ଭୁବନେଶ୍ୱର : ମାଗଣା ଚାଉଳ ମିଳୁଥିବା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେବାପାଇଁ ୯୯ ହଜାରରୁ ଅଧିକ ଆବେଦନପତ୍ର ହସ୍ତଗତ ହୋଇଛି । ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ।
ବିଜେଡି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ବର୍ତ୍ତମାନ ଜାତୀୟ ଖାଦ୍ୟ ସୁରକ୍ଷ ଆଇନ୍ ରେ ୩,୭୬,୫୯, ୬୪୮ ଜଣ ହିତାଧିକାରୀ ସାମିଲ ହୋଇଥିବାବେଳେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୯,୭୬,୨୮୧ ଜଣ ଉପକୃତ ହେଉଛନ୍ତି । ଏମାନଙ୍କ ମୋଟ୍ ସଂଖ୍ୟା ହେଉଛି ୩,୮୬,୩୫,୯୨୯ ଜଣ ।
ତେବେ ଏମାନଙ୍କ ବାଦ୍ ଉକ୍ତ ଯୋଜନାଗୁଡିକରେ ସାମିଲ ହେବାପାଇଁ ୯୯,୧୨୧ଟି ଆବେଦନପତ୍ର ପଡିଛି । ଉଲ୍ଲେଖନୀୟ ଯେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ମାସିକ ମୁଣ୍ଡପିଛା ୫କିଲୋକରି ଚାଉଳ ଯୋଗାଇ ଦିଆଯାଉଛି । ଏ ବାବଦରେ ୨୦୨୩-୨୪ ବର୍ଷ ପାଇଁ ୧୯୦ କୋଟି ଟଙ୍କାର ବ୍ୟୟବରାଦ କରାଯାଉଛି ।
ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ପୂର୍ବରୁ ମିଳୁଥିବା ଚାଉଳ ପାଇଁ ହିତାଧିକାରୀଙ୍କୁ କିଲୋ ପ୍ରତି ୧ ଟଙ୍କା ଦେବାକୁ ପଡୁଥିଲା । ରାଜ୍ୟ ସରକାର କିଲୋ ପ୍ରତି ୩ଟଙ୍କା ପ୍ରଦାନ କରୁଥିଲେ । ତେବେ କେନ୍ଦ୍ର ସରକାର ଇତି ମଧ୍ୟରେ ଏହି ଚାଉଳ ଯୋଗାଣକୁ ସମ୍ପୂର୍ଣ୍ଣ ମାଗଣା ଘୋଷଣା କରିବା ସହିତ ସମସ୍ତ ଖର୍ଚ୍ଚ ନିଜେ ବହନ କରିଛନ୍ତି । (ତଥ୍ୟ)