Home General ମାଗଣା ଚାଉଳରେ ୨୫ ପ୍ରତିଶତ ବାଟମାରଣା

ମାଗଣା ଚାଉଳରେ ୨୫ ପ୍ରତିଶତ ବାଟମାରଣା

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡିଶାକୁ ମିଳୁଥିବା ଚାଉଳରୁ ପାଖାପାଖି ୨୫ ପ୍ରତିଶତ ବାଟମାରଣା ହେଉଥିବା ଜଣାପଡିବାପରେ ପ୍ରକୃତି ହିତାଧିକାରୀଙ୍କୁ ତନଖି କରି ଜାଲ୍‍ ହିତାଧିକାରୀଙ୍କୁ ବାଦ୍‍ ଦେବାପାଇଁ ଜୋରଦାର ଉଦ୍ୟମ ଚାଲିଛି । ଏହା ଫଳରେ ଅଯୋଗ୍ୟ ହିତାଧିକାରୀଙ୍କ ସ୍ଥାନରେ ଆଉ ନୂଆ ଯୋଗ୍ୟ ହିତାଧିକାରୀ ଯୋଡି ହେବେ ।

ଇଣ୍ଡିଆନ କାଉନ୍‍ସିଲ୍‍ ଫର୍‍ ରିସର୍ଚ୍ଚ ଅନ୍‍ ଇଣ୍ଟରନେସନାଲ ଅନ୍‍ ଇକୋନୋମିକ୍‍ ରିଲେସନ୍‍ସ ର ରିପୋର୍ଟ ମୁତାବକ କେବଳ ଓଡିଶା କାହିଁକି ସାରା ଦେଶରେ ଏଭଳି ଲୁଟ୍‍ ଚାଲିଛି । ଜାତୀୟ ସ୍ତରରେ ୨୮ ପ୍ରତିଶତ ମାଗଣା ଚାଉଳ ଓ ଗହମ ଲୁଟ୍‍ ହେଉଥିବାବେଳେ ଓଡିଶାରେ ଏହାର ପରିମାଣ ୨୪.୭ ପ୍ରତିଶତ ବୋଲି କୁହାଯାଉଛି ।

ଏହି ରିପୋର୍ଟର ତଥ୍ୟ ମୁତାବକ ୨୦୨୨-୨୩ ବର୍ଷରେ ଓଡିଶାକୁ ୨.୮୨ ନିୟୁତ ଟନ୍‍ ଶସ୍ୟ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‍ ଆଧାରରେ ମିଳିଥିଲା । ଏଥିରୁ ୨.୧୩ ନିୟୁତ ଟନ୍‍ ଚାଉଳ ହିତାଧିକାରୀଙ୍କ ନିକଟକୁ ଯାଇଥିବାବେଳେ ଆଉ ୭ଲକ୍ଷ ଟନ୍‍ ଖାଦ୍ୟଶସ୍ୟ ବାଟମାରଣା ହୋଇଛି ।

ସରକାରୀ ତଥ୍ୟ ମୁତାବକ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‍ ଅଧିନରେ ଓଡିଶାରେ ୯୨,୬୬,୪୯୧ ପରିବାରର ୩,୨୫,୯୩,୮୭୫ ହିତାଧିକାରୀ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଚାଉଳ ପାଉଥିବାବେଳେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩,୧୫,୨୩୭ ପରିବାରର ୧୦,୦୨,୧୪୪ ହିତାଧିକାରୀଙ୍କୁ ମାଗଣା ଚାଉଳ ବଣ୍ଟା ଯାଉଥିବା କୁହାଯାଉଛି । ଏହି ଯୋଜନାରେ ମୁଣ୍ଡପିଛା ମାସିକ ୫ କିଲୋ କରି ମାଗଣା ଚାଉଳ ଦିଆଯାଇଥାଏ । ଏହାଛଡା ଅନ୍ନପୂର୍ଣ୍ଣା ଯୋଜନାରେ ପରିବାର ପିଛା ମାସିକ ୩୫ କିଲୋ କରି ମାଗଣା ଚାଉଳ ମିଳିଥାଏ ।

ମାଗଣା ଚାଉଳ ପାଇଁ ରାଜକୋଷରୁ କିଲୋପିଛା ହାରାହାରି ୪୦ଟଙ୍କା କରି ଖର୍ଚ୍ଚ ହେଉଛି । ଏ ପରିପ୍ରେକ୍ଷୀରେ ୭ଲକ୍ଷ ମେଟ୍ରିକ ଟନ୍‍ ଚାଉଳ ବାଟମାରଣା ହୋଇଥିବା ଘେନି ଯେଉଁ ରିପୋର୍ଟ ପ୍ରକାଶ ପାଇଛି ତାହାର ଦାମ୍‍ ୨୮୦୦ କୋଟି ଟଙ୍କା ହେବ । ଗରିବ ଲୋକଙ୍କ ରାଜକୋଷରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଦିଆଯାଉଥିବା ଚାଉଳରୁ ବାର୍ଷିକ ୨୮୦୦ କୋଟି ଟଙ୍କା ଲୁଟିହେବା ଘଟଣାକୁ ସହଜରେ ସରକାରୀକଳ ଗ୍ରହଣ କରିପାରୁନାହିଁ । ଏଠାରେ ଉଲ୍ଲେଖନୀୟ ଯେ ଜାତୀୟ ସ୍ତରରେ ଏହି ଯୋଜନାରେ ଯେତେ ଚାଉଳ ଗହମ ହିତାଧିକାରୀଙ୍କୁ ନଦେଇ ଲୁଟ୍‍ ହେଉଛି ତାହାର ପରିମାଣ ପାଖପାଖି ୭୦,୦୦୦ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

କେନ୍ଦ୍ର ସରକାରଙ୍କ ତଥ୍ୟ ମୁତାବକ ୨୦୨୯ ପର୍ଯ୍ୟନ୍ତ ୮୧କୋଟି ୩୫ଲକ୍ଷ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଚାଉଳ ଓ ଗହମ ଯୋଗାଇ ଦିଆଯିବାର ବ୍ୟବସ୍ଥା ଅଛି । ଏ ବାବଦରେ ୫ବର୍ଷରେ ୧୧ଲକ୍ଷ ୮୦ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ତେବେ କେନ୍ଦ୍ର ସରକାର ଯେଉଁ ୱାନ ନେସନ, ୱାନ ରାସନ ସହିତ ପଡିକାର୍ଡ ଯାଞ୍ଚ ପାଇଁ ଇ-କେୱାଇସି ବ୍ୟବସ୍ଥା କରୁଛନ୍ତି ସେଥିରେ ଓଡିଶା ସମେତ ବିଭିନ୍ନ ରାଜ୍ୟର ଲକ୍ଷ ଲକ୍ଷ ଜାଲ୍‍ ହିତାଧିକାରୀ କଟିଯିବା ସମ୍ଭାବନା ରହିଛି ।

ଅନ୍ୟ ପକ୍ଷରେ ଓଡିଶାରେ ଏବେ ପାଖପାଖି ୭ଲକ୍ଷ ପରିବାର ରାସନକାର୍ଡ ପାଇଁ ଆବେଦନ କରି ଅପେକ୍ଷାରେ ଅଛନ୍ତି । ଜାଲ୍‍ ହିତାଧିକାରୀଙ୍କୁ କାଟି ଦିଆଗଲେ ନୂଆ ହିତାଧିକାରୀଙ୍କୁ ସାମିଲ କରିବାରେ ସରକାରୀକଳ ଉପରେ ଅଧିକ ଆର୍ଥିକ ଚାପ ପଡିବ ନାହିଁ । ତେବେ ଯେଉଁ ଅଧିକାରୀମାନଙ୍କ ତ୍ରୁଟିବିଚ୍ୟୁତି ଯୋଗୁଁ ଓଡିଶାରେ ୭ଲକ୍ଷ ଟନ୍‍ ଖାଦ୍ୟଶସ୍ୟ ବରବାଦ ହେଉଛି ସେମାନଙ୍କ ବିରୁଦ୍ଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ହେବ ତାହା ଉପରେ ଏବେ ସମସ୍ତଙ୍କ ନଜର । (ତଥ୍ୟ)