Home Agriculture ମହୁ ରପ୍ତାନି ନଗଣ୍ୟ

ମହୁ ରପ୍ତାନି ନଗଣ୍ୟ

ଭୁବନେଶ୍ୱର : ମହୁ ଚାଷ ପାଇଁ ଓଡିଶାରେ ସମସ୍ତ ପ୍ରକାର ଅନୁକୂଳ ପରିବେଶ ଥିବାବେଳେ ରାଜ୍ୟରୁ ମହୁ ରପ୍ତାନି ନାହିଁ କହିଲେ ଚଳେ । ସମଗ୍ର ଦେଶରୁ ବାର୍ଷିକ ପ୍ରାୟ ୮୦ହଜାର ମେଟ୍ରିକ ଟନ୍‍ ମହୁ ରପ୍ତାନି ହେଉଥିବାବେଳେ ଓଡିଶାର ମହୁଚାଷୀମାନେ ଏ କ୍ଷେତ୍ରରେ ପଛରେ ପଡିଛନ୍ତି ।

ମହୁଚାଷୀଙ୍କ କହିବାକଥା ଯେ ଓଡିଶାରେ ମହୁଚାଷ ପାଇଁ ସମସ୍ତ ପ୍ରକାର ଅନୁକୂଳ ପରିବେଶ ରହିଛି । ହେଲେ ଉନ୍ନତ କିସମର ମହୁମାଛି ମିଳୁନାହାନ୍ତି । ଯେଉଁମାନେ ବ୍ୟବସାୟିକ ଭିତ୍ତିରେ ଉନ୍ନତ ମହୁମାଛି ଆବଶ୍ୟକ କରୁଛନ୍ତି ସେମାନଙ୍କୁ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଉପରେ ନିର୍ଭର କରିବାକୁ ପଡୁଛି । ଆମ ରାଜ୍ୟରେ ସରକାରୀ ସ୍ତରରେ ଥିବା ଏକମାତ୍ର ମହୁମାଛି ନର୍ସରୀରୁ ସେଭଳି ଉନ୍ନତ କିସମର ମହୁମାଛି ମିଳିପାରୁ ନାହାନ୍ତି । ଏଥିଯୋଗୁଁ ମହୁଚାଷୀଙ୍କ ସିଂହଭାଗ ଅର୍ଥ ଅନ୍ୟ ରାଜ୍ୟରୁ ମାଛି ଆମଦାନୀରେ ଯାଉଛି ।

ଏହାବାଦ୍‍ ଯେଉଁମାନେ ବି ମହୁଚାଷ କରୁଛନ୍ତି ସେମାନଙ୍କ ପାଇଁ ଆବଶ୍ୟକୀୟ ବଜାର ସୁବିଧା ନାହିଁ । ଫଳରେ ବାଧ୍ୟହୋଇ ସେମାନେ ମହୁ ବ୍ୟବସାୟ କରୁଥିବା ବଡ ବଡ କମ୍ପାନୀଙ୍କ ହାତରେ ଉତ୍ପାଦିତ ମହୁକୁ ଅଳ୍ପ ଦରରେ ବିବିବାକୁ ବାଧ୍ୟ ହେଉଛନ୍ତି । କେନ୍ଦ୍ର ସରକାରଙ୍କ ସ୍ଫୁର୍ତ୍ତି ଯୋଜନାରେ ଓଡିଶାରେ ଦୁଇଟି ମହୁ ପ୍ରକ୍ରିୟାକରଣ କେନ୍ଦ୍ର ପ୍ରତିଷ୍ଠା ହୋଇଥିଲେ ମଧ୍ୟ ବଜାର ସୁବିଧା ନଥିବାରୁ ତାହା ସେଭଳି ସଫଳତା ପାରୁନାହିଁ ।

କେନ୍ଦ୍ର ସରକାର ମହୁ ଚାଷକୁ ପ୍ରୋତ୍ସାହନ ଦେବା ସହିତ ମହୁଚାଷ ଜରିଆରେ ଲୋକଙ୍କୁ କର୍ମସଂସ୍ଥାନ ଯୋଗାଇ ଦେବାପାଇଁ ଜାତୀୟ ମହୁମାଛି ପାଳନ ଓ ମହୁ ମିଶନ କାର୍ଯ୍ୟକାରୀ କରିଛନ୍ତି । ଏହା ଜରିଆରେ ସମଗ୍ର ଦେଶରେ ୫୫ହଜାରରୁ ଅଧିକ ହିତାଧିକାରୀ ଉପକୃତ ହୋଇଥିବାବେଳେ ଓଡିଶାରେ ହିତାଧିକାରୀଙ୍କ ସଂଖ୍ୟା ତିନି ଶହ ଅତିକ୍ରମ କରିପାରି ନାହିଁ । ଏହି ଯୋଜନାରେ ମହୁ ଚାଷକୁ ପ୍ରୋତ୍ସାହନ ସହିତ ୪ଟି ଜାତୀୟ ସ୍ତରର ଏବଂ ୩୧ଟି ଛୋଟ ମହୁ ପରୀକ୍ଷାଗାରକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହି ଛୋଟ ପରୀକ୍ଷାଗାର ମଧ୍ୟରୁ ଗୋଟିଏ ଓଡିଶାରେ ସ୍ଥାପନ ହୋଇଛି ।

ତେବେ ଓଡିଶାରେ ବ୍ୟାପକ ରସାୟନିକ ସାର ଓ କୀଟନାଶକର ବ୍ୟବହାର ଯୋଗୁଁ ମହୁମାଛି ବଂଶ ଧିରେ ଧିରେ ଲୋପ କାଉଥିବା ଚାଷୀମାନେ ମତ ଦେଉଛନ୍ତି । ଅବସ୍ଥା ଏଭଳି ହୋଇଛି ଯେ ଓଡିଶାରେ ମିଳୁଥିବା ମହୁର ସିଂହଭାଗ ବଣୁଆ ପ୍ରଜାତିର ମହୁମାଛିଙ୍କ ଠାରୁ ହିଁ ମିଳୁଛି । ଉନ୍ନତି କିସମର ମହୁମାଛି ରସାୟନିକ ସାର ଓ କୀଟନାଶକ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରୁଛନ୍ତି ।

ରାଜ୍ୟରେ ମହୁଚାଷକୁ ପ୍ରୋତ୍ସାହନ ପାଇଁ ପୂର୍ବରୁ ଓଡିଶା ରାଜ୍ୟ ଖଦିବୋର୍ଡ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଥିଲା । ରିହାତି ଦରରେ ଲୋକଙ୍କ ମହୁଚାଷ ପାଇଁ କାଠବାକ୍ସ ଯୋଗାଇବା ସହିତ ଚାଷୀଙ୍କ ଠାରୁ ମହୁ ସଂଗ୍ରହ କରି ତାହାକୁ ବିକ୍ରି କରୁଥିଲା । ହେଲେ ତାହା ଆଉ ପୂର୍ବଭଳି ହେଉନାହିଁ । ଓଡିଶାରେ ସମସ୍ତ ପ୍ରକାର ସୁଯୋଗ ଥାଇ ମହୁଚାଷ ଉଧେଇ ପାରୁନଥିବାବେଳେ ପଞ୍ଜାବ, ହରିଆନା, ଉତ୍ତରାଖଣ୍ଡ ଭଳି ରାଜ୍ୟ ଏ କ୍ଷେତ୍ରରେ ବହୁ ଆଗରେ ଅଛନ୍ତି । (ତଥ୍ୟ)