ଛତିଶଗଡ: ଛତିଶଗଡ଼-ତେଲେଙ୍ଗାନା ସୀମାରେ ନକ୍ସଲ ବିରୋଧୀ ଏକ ବଡ଼ ଅପରେସନରେ ଏକ ସାହସୀ ସିଆରପିଏଫ କୁକୁର ସହିଦ ହୋଇଛି। କେ-ନାଇନ ରୋଲୋ ନାମକ ଏହି କୁକୁର, ଯିଏ ବିସ୍ଫୋରକ ଚିହ୍ନଟ ଏବଂ ଆକ୍ରମଣ କରିବାରେ ପାରଙ୍ଗମ ଥିଲା । ସହିଦ ରୋଲୋକୁ ସମ୍ମାନ ଜଣାଇବା ପାଇଁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା
ଏହି ସାହସୀ କୁକୁରକୁ ପୂର୍ଣ୍ଣ ସମ୍ମାନର ସହିତ ଶେଷ ବିଦାୟ ଦେଇଥିଲେ ସିଆରପିଏଫ। ରୋଲୋକୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା ଏବଂ ମରଣୋତ୍ତର ଭାବରେ ସିଆରପିଏଫ ମହାନିର୍ଦ୍ଦେଶକଙ୍କ ଠାରୁ ଏକ ମାନପତ୍ର ପ୍ରଦାନ କରାଯିବାର ଘୋଷଣା କରାଯାଇଥିଲା। ଛତିଶଗଡ଼ ଏବଂ ତେଲେଙ୍ଗାନା ସୀମାନ୍ତରେ ଥିବା କାରେଗୁଟ୍ଟା ପାହାଡ଼ରେ ଏକ ସ୍ୱତନ୍ତ୍ର ଅଭିଯାନ ସମୟରେ ମହୁମାଛିମାନେ ହଠାତ୍ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ, ସିଆରପିଏଫ ଯବାନଙ୍କ ସହିତ ସର୍ଚ୍ଚ ଅପରେସନରେ ସାମିଲ ଥିବା ରୋଲୋ ଗୁରୁତର ଆହତ ହୋଇଥିଲା।
ରୋଲୋର ଯତ୍ନ ନେଉଥିବା ହ୍ୟାଣ୍ଡଲର ତାକୁ ବଞ୍ଚାଇବା ପାଇଁ ତୁରନ୍ତ ଏକ ପଲିଥିନ୍ ସିଟ୍ ଘୋଡ଼ାଇ ଦେଇଥିଲେ, କିନ୍ତୁ ମହୁମାଛି ଭିତରେ ପଶି ବିନ୍ଧି ପକେଇଥିଲେ । ଯଦିଓ ତାକୁ ବଞ୍ଚାଇବା ପାଇଁ ସମସ୍ତ ପ୍ରକାରର ଚେଷ୍ଟା କରାଯାଇଥିଲା, ଶେଷରେ ପଶୁଚିକିତ୍ସକ ତାକୁ ୨୦୨୫ ମସିହା ଏପ୍ରିଲ ୨୭ ତାରିଖରେ ମୃତ ଘୋଷଣା କରିଥିଲେ।
ରୋଲୋ, ଏକ ସାହସୀ ବେଲଜିୟମ୍ ମାଲିନୋଇସ୍ କୁକୁର । ବିସ୍ଫୋରକ ଚିହ୍ନଟ କରିବାରେ ଏବଂ ନକ୍ସଲଙ୍କ ଆଡ୍ଡା ଚିହ୍ନଟ କରିବାରେ ପାରଙ୍ଗମ ଥିଲା କିନ୍ତୁ ଦୁର୍ଭାଗ୍ୟବଶତଃ ସେ ମହୁମାଛିଙ୍କ ଆକ୍ରମଣର ଶିକାର ହୋଇଗଲା। ୨୦୨୪ ଏପ୍ରିଲରେ ସିଆରପିଏଫର ୨୨୮ତମ ବାଟାଲିୟନରେ ସାମିଲ ହୋଇଥିବା ରୋଲୋ, ବେଙ୍ଗାଲୁରୁର କୁକୁର ପ୍ରଜନନ ଏବଂ ତାଲିମ ବିଦ୍ୟାଳୟରେ ତାଲିମ ନେଇଥିଲା। ରୋଲୋ ନକ୍ସଲ ବିରୋଧୀ ଅପରେସନ ପାଇଁ ସ୍ୱତନ୍ତ୍ର ଭାବରେ ତାଲିମପ୍ରାପ୍ତ ଥିଲା ଏବଂ ଅନେକ ସଫଳ ଅପରେସନରେ ଅଂଶଗ୍ରହଣ କରିଥିଲା।