୬୧ କୋଟି

ଭୁବନେଶ୍ୱର : ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରୁ ବାଦ୍‍ ପଡିଥିବା ବୟସ୍କ ଲୋକମାନେ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେଉଥିବାବେଳେ ଜାରି ରହିଥିବା ମାଗଣା ଚିକିତ୍ସା ଯୋଜନାରେ ଗତ ଆର୍ଥିକ ବର୍ଷର ୧୧ ମାସରେ ୨୮୮୧ କୋଟି ଟଙ୍କାରୁ ଅଧିକ ଅର୍ଥ ଚିକିତ୍ସା ବାବଦରେ ବ୍ୟୟ ହୋଇଛି । ମାସକୁ ହାରାହାରି ଭାବେ ୨୬୧କୋଟିରୁ ଅଧିକ ଟଙ୍କା ବ୍ୟୟ ହେଉଥିବାବେଳେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ ପରେ ବ୍ୟୟଭାର ଆହୁରି ବୃଦ୍ଧି ପାଇବାର ଆକଳନ କରାଯାଇଛି ।

ସେହିଭଳି ୨୦୨୪ ଜୁନ୍‍ ପହିଲାରୁ ଚଳିତ ବର୍ଷ ଫେବୃୟାରୀ ମାସ ମଧ୍ୟରେ ଲକ୍ଷାଧିକ ଲୋକ ଏହି ଯୋଜନାରେ ଉପକୃତ ହୋଇଛନ୍ତି । ଖୋରଧା ଜିଲ୍ଲାରେ ୪ଲକ୍ଷ ୮୮ହଜାରରୁ ଅଧିକ ଲୋକ ଉପକୃତ ହୋଇଥିବାବେଳେ କଟକରେ ଏହି ସଂଖ୍ୟା ୩ଲକ୍ଷ ୨୪ହଜାରରୁ ଅଧିକ ରହିଛି । ଗଞ୍ଜାମ ଜିଲ୍ଲାରେ ୭୭ହଜାରରୁ ଅଧିକ ରୋଗୀ ଉପକୃତ ହୋଇଥିବାବେଳେ ସୁନ୍ଦରଗଡରେ ୭୧ ହଜାରରୁ ଅଧିକ ଏବଂ ଯାଜପୁରରେ ଏହା ୫୦ହଜାରରୁ ଅଧିକ ରହିଛି । ସବୁଠାରୁ କମ୍‍ ମାତ୍ର ୨୭୯ ଜଣ ରୋଗୀ ଗଜପତି ଜିଲ୍ଲାରେ ମାଗଣା ଚିକିତ୍ସା ସୁବିଧା ପାଇଥିବାବେଳେ ନୂଆପଡାରେ ଏଡା ୧୫୫୯ ରହିଛି ।

ତେବେ ରାଜ୍ୟ ରାଜଧାନୀ ସମେତ ଚିକିତ୍ସା ସେବାର ଅନ୍ୟତମ କେନ୍ଦ୍ର କଟକରେ ସଂଖ୍ୟାଧିକ ରୋଗୀ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ଉପକୃତ ହୋଇଛି । ଏହି ଦୁଇ ସହରରେ ଏକାଧିକ ବଡ ଓ ଛୋଟ ଡାକ୍ତରଖାନା ସରକାରଙ୍କ ସହିତ ଅନୁବନ୍ଧିତ ରହିଥିବାବେଳେ ରାଜ୍ୟର ବିଭିନ୍ନ ସ୍ଥାନରୁ ରୋଗୀମାନେ ଏଠାକୁ ଆସୁଛନ୍ତି ।

ତେବେ ପୂର୍ବରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ପରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ନାମକରଣ ହୋଇଥିବା ଏହି ଯୋଜନାରେ ରୋଗୀମାନଙ୍କ କାର୍ଡରୁ କେଉଁ ରୋଗ ପାଇଁ କେତେ ଅର୍ଥ ବ୍ୟୟ ହେଉଛି ତାହା ସହଜରେ ଜାଣିପାରୁ ନାହାନ୍ତି । ଯେହେତୁ ଚିକିତ୍ସା ସେବା ସମ୍ପୂର୍ଣ୍ଣ ମାଗଣାରେ ହେଉଛି ତେଣୁ ରୋଗୀ କିମ୍ବା ସେମାନଙ୍କ ସମ୍ପର୍କୀୟମାନେ ଚିକିତ୍ସା ବାବଦୀୟ ବ୍ୟୟ ସଂକ୍ରାନ୍ତରେ ବୁଝିବା ବଦଳରେ ମୁହଁ ବନ୍ଦକରି ଘରକୁ ପଳାଉଛନ୍ତି । କେତେକ ସ୍ଥାନରେ ରୋଗୀକୁ ମାତ୍ର ୧୦/୧୨ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି କହି ଆଡମିଶନ କରୁଥିବା ଘରୋଇ ଡାକ୍ତରଖାନା ଦୁଇ ତିନି ଦିନର ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କାର ବିଲ୍‍ ଧରାଯିବା ସହିତ ସେମାନଙ୍କ କାର୍ଡରୁ ଅର୍ଥ କାଟି ନିଆଯାଉଛି ।

ଅନ୍ୟ ପକ୍ଷରେ ରାଜଧାନୀ ଭୁବନେଶ୍ୱର, କଟକ ସମେତ ପ୍ରତ୍ୟେକ ଜିଲ୍ଲା ସଦର ମହୁକୁମାରେ ଥିବା ଚିକିତ୍ସାଳୟରେ ମାଗଣା ଚିକିତ୍ସାସେବା ଯୋଗାଇ ଦିଆଯାଉଥିବାବେଳେ ଏତେ ସଂଖ୍ୟାରେ ରୋଗୀ କିଭଳି ଘରୋଇ ଡାକ୍ତରଖାନାକୁ ଯାଉଛନ୍ତି ଓ ସେମାନଙ୍କ ବାବଦରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ତାହାର ଠିକଣା ଅନୁଧ୍ୟାନ ହେଉନଥିବା କୁହାଯାଉଛି । ମାଗଣା ଚିକିତ୍ସା ମିଳୁଥିବାରୁ ସାଧାରଣ ରୋଗ ଠାରୁ ଆରମ୍ଭ କରି ପିଲା ଜନ୍ମ ପର୍ଯ୍ୟନ୍ତ ବହୁ ଚିକିତ୍ସା, ଯାହା ସହଜରେ ସରକାରୀ ଚିକିତ୍ସାଳୟରେ ଉପଲବ୍ଧ , ସେଥିପାଇଁ ଲୋକେ ଘରୋଇ ଡାକ୍ତରଖାନା ମୁହାଁ ହେଉଛନ୍ତି । ବର୍ତ୍ତମାନ ଆୟୁଷ୍ମାନ ଯୋଜନା ଲାଗୁ ପରେ ଏ କ୍ଷେତ୍ରରେ ସରକାରଙ୍କ ଆଭିମୁଖ୍ୟ କ’ଣ ରହିବ ତାହା ଉପରେ ସମସ୍ତଙ୍କ ନଜର । (ତଥ୍ୟ)