Home General ମାଗଣା ଚାଉଳ ଅପେକ୍ଷାରେ ୬ଲକ୍ଷ

ମାଗଣା ଚାଉଳ ଅପେକ୍ଷାରେ ୬ଲକ୍ଷ

ଭୁବନେଶ୍ୱର : ରାଜ୍ୟରେ ଏବେ ୩କୋଟି ୩୫ଲକ୍ଷରୁ ଅଧିକ ଲୋକ ମାଗଣା ଚାଉଳ ପାଉଥିବାବେଳେ ଆହୁରି ୬ଲକ୍ଷରୁ ଅଧିକ ଲୋକେ ଏହି ଚାଉଳ ପାଇବାପାଇଁ ଆବେଦନ କରି ଅପେକ୍ଷାରେ ରହିଛନ୍ତି । ହିତାଧିକାରୀଙ୍କ ମୃତ୍ୟୁ କିମ୍ବା ଅଯୋଗ୍ୟ ଘୋଷିତ ହୋଇ ତାଲିକାରୁ କଟିଲେ ସେମାନଙ୍କ ସ୍ଥାନରେ ଏହି ଆବେଦନକାରୀମାନେ ସ୍ଥାନ ପାଇବେ ।

ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ର‌୍ୟା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟରେ ବର୍ତ୍ତମାନ ମୋଟ୍‍ ୩,୩୫,୦୫,୦୨୮ ଜଣ ବ୍ୟକ୍ତି ମାଗଣା ଚାଉଳ ପାଉଛନ୍ତି । ଏମାନଙ୍କ ମଧ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‍ରେ ୯୨,୮୮,୭୭୪ ଟି ପରିବାରର ୩,୨୫,୧୯,୨୩୧ ଜଣ ଥିବାବେଳେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩,୧୪,୮୪୧ ପରିବାରର ୯,୮୫,୭୯୭ ଜଣ ବ୍ୟକ୍ତି ରହିଛନ୍ତି ।

ଏମାନଙ୍କୁ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ୧୨ଟି ମାନଦଣ୍ଡ ଆକାରରେ ଚୟନ କରାଯାଉଥିବାବେଳେ ୧୦ଟି ମାନଦଣ୍ଡ ଆଧାରରେ ବାଦ୍‍ ଦିଆଯାଉଛି । ଜିଲ୍ଲାସ୍ତରରେ କାର୍ଯ୍ୟରତ ବିଭାଗୀୟ କର୍ମଚାରୀଙ୍କ ଦ୍ୱାରା ଉପଯୁକ୍ତ ତଦନ୍ତ କରାଯାଇ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ହିତାଧକାରୀ ଚୟନର ସର୍ବୋଚ୍ଚ ସୀମା ଅନୁସାରେ ଏବଂ ଖାଲି ପଡିଥିବା ସ୍ଥାନରେ ଯୋଗ୍ୟ ଆବଦନକାରୀଙ୍କୁ ଅର୍ନ୍ତଭୁକ୍ତ କରାଯାଇଥାଏ ।

ତେବେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ମାଗଣା ଚାଉଳ ପାଇବାପାଇଁ ବର୍ତ୍ତମାନ ସୁଦ୍ଧା ୬,୦୮,୬୧୭ ଜଣ ବ୍ୟକ୍ତି ଆବେଦନ କରି ଅପେକ୍ଷାରେ ରହିଛନ୍ତି । ଏହି ଆବେଦନକାରୀଙ୍କ ମଧ୍ୟରେ ସର୍ବାଧିକ ୧,୦୭,୦୭୪ ଜଣ ଗଞ୍ଜାମ ଜିଲ୍ଲାର ଥିବାବେଳେ ପୁରୀରେ ୯୭,୮୩୫ ଜଣ, ଭଦ୍ରକ ଜିଲ୍ଲାର ୬୭,୧୫୪ ଜଣ, ଖୋରଧାରେ ୪୬,୭୧୦ଜଣ, ନୟାଗଡରେ ୩୮,୫୦୭ଜଣ, ବଲାଙ୍ଗିରରେ ୩୭,୭୫୫, କଳାହାଣ୍ଡିରେ ୩୩,୦୭୪ ଜଣ, ବାଲେଶ୍ୱରରେ ୨୭,୪୦୭, ଜଗତ୍‍ସିଂହପୁରରେ ୨୪,୬୫୯ଜଣ, ଯାଜପୁରରେ ୨୩,୪୨୭ଜଣ, କଟକରେ ୧୬,୫୨୫ ଜଣ ଆବେଦନ କରିଛନ୍ତି । ମାଗଣା ଚାଉଳ ପାଇଁ ସବୁଠାରୁ କମ୍‍ ୩୧୯ଜଣ ବ୍ୟକ୍ତି କନ୍ଧମାଳ ଜିଲ୍ଲାରେ ଆବେଦନ କରିଥିବାବେଳେ ସୋନପୁର ଜିଲ୍ଲାରେ ଏହି ସଂଖ୍ୟା ୩୪୨ ରହିଛି । (ତଥ୍ୟ)