ଭୁବନେଶ୍ୱର : କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଦ୍ୱାରା ଅପପୁଷ୍ଟି ଦୂରୀକରଣ ପାଇଁ ଘରଦୁଆରେ ପୁଷ୍ଟି ଯୋଜନାରେ କୁକୁଡ଼ା ଚିଆଁ ବଣ୍ଟନ କାର୍ଯକ୍ରମର ଶୁଭାରମ୍ଭ ହୋଇଯାଇଛି । ବିଭାଗୀୟ ଅଧିକାରୀମାନେ ନିଜ ନିଜ ଜିଲ୍ଲାରେ ଚିହ୍ନଟ ହିତାଧିକାରୀମାନଙ୍କୁ କୁକୁଡ଼ା ଚିଆଁ ବଣ୍ଟନ କରିଥିଲେ ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ଖାଦ୍ୟ ନିରାପତ୍ତା ସହିତ ରାଜ୍ୟବାସୀଙ୍କ ପୁଷ୍ଟି ସୁରକ୍ଷା ପ୍ରତି ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ରହିଛି । ରାଜ୍ୟ ସରକାର ଜନସାଧାରଣଙ୍କ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିଥିବାବେଳେ ରକ୍ତହୀନତା ଓ ଅପପୁଷ୍ଟିର ଶିକାର ହୋଇଥିବା ମା’ ଓ ଶିଶୁମାନଙ୍କୁ ଅପପୁଷ୍ଟି ଓ ରକ୍ତହୀନତା ଦୂର କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି ।
ସୁସ୍ଥ ମା’ ଓ ସୁସ୍ଥ ଶିଶୁର ପରିକଳ୍ପନା ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିସଂପନ୍ନ ପଦକ୍ଷେପ ସ୍ୱରୂପ ‘ଘରଦୁଆରେ ପୁଷ୍ଟି’ ଯୋଜନା ଆରମ୍ଭ କରାଯାଇଛି । ଏଥି ମଧ୍ୟରେ ଚିହ୍ନଟ ହିତାଧିକାରୀ ପରିବାରଙ୍କୁ ଫଳ ଓ ପନିପରିବା ଚାରା ବଣ୍ଟନ ଏବଂ କୁକୁଡ଼ା ଚିଆଁ ବଣ୍ଟନ କାର୍ଯକ୍ରମ ଅନ୍ତର୍ଭୁକ୍ତ ।
ଏହି ଯୋଜନାରେ ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ବିଭାଗ ପକ୍ଷରୁ ପ୍ରାଣୀଜ ପୁଷ୍ଟିସାର ଯୋଗାଇଦେବା ପାଇଁ କୁକୁଡ଼ା ଚିଆଁ ବଣ୍ଟନ କାରାଯାଉଛି । ରାଜ୍ୟର ୭ ଲକ୍ଷରୁ ଊଦ୍ଧ୍ୱର୍ ପରିବାର ଏହି କାର୍ଯକ୍ରମରେ ଉପକୃତ ହେବେ । ପରିବାର ପ୍ରତି ୫ ଗୋଟି ୨୮ ଦିନିଆ କୁକୁଡ଼ା ଚିଆଁ ବିନା ମୂଲ୍ୟରେ ପ୍ରଦାନ କରାଯାଉଛି । ଦିନିକିଆ କୁକୁଡ଼ା ଚିଆଁ ତୁଳନାରେ ୨୮ ଦିନିଆ କୁକୁଡ଼ା ଚିଆଁ ପାଳନ ସୁବିଧାଜନକ ହୋଇଥିବାରୁ ବିଭାଗ ତରଫରୁ ୨୮ ଦିନିଆ କୁକୁଡ଼ା ଯୋଗାଇ ଦିଆଯାଉଛି ।
ବାଡ଼ି ଅଗଣାରେ ପାଳନ କରିବାକୁ ଥିବା ଏହି କୁକୁଡ଼ାରୁ ହିତାଧିକାରୀ ପରିବାରଙ୍କୁ ହାତପାଆନ୍ତାରେ ଅଣ୍ଡା ମିଳିବ ଏବଂ ଅଣ୍ଡା ପୁଷ୍ଟି ସାଧନରେ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିବ । ଏହି କାର୍ଯ୍ୟକ୍ରମରେ ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୨୪ କୋଟି ଟଙ୍କା ବ୍ୟୟ ହେବ ଏବଂ ଏଥିରୁ ଦୈନିକ ପ୍ରାୟ ୪ ଲକ୍ଷ ୫୦ ହଜାର ଅଣ୍ଡା ଓ ବର୍ଷକୁ ପ୍ରାୟ ୧୬ କୋଟି ଅଣ୍ଡା ଉତ୍ପାଦନ ହୋଇପାରିବ । ଏହି କୁକୁଡ଼ା ଚିଆଁଗୁଡିକୁ ଲୋକମାନଙ୍କ ଘର ପାଖରେ ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।
ପୂର୍ବରୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅନ୍ତର୍ଗତ ଉଦ୍ୟାନକୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଅପପୁଷ୍ଟିରେ ପୀଡ଼ିତ ପରିବାରଙ୍କୁ ସଜନା, କଦଳୀ, ଅମୃତଭଣ୍ଡା, କନ୍ଦମୂଳ ଆଦି ଚାରା ବଣ୍ଟନ କରାଯାଇଛି । ଏଥିରୁ ସେମାନେ ସଜନା ଶାଗ, ସଜନା ଛୁଇଁ, କଞ୍ଚା କଦଳୀ, ଅମୃତଭଣ୍ଡା ପରି ପରିବା ପାଇପାରିବେ ଏବଂ ସେମାନଙ୍କର ପୁଷ୍ଟି ସାଧନ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଉଲ୍ଲେଖ କରିଥିଲେ ।
ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେଇଥିବା ରାଜ୍ୟର ୩୦ଟି ଜିଲ୍ଲାର ୩୦ଟି ପଞ୍ଚାୟତର ହିତାଧିକାରୀମାନଙ୍କ ସହ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସିଧାସଳଖ କଥାବାର୍ତ୍ତା ହୋଇଥିଲେ । ହିତାଧିକାରୀମାନେ ସେମାନଙ୍କ ସୁବିଧା ଓ ରାଜ୍ୟରୁ ଅପପୁଷ୍ଟି ଦୂର ପାଇଁ ନିଆଯାଇଥିବା ଏପରି ପଦକ୍ଷେପକୁ ସ୍ୱାଗତ କରିବା ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଧନ୍ୟବାଦ ଜଣାଇଥିଲେ ।
ପ୍ରାରମ୍ଭରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଥିଲେ ଯେ, କୁକୁଡ଼ା ଚିଆଁ ପାଳନ ମାଧ୍ୟମରେ ରାଜ୍ୟର ପ୍ରାୟ ୭ ଲକ୍ଷ ପରିବାରକୁ ଆବଶ୍ୟକୀୟ ପୁଷ୍ଟିସାର ମିଳିବ । ଛୋଟ ଛୁଆ ଓ ମା’ ମାନଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଆସିବ । ପ୍ରାଣିପାଳନ ଓ ପ୍ରାଣିଚିକିତ୍ସା ନିର୍ଦ୍ଦେଶକ ଶ୍ରୀ ରାମାଶିଷ ହାଜରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଅତିରିକ୍ତ ନିର୍ଦ୍ଦେଶକ ଡ. ସଚ୍ଚିଦାନନ୍ଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । କୃଷି ଭବନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।