Home Culture ମାଇଁ ୱାଲର୍ଡ ଅଫ୍‌ ୱାର୍ଡସ୍‌ ର ସଂସ୍କୃତ ଅନୁବାଦ ଲୋକାର୍ପିତ

ମାଇଁ ୱାଲର୍ଡ ଅଫ୍‌ ୱାର୍ଡସ୍‌ ର ସଂସ୍କୃତ ଅନୁବାଦ ଲୋକାର୍ପିତ

ଭୁବନେଶ୍ୱର : ଶବ୍ଦ ହେଉଛି ବ୍ରହ୍ମ । ଶବ୍ଦବ୍ରହ୍ମର ଉପାସନା ହେଉଛି ଶୀର୍ଷସ୍ତରୀୟ ସାଧନା । ଯେଉଁମାନେ ଏହି ସାଧନାରେ ସିଦ୍ଧହସ୍ତ ସେମାନେ ଯୋଗଜନ୍ମା ଓ ଆମ ସମସ୍ତଙ୍କର ନମସ୍ୟ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି ।

ଆଜି ରାଜଭବନରେ ବରିଷ୍ଠ ପ୍ରଶାସକ ତଥା କବି ବିଷ୍ଣୁପଦ ସେଠୀଙ୍କ ଇଂରାଜୀ କବିତା ସଂକଳନ ‘ମାଇଁ ୱାଲର୍ଡ ଅଫ୍‌ ୱାର୍ଡସ୍‌’ର ସଂସ୍କୃତ ଅନୁବାଦ ‘ମମ ଶବ୍ଦବିଶ୍ୱମ୍‌’କୁ ଲୋକାର୍ପଣ କରି ରାଜ୍ୟପାଳ ପ୍ରଫେସର ଲାଲ କବି ଶ୍ରୀ ସେଠୀଙ୍କ ମନନ, ଚିନ୍ତନ ଓ ସୃଜନ ସାମର୍ଥ୍ୟର ଭୂୟସୀ ପ୍ରଶଂସା କରିବା ସହିତ କବିଙ୍କ ଅବବୋଧ ଓ ଅକୃତି୍ରମ ଉପସ୍ଥାପନା ବେଶ୍‌ ହୃଦୟଗ୍ରାହ୍ୟ ବୋଲି କହିଥିଲେ ।

କବି ଶ୍ରୀ ସେଠୀଙ୍କ କବିତାରେ ମାଟିର ମହକ, ଆନନ୍ଦ, ଆଲୋକ ଓ ପୁଲକ ଅଛି । ଦେବଭାଷା ସଂସ୍କୃତ ମାଧ୍ୟମରେ ଏହାର ପ୍ରସାର ଏକ ବିଶେଷ ଉପଲବ୍ଧି ବୋଲି ରାଜ୍ୟପାଳ ପ୍ରକାଶ କରିଥିଲେ ।

କବି ଶ୍ରୀ ସେଠୀ ନିଜ ସାରସ୍ୱତ ସାଧନାର ଭୂମି ଓ ଭୂମିକା ସଂପର୍କରେ ଆଲୋଚନା କରିଥିଲେ । ପୂର୍ବତନ ସାଂସଦ ତଥା ବରିଷ୍ଠ କବି ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ କବିଙ୍କ ସୃଷ୍ଟିସମ୍ଭାର ଉପରେ ଆଲୋକପାତ କରିି ମଣିଷର ସ୍ୱପ୍ନ, ସଂଘର୍ଷ, ସଂଗ୍ରାମ ଓ ଉତ୍ତରଣ ସେସବୁରେ ରୂପାୟିତ ହୋଇଛି ବୋଲି ଉଲ୍ଲେଖ କରିଥିଲେ ।

ଅନୁବାଦକ ତଥା ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା, ପୁସ୍ତକର ପ୍ରକାଶକ ହର୍‌ ଆନନ୍ଦ ପବ୍ଲିକେସନ୍‌ସ (ନୂଆଦିଲ୍ଲୀ)ର ଆଶିଷ ଗୋସାଇଁ ପ୍ରମୁଖ ପୁସ୍ତକର ବିଭିନ୍ନ ଦିଗ ଓ ନିଜର ସଂପୃକ୍ତି ସଂପର୍କରେ କହିଥିଲେ । କବି ରକ୍ଷକ ନାୟକ ପୁସ୍ତକ ସଂପର୍କରେ ସୂଚନା ଦେବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।